ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ, ଗୀତ-ବାଦ୍ୟ ଓ ନୃତ୍ୟରେ ରସମୟ ହେଲା ବଡ଼ଦାଣ୍ଡ

ପୁରୀ ୯/୧୨: ଶିଶୁମନରେ ଓଡ଼ିଶା, ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭଲପାଇବାର ଶିକ୍ଷା ଏବେଠାରୁ ଉଜ୍ଜୀବିତ କରାଇଲେ ଆମ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ ହେବ ବୋଲି କହିଛନ୍ତି ଉଦଘାଟକ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର। ପୁରୀ ଶରଧାବାଲିର ମୁକ୍ତାକାଶ ରଂଗମଞ୍ଚରେ ଶିଶୁ ମହୋତ୍ସବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉନବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବକୁ ଉଦଘାଟନ କରି ମନ୍ତ୍ରୀ ପାତ୍ର, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ, ଓଡ଼ିଶାର ଶିଶୁ ବିକାଶରେ ସ୍ମରଣୀୟ ରହିବ ବୋଲି କହିଥିଲେ। ତିରିଶଟି ଜିଲ୍ଲାର ତିନିଶହ ଶିଶୁମାନଙ୍କ ଏହି କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ସଦାଶିବ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ, ଉତ୍ସବ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ସମଗ୍ର ଓଡ଼ିଶାର ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ଏହି ଉତ୍ସବ, ଓଡ଼ିଶାର ସଂଗୀତ,ବାଦ୍ୟ ଓ ନୃତ୍ୟକୁ ବିକଶିତ କରିବ ବୋଲି ବକ୍ତବ୍ୟ ରଖିଥିଲେ।
ସଂପାଦକ ଶଂଖମିତ୍ର ସିଂହାରୀ , ଆବାହକ ପ୍ରଶାନ୍ତ ପଟ୍ଟନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନିକୁନି ଶିଳ୍ପୀମାନେ ଚମତ୍କାର ସଂଗୀତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ.ଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିବାବେଳେ, ବଦ୍ରି ମିଶ୍ର, ସୁଂଧାଶୁଭୂଷଣ ରଥ, ଭୁଵନମୋହନ ପୂଜାପଣ୍ଡା, ସୁକାନ୍ତ ପଣ୍ଡା, ଜଗନ୍ନାଥ ସିଂହାରୀ, ଅମରେଶ୍ଵର ମହାପାତ୍ର, ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ, ସୋନାଲି ମଧୁସ୍ମିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଅତିଥିମାନେ ଅନୁଷ୍ଠାନର ସ୍ମରଣିକା,”ଶିଶୁ ପ୍ରତିଭା”ଉନ୍ମୋଚନ କରିଥିଲା ବେଳେ ଶିଶୁମାନଙ୍କୁ ପୁରସ୍କାର ବିତରଣ କରିଥିଲେ।