ନୂଆଦିଲ୍ଲୀ,୦୯/୧୨; ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚୀନ୍ ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି । ସେ କହିଛି ଯେ ଭାରତ, ଚୀନ୍ ଏବଂ ରୁଷ ମଧ୍ୟରେ ଏକ ଦୃଢ଼ ତ୍ରିପାକ୍ଷିକ ସମ୍ପର୍କ କେବଳ ଆଞ୍ଚଳିକ ନୁହେଁ ବରଂ ବିଶ୍ୱ ସ୍ଥିରତା ଏବଂ ଶାନ୍ତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ-ଚୀନ୍ ସମ୍ପର୍କ ପୂର୍ବରୁ ଦୃଢ଼ ଏବଂ ଭାରତ-ଚୀନ୍ ସମ୍ପର୍କ ସ୍ୱାଭାବିକତା ଆଡକୁ ଗତି କରୁଛି ।
'ଭାରତ-ଚୀନ୍-ରୁଷ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ' - ବୈଦେଶିକ ମନ୍ତ୍ରଣାଳୟ; ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଏକ ପ୍ରେସ୍ ବ୍ରିଫିଂରେ କହିଛନ୍ତି ଯେ, ଚୀନ୍, ଭାରତ ଏବଂ ରୁଷ ଅର୍ଥନୀତି ଏବଂ ବିଶ୍ୱର ସ୍ୱର । ଏହି ତିନି ଦେଶ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ସହଯୋଗ କେବଳ ସେମାନଙ୍କୁ ଲାଭ ଦେବ ନାହିଁ ବରଂ ବିଶ୍ୱ ସୁରକ୍ଷା, ବିକାଶ ଏବଂ ସମୃଦ୍ଧିରେ ମଧ୍ୟ ଯୋଗଦାନ ଦେବ । ଦୃଢ଼ ତ୍ରିପାକ୍ଷିକ ସହଯୋଗ ବଜାୟ ରଖିବା ସମସ୍ତ ଦେଶର ସ୍ୱାର୍ଥରେ ଏବଂ ଏସିଆ ଏବଂ ସମଗ୍ର ବିଶ୍ୱରେ ସ୍ଥିରତା ପାଇଁ ଲାଭଦାୟକ ପ୍ରମାଣିତ ହେବ।"
ଭାରତ-ଚୀନ ସମ୍ପର୍କ ସୁଧାର ଦିଗରେ- ପୂର୍ବ ଲଦାଖରେ ୨୦୨୦ ମସିହାରେ ଉତ୍ତେଜନା ପରେ ଥଣ୍ଡା ପଡ଼ିଥିବା ଭାରତ-ଚୀନ୍ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଚୀନ୍ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଥିଲା । ଗୁଓ ଜିଆକୁନ୍ କହିଛନ୍ତି ଯେ, ବେଜିଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଭାରତ ସହିତ ଏକ ସ୍ୱାଭାବିକ, ସ୍ଥିର ଏବଂ ଦୃଢ଼ ସମ୍ପର୍କ ବଜାୟ ରଖିବାକୁ ପ୍ରତିବଦ୍ଧ । ଆମେ ଭାରତ ସହିତ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଏହି ସମ୍ପର୍କକୁ ପରିଚାଳନା କରିବା ପାଇଁ କାମ କରିବାକୁ ପ୍ରସ୍ତୁତ, ଯାହା ଦ୍ୱାରା ଉଭୟ ଦେଶର ଲୋକମାନେ ପ୍ରକୃତ ଲାଭ ପାଇପାରିବେ।"
ପୁଟିନଙ୍କ ବୟାନକୁ ନେଇ ଚୀନର ପ୍ରତିକ୍ରିୟା- ରୁଷ-ଭାରତ ସମ୍ପର୍କର ଗଭୀରତା ଉପରେ ନଜର ରଖିଛି ବେଜିଂ । ଭାରତ ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ପୁଟିନ୍ ଭାରତ ଏବଂ ଚୀନକୁ ରୁଷର ନିକଟତମ ବନ୍ଧୁ ଭାବରେ ବର୍ଣ୍ଣନା କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଦୁଇ ଦେଶ ନିଜ ନିଜ ବିବାଦର ସମାଧାନ କରିପାରିବେ। ଏହି ବକ୍ତବ୍ୟର ଜବାବରେ ଚୀନ କହିଛି ଯେ, ଏହା ରୁଷ ଏବଂ ଭାରତ ଉଭୟ ସହିତ ଦୃଢ଼ ଦ୍ୱିପାକ୍ଷିକ ସହଯୋଗ କରିବାକୁ ପ୍ରସ୍ତୁତ। ଚୀନର ସରକାରୀ ଗଣମାଧ୍ୟମ ପୁଟିନଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେଇଥିଲା, ଯେଉଁଥିରେ ସେ ରୁଷରୁ ଭାରତର ତୈଳ କ୍ରୟ ଉପରେ ଆମେରିକାର ସମାଲୋଚନାକୁ ମଧ୍ୟ ଖାରଜ କରିଥିଲେ ।
ପୁଟିନ୍ଙ୍କ ଭାରତ ଗସ୍ତରେ ଅନେକ ଚୁକ୍ତି- ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪-୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ୨୦୨୧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ଥିଲା। ଏହି ଗସ୍ତ ସମୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ନିବେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦୁଇ ଦେଶ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଏବଂ ଏକ ଦୀର୍ଘକାଳୀନ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମକୁ ଅନୁମୋଦନ ମିଲିଛି । ୧୯ ରାଜିନାମା ସ୍ୱାକ୍ଷର ହୋଇଛି ।