ଉତ୍ତରାଖଣ୍ଡକୁ ଲାଗିଥିବା ସୀମା ନିକଟରେ ଚୀନ୍ ତିଆରି କରୁଛି ୨୫୦ ଡିଫେନ୍ସ ଭିଲେଜ

ନୂଆଦିଲ୍ଲୀ,୨୬।୫: ଭାରତକୁ ଲାଗିଥିବା ସୀମା ନିକଟରେ ଚୀନ୍ ଲଗାତାର ନିଜର ରଣନୀତି ଓ ମୌଳିକ ଢାଞ୍ଚର ସୁବିଧାକୁ ମଜବୁତ କରୁଛି। ଉତ୍ତରାଖଣ୍ଡରୁ ଏଭଳି ଏକ ଖବର ଆସିଛି,ଯେଉଁଠି ବର୍ଡର ଏରିଆର ନିଜ ଅଂଶରେ ଚୀନ୍ ଡିଫେନ୍ସ ଭିଲେଜ ତିଆରି କରୁଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଲଏସି ନିକଟରୁ ୧୧ କିଲୋମିଟର ଦୂରତ୍ବରେ ଚୀନ୍ ଡିଫେନ୍ସ ଭିଲେଜ ତିଆରି କରୁଛି। ୨୫୦ ଘର ଥିବା ବର୍ଡର ଡିଫେନ୍ସ ଭିଲେଜରେ ସାରା ସୁବିଧା ରହିଛି।
କିଛି ଦିନ ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡକୁ ଲାଗିଥିବା ଏଲଏସିରୁ ପ୍ରାୟ ୩୫ କିଲୋମିଟର ଦୂରରେ ମଧ୍ୟ ଚୀନ୍ ପକ୍ଷରୁ ୫୫-୫୬ ଘର ତିଆରି କରାଯିବାର କଥା ସାମନାକୁ ଆସିଥିଲା। ଉଲ୍ଲେଖନୀୟ ଯେ, ଚୀନ୍ ଭାରତକୁ ଲାଗିଥିବା ଏଲଏସିର ନିକଟତମ ନିଜ ଅଂଶରେ ୭୦୦ ଗାଁ ତିଆରି କରୁଛି, ଯେଉଁଥିରେ ଏକାକୀ ପୂର୍ବ ସେକ୍ଟରରେ ଚୀନ୍ର ଯୋଜନା ୪୦୦ ଗାଁ ତିଆରି କରିବା। ଏହି ଗାଁ ଚୀନ୍ ସେନା ଅର୍ଥାତ ପିଏଲଏର ନଜରରେ ରହିଛି। ଭାରତୀୟ ସେନା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ସେ ଚୀନ୍ ସୀମାକୁ ଲାଗିଥିବା ଏଲଏସି ସୀମାରେ ସ୍ଥିତି ଉପରେ ନଜର ରଖିଛି।
ଚୀନ୍ ଲଗାତାର ଭାରତକୁ ଲାଗିଥିବା ସୀମାରେ ଏଭଳି ଗାଁ ତିଆରି କରୁଛି। ସେଭଳି ଭାରତ ସରକାର ମଧ୍ୟ ସୀମାକୁ ଲାଗିଥିବା ଗାଁକୁ ଭାଇବ୍ରାଣ୍ଟ ଭିଲେଜରେ ପରିବର୍ତ୍ତନ କରି ମେଗା ପ୍ଲାନ ତିଆରି କରୁଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ଚୀନ୍ର ସୀମା ନିକଟରେ ଏଭଳି ୫୦୦ ରୁ ୬୦୦ ଗାଁ ରହିଛି ଯେଉଁଠି କେହି ରୁହନ୍ତି ନାହିଁ। ଏହି ଗାଁରେ ବର୍ଷକରେ କେବଳ ଥରେ ନିଜର କୁଳଦେବତାଙ୍କ ପୂଜା କରିବା ପାଇଁ ଏଠାକୁ ଗ୍ରାମବାସୀ ଆସିଥାନ୍ତି। ହେଲେ ଏବେ ଏହି ଗାଁରେ ଲୋକ ରହିବେ। କେନ୍ଦ୍ର ସରକାର ଏହି ଗାଁକୁ ଭାଇବ୍ରାଣ୍ଟ ଭିଲେଜ କରିବା ପାଇଁ ବହୁ ରାଉଣ୍ଡ ବୈଠକ କରିସାରିଛନ୍ତି। ଏହା ସହିତ ଚଳିତ ବର୍ଷ ବଜେଟ୍ରେ ମଧ୍ୟ ଏହି ଗାଁକୁ ଭାଇବ୍ରାଣ୍ଟ ଭିଲେଜ କରିବା ପାଇଁ ବଜେଟ୍ ଘୋଷଣା କରାଯାଇ ସାରିଛି।