ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିପାରେ ଚୀନ୍

ନୂଆଦିଲ୍ଲୀ,୪।୩: ଆମେରିକା ପରେ ପ୍ରତିରକ୍ଷା ଦିଗରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଚୀନ ଏବେ ଏହାର ପ୍ରତିରକ୍ଷା ବଜେଟକୁ ବଢାଇ ପାରେ। ଏହା ସହ ଚୀନ ପରୋକ୍ଷରେ କହିଛି ତା’ର ଏହି ପ୍ରତିରକ୍ଷା ବଜେଟ୍ ବୃଦ୍ଧି ହେବା ଦ୍ବାରା ଅନ୍ୟ କୌଣସି ଦେଶ ପାଇଁ ବିପଦ ନାହିଁ । ଚୀନ ଗତ ବର୍ଷ ନିଜର ପ୍ରତିରକ୍ଷା ବଜେଟରେ ୮.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ତା’ର ବ୍ୟୟ ବଢି ୧୭୫ ବିଲିୟନ ଡଲାର ହୋଇଯାଇଛି। ଯାହାକି ଭାରତ ତୁଳନାରେ ୩ ଗୁଣ ଅଧିକ।
ଚୀନ ନିଜର ପ୍ରତିରକ୍ଷା ବଜେଟରେ କେତେ ପ୍ରତିଶତ ବୃଦ୍ଧି କରିବ ତାହା ସ୍ପଷ୍ଟ ହୋଇନାହିଁ। ଆଶା କରାଯାଉଛି ଚୀନ ପ୍ରଧାନମନ୍ତ୍ରୀ ଲି କ୍ବିଙ୍ଗ ଆସନ୍ତାକାଲି ନ୍ୟାସନାଲ ପିପୁଲ୍ସ କଂଗ୍ରେସ(ଏନପିସି)ର ବାର୍ଷିକ ଅଧିବେଶନରେ ଘୋଷଣା କରିପାରନ୍ତି। ଯଦିଓ ଏନସିପିର ମୁଖପାତ୍ର ଝ୍ୟାଙ୍ଗ ୟେସୁଇ ସୋମବାର ଗଣମାଧ୍ୟମ ସହିତ ଆଲୋଚନା କରି ସଙ୍କେତ ଦେଇଛନ୍ତି ଯେ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ ଜାରି ରହିବ। ଦେଶର ପ୍ରତିରକ୍ଷା ବ୍ୟୟ ଅନ୍ୟ ପ୍ରମୁଖ ବିକାଶଶୀଳ ଦେଶ ଗୁଡିକ ତୁଳନାରେ କମ୍ ରହିଚି। କୌଣସି ଦେଶ ଅନ୍ୟ କୌଣସି ଦେଶର ସେନା ପାଇଁ ବିପଦ ହେବ ନାହିଁ। ଏହାର ଆକଳନ ପ୍ରତିରକ୍ଷା ଖର୍ଚ୍ଚରେ ବୃଦ୍ଧିରେ ନୁହେଁ ବଂର ଏହାର ବୈଦେଶିକ ଓ ରାଷ୍ଟ୍ରୀୟ ପ୍ରତିରକ୍ଷା ନୀତି ଆଧାରରେ କରାଯିବା ଦରକାର।