ନୂଆଦିଲ୍ଲୀ : ଦିଲ୍ଲୀ ବିସ୍ଫୋରଣକୁ ନେଇ ଚୀନ୍ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଚୀନ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି ଏବଂ ମର୍ମାହତ ବୋଲି କହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବିବୃତ୍ତି ଦେଇଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ,"ଏହି ଘଟଣାରେ ଆମେ ମର୍ମାହତ ।" ଏହା ବ୍ୟତୀତ, ଲିନ୍ ବିସ୍ଫୋରଣରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ବିସ୍ଫୋରଣରେ କୌଣସି ଚୀନ୍ ନାଗରିକ ଆହତ ହୋଇଥିବା ରିପୋର୍ଟ ହୋଇନାହିଁ।

ସୂଚନାଥାଉକି, ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା, ଯାହା ଅନେକ ଯାନବାହନ ଏବଂ ଲୋକଙ୍କୁ ଆଘାତ କରିଥିଲା। ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି, ଏବଂ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ତଦନ୍ତକୁ NIAକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ,ଦିଲ୍ଲୀ ପୋଲିସ ଏବଂ ସ୍ୱତନ୍ତ୍ର ସେଲ୍ ମାମଲାର ତଦନ୍ତ କରୁଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, "ମୁଁ ପ୍ରଭାବିତ ପରିବାରର ଦୁଃଖ ବୁଝିପାରୁଛି । ଆଜି, ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି। ମୁଁ ଗତକାଲି ରାତି ସାରା ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ସହିତ ଯୋଗାଯୋଗରେ ଥିଲି। ଆମର ଏଜେନ୍ସି ଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଏହା ପଛରେ ଥିବା ଅପରାଧୀ ମାନଙ୍କୁ ଛଡ଼ାଯିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଭୁଟାନ ଗସ୍ତରେ ଅଛନ୍ତି।