ଫୁଲବାଣୀ, ୦୮/୦୩: ଦୁଇ ଦିନ ପୂର୍ବେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ ଘଟଣା ଚର୍ଚ୍ଚା ଥମିନି । ଏବେ ପୁଣି ଲଜ୍ଜାଜନକ ଘଟଣା ନଜରକୁ ଆସିଛି । ଫିରିଙ୍ଗିଆ ଅଞ୍ଚଳର ଏକ ବିଦ୍ୟାଳୟରେ ଛାତ୍ରୀ ନିବାସରେ ଜଣେ ନବମ ଶ୍ରେଣୀ ଛାତ୍ରୀ (୧୪) ୫ ଦିନ ପୂର୍ବେ ଶିଶୁ ପୁତ୍ରକୁ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏକ ସ୍କୁଲ୍‌ରେ ଗୋଛାପଡ଼ା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ନିବାସରେ ରହି ପଢ଼ୁଥିଲେ । ସେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଡାକି ନାବାଳିକାଙ୍କୁ ଘରକୁ ପଠାଇ ଦେଇଥିଲେ । ୧ ତାରିଖରେ ନାବାଳିକା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିୟମ ଅନୁସାରେ ସ୍କୁଲ୍‌ରେ ଛାତ୍ରୀଙ୍କ ନିୟମିତ ଚେକ୍ଅପ୍ କରାଯାଏ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହାସତ୍ତେ୍ୱ ନାବାଳିକା ଗର୍ଭବତୀ ଥିବା କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି? ନାବାଳିକାଙ୍କ ପରିବାର ଏନେଇ ଗୋଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସଞ୍ଜିତ ବେହେରା ସୂଚନା ଦେଇଛନ୍ତି ।

ପ୍ରଧାନଶିକ୍ଷକ ମଧ୍ୟ ଫିରିଙ୍ଗିଆ ଥାନାରେ ନାବାଳିକା ଗର୍ଭବତୀ ନେଇ ଅଭିଯୋଗ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୂରଲୀଧର ସାହୁ ସୂଚନା ଦେଇଛନ୍ତି । ନାବାଳିକାଙ୍କ ପରିବାର ଲୋକ ଦେଇଥିବା ଏତଲା ଅନୁଯାୟୀ, ନାବାଳିକା ଛୁଟିରେ ଘରକୁ ଆସିଥିବା ବେଳେ ପିଣ୍ଡାଙ୍ଗୀ ଗାଁର ଜଣେ ଯୁବକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଗୋଛାପଡା ପୁଲିସ ଏହି ଘଟଣାର ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ । ଘଟଣା ବିଷୟରେ ପ୍ରଧାନଶିକ୍ଷକଙ୍କ ମତାମତ ମିଳିପାରିନି । ଫିରିଙ୍ଗିଆ ବିଇଓ ଆଲୋକ ପ୍ରଧାନ କହିଛନ୍ତି, ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।