ଭୁବନେଶ୍ୱର,୨୫/୦୭: ରାଜଧାନୀରେ ଆରମ୍ଭ ହେବ ‘ଓଡ଼ିଶା  ଟେକ୍ସ ୨୦୨୫’ । ଶୁକ୍ରବାର ଲୋକସେବା  ଭବନର କନ୍‌ଭେନସନ ହଲରେ ପୂର୍ବ  ଭାରତରେ ବୟନଶିଳ୍ପର ବଡ଼ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ବହୁ ସଂଖ୍ୟାରେ  ନିବେଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ।  ୬ଟି ବୟନଶିଳ୍ପ ଓ ପୋଷାକ ପରିଧାନ  ପାର୍କର ଶୁଭାରମ୍ଭ ସହ ବୟନଶିଳ୍ପ କ୍ଷେତ୍ରରେ ନିବେଶକ-ରାଜ୍ୟ ସରକାରଙ୍କ  ମଧ୍ୟରେ ହେବ ଏମ୍‌ଓୟୁ । ଏହି  ମେଗା ଇଭେଣ୍ଟ ରାଜ୍ୟରେ ନିବେଶ  ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।  

ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ଏବେ  ଦେଶର ଏକ ପ୍ରମୁଖ ପସନ୍ଦର ସ୍ଥାନ  ପାଲଟିଛି । ବୟନଶିଳ୍ପକୁ ଆଗକୁ ନେବା  ଓ ନିବେଶ ବୃଦ୍ଧି ପାଇଁ ସରକାର ‘ଓଡ଼ିଶା  ଟେକ୍ସ ୨୦୨୫’ର ଆୟୋଜନ କରୁଛନ୍ତି ।  ଏଥିରେ ସାମିଲ ହେବାକୁ ୬ ଶହରୁ  ଅଧିକ ଶିଳ୍ପପତି, ଷ୍ଟାର୍ଟଅପ୍‌, କଂପାନି, ପୋଷାକ ଉତ୍ପାଦକ ସଂସ୍ଥା ପଞ୍ଜିକରଣ  କରିଛନ୍ତି । ବୟନଶିଳ୍ପ କ୍ଷେତ୍ରରେ  ରାଜ୍ୟରେ ଥିବା ସମ୍ଭାବନା ଓ ରାଜ୍ୟ  ସରକାରଙ୍କ ସହଯୋଗ ସଂପର୍କରେ  ନିବେଶକମାନେ ଏଠାରେ ସଂପୂର୍ଣ୍ଣ  ଅବଗତ ହେବେ । କାର୍ଯ୍ୟକ୍ରମରେ ବହୁ  ଶିଳ୍ପପତି ବୟନଶିଳ୍ପରେ ନିବେଶ ପାଇଁ  ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର  ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି ।  ବଲାଙ୍ଗୀର, ଜଗତସିଂହପୁର ଓ  କେନ୍ଦୁଝରରେ ୩ଟି ବୟନଶିଳ୍ପ ପାର୍କ ସହ ଗଞ୍ଜାମ, ସମ୍ବଲପୁରରେ ପୋଷାକ  ପରିଧାନ ଏବଂ କଟକରେ ଜୋତା/ ଚପଲ ପାର୍କର ଶୁଭାରମ୍ଭ ହେବ । 

କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ ଗୁରୁବାର  ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ସମୀକ୍ଷା  କରି କହିଛନ୍ତି, ‘ଓଡ଼ିଶା ଟେକ୍ସ  ୨୦୨୫’ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ବୟନଶିଳ୍ପର ପରିଚିତ ନିବେଶକମାନଙ୍କୁ  ଗୋଟିଏ ଛାତ ତଳେ ଏକାଠି କରିବ ।ବୟନଶିଳ୍ପ ପାଇଁ  ଓଡ଼ିଶାରେ ଅଛି ଢେର ସମ୍ଭାବନା । ଏ କ୍ଷେତ୍ରରେ ଅଧିକ  ନିଯୁକ୍ତି ସୁଯୋଗ ସୃଷ୍ଟି ସହ ମହିଳା ମାନଙ୍କ ପାଇଁ ଅଧିକ  ସୁଯୋଗ ସୃଷ୍ଟି ହେବ । ଏଥିରେ ଦକ୍ଷ ମାନବସମ୍ବଳ ରାଜ୍ୟ  ଭିତରେ କାମଧନ୍ଦା ପାଇପାରିବେ । ୨୦୨୩୦ ସୁଦ୍ଧା ଓଡ଼ିଶାକୁ  ଦେଶର ‘ବୟନଶିଳ୍ପ ରାଜଧାନୀ’ କରିବାକୁ ରାଜ୍ୟ ସରକାର  ଏ ମେଗା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।