ଚିନ୍ତା ବଢାଇଲାଣି ଚିଲିପୋଖରି-ଟଙ୍କପାଣି ରାସ୍ତା

source:http://www.newindianexpress.com
ଉତ୍ତର ଭୁବନେଶ୍ୱର,୨୯ା୧(ଆ.ପ୍ର.): ବାଲିଅନ୍ତା, ବାଲିପାଟଣା ଓ ନିଆଳି- ତିନି ବ୍ଲକର ସଂଖ୍ୟାଧିକ ଗ୍ରାମବାସୀଙ୍କ ଯିବା ଆସିବା ଦ୍ୱାର ଟଙ୍କପାଣି-ଚିଲିପୋଖରୀ ରାସ୍ତା । ସନ୍ଧ୍ୟା ବେଳେ ଏହି ରାସ୍ତା ଦେଇ ସାଇ ମନ୍ଦିର ଛକରୁ ଟଙ୍କପାଣି କୁଆଖାଇ ସେତୁ ଏବଂ ଚିଲିପୋଖରିରୁ ବ୍ରହ୍ମେଶ୍ୱର ଛକ ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଏହାର ପ୍ରମୁଖ କାରଣ ଅଣଓସାରିଆ ରାସ୍ତା । ବାହାଘର ଋତୁରେ ଏହି ରାସ୍ତାରେ ଟ୍ରାଫିକ ଜାମ୍ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି । ଚିଲିପୋଖରୀରୁ ଟଙ୍କପାଣି ରୋଡ ମଧ୍ୟରେ ୬ଟି ବିବାହ ମଣ୍ଡପ, ସାଇ ମନ୍ଦିର ପାଖରେ ପାର୍କିଂ ବ୍ୟବସ୍ଥା ନ ରହିବା, ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ରାସ୍ତାକୁ ମାଡ଼ି ଆସିବା ଟ୍ରାଫିକ ଜାମ୍ର ଗୋଟିଏ ଗୋଟିଏ କାରଣ ବୋଲି କୁହାଯିବ । ଦୂର ଗାଁରୁ ଭୁବନେଶ୍ୱରକୁ ଆମ୍ବୁଲାନ୍ସରେ ଆସୁଥିବା ରୋଗୀ ଅଧିକାଂଶ ଦିନ ଏହି ଜାମ୍ରେ ଫସୁଥିବା ଦେଖାଯାଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉଚ୍ଚବାଚ, ଯୁକ୍ତିତର୍କ, ହାତାହାତି ହେଉଥିବା ଦେଖିବାକୁ ମିଳୁଛି ।
ଗତ ଦୁଇସପ୍ତାହ ହେଲାଣି ବିଭିନ୍ନ ମଣ୍ଡପ ଗୁଡ଼ିକରେ ବାହାଘର ଚାଲିଛି । ଏହି କାରଣରୁ ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚିଲିପୋଖୀରି-ଟଙ୍କପାଣି ରୋଡରେ ଯାତାୟାତ କରିବା ମୁସ୍କିଲ୍ ହୋଇପଡୁଛି । ଚିଲିପୋଖରି-ଗ୍ୟାରେଜ ଛକ କେନାଲ ରାସ୍ତା, ବଡ଼ଗଡ-ବ୍ରହ୍ମେଶ୍ୱର ବାଗ ଛକ, ବଡ଼ଗଡ-ବାଇପାସ ରୋଡ, ସାଇମନ୍ଦିର-ଟଙ୍କପାଣି ରୋଡ ଜାମ୍ ଯୋଗୁ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି । ଗୁରୁବାର ସାଇମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ହୋଇଥାଏ । ଏହି କାରଣରୁ ସକାଳରୁ ସନ୍ଧ୍ୟା ସାଇମନ୍ଦିର-ଟଙ୍କପାଣି ରୋଡରେ ଯିବା ଆସିବା କଷ୍ଟକର ହୋଇଥାଏ । ସାଇମନ୍ଦିର କଡ଼ରେ ପୁରୀ-କଟକ ୩୧୬ ଜାତୀୟ ରାଜପଥ ବାଇପାସ । ସାଇମନ୍ଦିର ଛକରେ ଟ୍ରାଫିକ ପୁଲିସ ମୁତୟନ ନ ହେବାରୁ ଚାଳକ ମନଇଚ୍ଛା ଗାଡି ଚଳାଉଛନ୍ତି । ଏହି କାରଣରୁ ସାଇମନ୍ଦିର ଛକ ଜାମ୍ ରହୁଛି । ଅନ୍ୟପକ୍ଷରେ ଏହି ଛକରୁ ଟଙ୍କପାଣି ମନ୍ଦିର ରାସ୍ତା ଅନ୍ଧାର ରହୁଥିବାରୁ ପ୍ରାୟତଃ ଅଧିକାଂଶ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ପୁରୀ-କଟକ ବାଇପାସ ଆଲୋକୀକରଣ ପାଇଁ ସରକାର ୨.୮୫ କୋଟି ବ୍ୟୟଅଟକଳ କରିଛନ୍ତି । ଅଥଚ ରାଜଧାନୀ ଉପକଣ୍ଠର ଅନ୍ୟତମ ବ୍ୟସ୍ତବହୁଳ ଚିଲିପୋଖରୀ-ଟଙ୍କପାଣି ରାସ୍ତା ଆଲୋକୀକରଣ ଲାଗି ବ୍ୟୟ ଅଟକଳ କରିନାହାନ୍ତି । ଟଙ୍କପାଣିରୋଡ-ଚିଲିପୋଖରି ରୋଡରେ ଆଲୋକ ବ୍ୟବସ୍ଥା ଏବଂ ଟ୍ରାଫିକ ପୁଲିସ ନିୟୋଜିତ ଲାଗି ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ତେବେ ବିବାହ ଓ ରୋଷଣୀ ସମୟରେ ପୁଲିସବାହିନୀଙ୍କୁ ନିୟୋଜିତ କରାଯାଉଥିବା କହିଛନ୍ତି ସହୀଦନଗର ପୁଲିସ ।