ବୌଦ୍ଧ,୦୫/୦୭: ବୌଦ୍ଧ ଜିଲ୍ଲା ପୁରୁଣାପାଣି ରେଳଷ୍ଟେସନ ନିକଟରେ ଟ୍ରେନ୍‌ ଆସୁଥିବା ବେଳେ ଦୁଃସାହସିକ କାମ । ରେଳ ଧାରଣା ଉପରେ ଶୋଇ ଷ୍ଟଣ୍ଟ ମାରି ରିଲ୍ସ ବନାଇଲେ ନାବାଳକ । ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ସୋନପୁର-ବୌଦ୍ଧ ରେଳପଥର ପୁରୁଣାପାଣି ଷ୍ଟେସନ ଓ ମସିଣା ପଡା ଗାଁ ମଝି ଦେଇ ଟ୍ରେନ୍‌ ଯାଉଥିଲା ।  ଟ୍ରେନ୍‌ ଆସୁଥିବା ବେଳେ ରେଳ ଧାରଣା ମଝିରେ ଶୋଇ ଜଣେ ନାବାଳକ ଷ୍ଟଣ୍ଟ ଦେଖାଉଥିବା ଭିଡିଓ ସାମ୍ନାକୁ ଆସିଛି ।  ଟ୍ରେନ୍‌ଟି ଅତିକ୍ରମ କଲା ପରେ ନାବାଳକ ଜଣକ ସୁରକ୍ଷିତ ଭାବରେ ରେଳ ଧାରଣାରୁ ଉଠୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ନାବାଳକର ସାଙ୍ଗମାନେ ମୋବାଇଲରେ ଭିିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ନାବାଳକ ଜଣକ କେଉଁ ଅଞ୍ଚଳର ଜଣା ପଡିନଥିବା ବେଳେ ଏଭଳି ଦୁଃସାହସିକ ଭାବେ ଭିଡିଓ ବାନାଇବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି ।