ଏନସେଫେଲାଇଟସ ଆକ୍ରାନ୍ତ; ୧୦୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ବିହାର ୧୭।୬ : ବିହାରର ମୁଜାଫରପୁରରେ ଏନସେଫେଲାଇଟସ ସିଣ୍ଡ୍ରୋମ ବା ମସ୍ତିଷ୍କ ଜ୍ବରରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାର ତଥ୍ୟ ଭିତ୍ତିକ ପ୍ରମାଣ ଶ୍ରୀ କୃଷ୍ଣ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧିକାରୀ ସୁନୀଲ କୁମାର ସାହୀ ଦେଇଛନ୍ତି। ଇତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମସ୍ତିଷ୍କ ଜ୍ବରରେ ପ୍ରାଣ ହରାଇ ଥିବା ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ରବିବାର ମୁଜାଫରପୁରର ଏସକେ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନଙ୍କ ଉପସ୍ଥିତିରେ ୩ ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମୁଜାଫରପୁର ସମେତ ରାଜ୍ୟର ୧୨ଟି ଜିଲାରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି । ବେକଳ ଏସକେଏମସିଏଚ୍ ରେ ଏପର୍ଯ୍ୟନ୍ତ ୮୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକ ଶିଶୁର ବୟସ ୧୦ରୁ କମ୍ ବୋଲି ଜଣାପଡିଛି ।