ପୁରୀ ୦୮/୦୩: ଦୁନିଆ କ’ଣ ଜାଣିବା ଆଗରୁ ଦୁନିଆର ବୋଝ ସମ୍ଭାଳୁଛନ୍ତି । ଶିକ୍ଷା ସମାପ୍ତ ନ ହେଉଣୁ ସଂସାର ଗଢୁଛନ୍ତି । ପୁରୀ ଜିଲ୍ଲାର ୧୦ ଭାଗ ଝିଅ ବାଲ୍ୟବିବାହ କବଳରେ ରହିଛନ୍ତି । ପୂର୍ବ ତୁଳନାରେ ଜିଲ୍ଲାରେ ବାଲ୍ୟ ବିବାହ ହାର ବୃଦ୍ଧି ପାଇଛି । ଶେଷ ଥର ପାଇଁ ୨୦୧୯-୨୧ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଜିଲ୍ଲାରେ ୨୦ରୁ ୨୪ ବର୍ଷ ବୟସ ବର୍ଗରେ ଥିବା ୧୦.୨% ଝିଅ ୧୮ ବର୍ଷ ନ ହେଉଣୁ ବିବାହ କରିଛନ୍ତି । ପୂର୍ବରୁ ଜିଲ୍ଲାରେ ୧୦୦ରୁ ୮ ଜଣ ଝିଅ ବାଲ୍ୟ ବିବାହ କରୁଥିଲେ । ଏବେ ଜିଲ୍ଲାରେ ବାଲ୍ୟବିବାହ ହାର ୨% ବୃଦ୍ଧି ପାଇଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଏବେ ବି ଅନେକ ଝିଅ ବାଲ୍ୟ ବିବାହର ଯାତନାରେ ଯୁଝି ହେଉଛନ୍ତି । ଏବେ ବି ଅନେକ ଝିଅଙ୍କୁ ବୋଝ ମଣି ବାଲ୍ୟ ବିବାହ କରାଉଛନ୍ତି ।
୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ଜିଲ୍ଲାର ୪% ଝିଅ ମା’ ହେଉଛନ୍ତି । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପେଣ୍ଠକଟା ଓ ବାଲିନୋଳିଆ ସାହି ଭଳି ମତ୍ସ୍ୟଜୀବୀ ସଂପ୍ରଦାୟରେ ସର୍ବାଧିକ ବାଲ୍ୟବିବାହ ହେଉଛି । ଆନ୍ଧପ୍ରଦେଶରୁ ଆସି ଓଡ଼ିଶାରେ ରହୁଥିବା ମତ୍ସ୍ୟଜୀବୀ ସଂପ୍ରଦାୟରେ ବାଲ୍ୟବିବାହ ହାର ସର୍ବାଧିକ ରହିଛି । ପୁରୀ ସେବାୟତ ସଂପ୍ରଦାୟରେ ମଧ୍ୟ ବାଲ୍ୟବିବାହ ଏକ ବ୍ୟାଧି ପାଲଟିଛି । ଏହାସହ ଅନୁସୂଚିତ ଜାତି ସମୁଦାୟରେ ମଧ୍ୟ ବାଲ୍ୟ ବିବାହ ବ୍ୟାପକ ମାତ୍ରାରେ ହେଉଛି । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଓ ଡେଲାଙ୍ଗ ବ୍ଲକରେ ବାଲ୍ୟବିବାହ ମାତ୍ରା ଢେର ଅଧିକ ରହିଛି । ବ୍ରହ୍ମଗିରି ଓ ଡେଲାଙ୍ଗ ବ୍ଲକରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ବର୍ଗରେ ବାଲ୍ୟ ବିବାହ ବଢୁଥିବା ଦେଖିବାକୁ ମିଳୁଛି ।
କେତେକ ସ୍ଥାନରେ ଘର ଲୋକଙ୍କ ଚାପରେ ଝିଅଟିଏ ବାଲ୍ୟବିବାହ କରୁଥିବା ବେଳେ କେତେକ ସ୍ଥାନରେ ଝିଅଟିଏ ନିଜ ଇଚ୍ଛାରେ ବାଲ୍ୟ ବିବାହ କରୁଛି । ଅଧିକାଂଶ କ୍ଷେତ୍ରରେ ଘରଠାରୁ ଦୂରରେ ରହି ପଢ଼ିବା ସମୟରେ ଝିଅ ନିଜ ପସନ୍ଦର ସାଥୀ ବାଛି ୧୮ ବର୍ଷ ନ ହେଉଣୁ ବିବାହ କରୁଛି । ବ୍ରହ୍ମଗିରି, ପିପିଲି ଏବଂ ଡେଲାଙ୍ଗରୁ ଏଭଳି ଅଧିକ ମାମଲା ଆସୁଛି । ଏସବୁ ଅଞ୍ଚଳରେ ପ୍ରାୟ ୧୫% ବାଲ୍ୟବିବାହ ମାମଲା ରହୁଛି । ଅନ୍ୟପକ୍ଷରେ ଅଳ୍ପ ବୟସରୁ ବିବାହ କଲେ ଭଲ ବରପାତ୍ର ମିଳିବା ଲୋଭରେ ପରିବାର ଲୋକେ ଝିଅକୁ ୧୮ ବର୍ଷ ନ ହେଉଣୁ ବାହା କରାଇ ଦେଉଛନ୍ତି । ପୁରୀରେ ହେଉଥିବା ବାଲ୍ୟବିବାହ ପଛରେ ସବୁଠାରୁ ବଡ଼ କାରଣ ସାଜିଛି ଗରିବୀ । ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ମୁତାବକ, ଆର୍ଥିକ ଅନୁନ୍ନତ ଶ୍ରେଣୀର ବାପାମା’ଙ୍କ ଚିନ୍ତାଧାରା ରହିଛି ଯେ ଝିଅକୁ ବାହା କରାଇଦେଲେ ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ । ନିଜର ଭବିଷ୍ୟତକୁ ସ୍ୱଚ୍ଛଳ କରିବାକୁ ଅନେକ ନାବାଳିକା ଏଥିପାଇଁ ସହଜରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ସ୍କୁଲ ଶିକ୍ଷା ସମାପ୍ତ ପରେ ଉଚ୍ଚ ଶିକ୍ଷା ହାସଲ କରୁନଥିବା ଝିଅଙ୍କ କ୍ଷେତ୍ରରେ ଅଧିକ ବାଲ୍ୟବିବାହ ହେଉଛି । ଏବେ ବି ଅନେକ ଗ୍ରାମୀଣ ଅଞ୍ଚଳର ନିକଟତମ ସ୍ଥାନରେ କଲେଜ ନାହିଁ । ଫଳରେ ବାପା ମା’ ଝିଅକୁ ଦୂର କଲେଜକୁ ପଠାଇବାକୁ ସଙ୍କୋଚ କରି ପାଠପଢ଼ାରେ ବେଡ଼ି ଲଗାଉଛନ୍ତି । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ବାଲ୍ୟବିବାହ କରିବାକୁ ଚାପ ପଡୁଛି ।
ବାଲ୍ୟ ବିବାହ ରୋକିବାକୁ ସରକାରୀ ସ୍ତରରେ ଅନେକ ପ୍ରୟାସ ଚାଲିଛି । ସାପ୍ତାହିକ ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟବିବାହ ନ କରିବା ପାଇଁ କିଶୋରୀଙ୍କୁ ସଚେତନ କରାଯାଉଛି । ବିଦ୍ୟାଳୟ ସ୍ତରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହେଉଛି । ହେଲେ ଏବେ ବି ଅନେକ ସ୍ଥାନରେ ସଚେତନତା ଅପହଞ୍ଚ ଥିବାରୁ ବାଲ୍ୟବିବାହ ପ୍ରତିରୋଧ ଆଶାତୀତ ଭାବେ ସଫଳ ହୋଇପାରିନାହିଁ ।
ଆହୁରି ପଢ଼ନ୍ତୁ...ଫିରିଙ୍ଗିଆରେ ଲଜ୍ଜା: ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ, ଏତଲା ଦେଲେ ପରିବାରଲୋକ
ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟରତ ୟୁନିସେଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗରିବୀ ଓ ଶିକ୍ଷାର ଅଭାବ ହିଁ ବାଲ୍ୟ ବିବାହର ମୁଖ୍ୟ କାରଣ । ଏହାସହ ସାମାଜିକ କାରଣ, ଯେପରିକି ଝିଅକୁ ବୋଝ ଭାବିବା, ଝିଅକୁ ନେଇ ପାରିପାର୍ଶ୍ୱିକ ଚାପ ପଡ଼ିବା । ଅନ୍ୟପକ୍ଷରେ ଧାର୍ମିକ ଓ ପାରମ୍ପରିକ କାରଣ ଯେପରିକି କନ୍ୟା ଦାନ କଲେ ପୁଣ୍ୟ ମିଳେ ବୋଲି ଭାବିବା, ନାତି ଅଣନାତି ଦେଖିଲେ ସ୍ୱର୍ଗପ୍ରାପ୍ତି ହେବ ବୋଲି ଅନ୍ଧବିଶ୍ୱାସରେ ପଡ଼ି ମଧ୍ୟ ଅନେକ ବାପାମା’ ବାଲ୍ୟ ବିବାହ କରାଉଛନ୍ତି । ଅନେକ ପ୍ରଶାସନିକ କାରଣ ମଧ୍ୟ ରହିଛି । ଯେପରିକି କମ୍ ଉପସ୍ଥାନ ବିଶିଷ୍ଟ ଅନେକ ସ୍କୁଲ ବନ୍ଦ ହେବା, ଯାହାଦ୍ୱାରା ଅନେକ ଅଭିଭାବକ ଝିଅକୁ ଦୂର ସ୍କୁଲକୁ ନ ଛାଡ଼ି ପାଠପଢ଼ା ବନ୍ଦ କରାଇ ବିବାହ କରାଇଦେଉଛନ୍ତି । ରେସିଡେନ୍ସିଆଲ ସ୍କୁଲରେ ପଢୁଥିବା ଝିଅମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ନ ଦେବାରୁ ସେମାନେ ମଧ୍ୟ ପାଠପଢ଼ା ଛାଡ଼ି ଦେଉଛନ୍ତି । ଏଭଳି ଅନେକ ବିନ୍ଦୁ ଉପରେ ଗୁରୁତ୍ୱ ଦେଲେ ଏବଂ ସଚେତନତା ବୃଦ୍ଧି କଲେ ବାଲ୍ୟ ବିବାହକୁ ରୋକାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି ।