PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଟ୍ରମ୍ପ୍‌ଙ୍କୁ ଜବାବ ଦେଲା ଚୀନ୍‌: ମନମୁଖି କାର୍ଯ୍ୟ ଚଳିବ ନାହିଁ

ବେଜିଂ,୨୯/୦୭(ଏଜେନ୍ସି): ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍‌ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେଉଁ ବୟାନ ଦେଇଛନ୍ତି, ତାହାର ଜବାବ ରଖିଛି ଚୀନ୍‌ । ଆମେରିକାର ସ୍ୱାର୍ଥକୁ ସୁହାଇବା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସଂଜ୍ଞା ନିରୂପଣ ହୋଇପାରିବ ନାହିଁ ବୋଲି ଚୀନ୍‌ କହିଛି ।ଚୀନ୍‌ର ରାଷ୍ଟ୍ରାୟତ୍ତ ‘ପିପୁଲ୍ସ ଡେଲି’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ଦର୍ଶାଯାଇଛି ଯେ କେତେକ କ୍ଷମତାଶାଳୀ ରାଷ୍ଟ୍ରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନୀତି ତିଆରି କରିପାରିବ ନାହିଁ । ଏଥିପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି ଏବଂ ରାଷ୍ଟ୍ରଗୁଡ଼ିକର ମଧ୍ୟ ସମାନ ଅଧିକାର ରହିଛି । ଆମେରିକା ଭଳି ଅଳ୍ପ କେତୋଟି ରାଷ୍ଟ୍ର ଏହା ନିର୍ଦ୍ଧାରଣ କରିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ଚୀନ୍‌, ଭାରତ ଭଳି କେତେକ ରାଷ୍ଟ୍ରକୁ ଟାର୍ଗେଟ୍‌ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ଏକ ନକାରାତ୍ମକ ବୟାନ ଦେଇଥିଲେ । ସେ କହିଥିଲେ, ବିଶ୍ୱ ବାଣିଜ୍ୟରେ ସୁବିଧା ସୁଯୋଗ ପାଇବା ପାଇଁ ଦେଶଗୁଡ଼ିକ ନିଜକୁ ବିକାଶଶୀଳ ରାଷ୍ଟ୍ର ଘୋଷଣା କରୁଛନ୍ତି । ଏମାନଙ୍କୁ ଯେମିତି ସୁବିଧା ସୁଯୋଗ ନମିଳେ, ସେଥିପାଇଁ ନିୟମ ବଦଳାଇବା ଆବଶ୍ୟକ ବୋଲି ସେ କହିଥିଲେ ।

ଟ୍ରମ୍ପ୍‌ଙ୍କ କହିବାନୁଯାୟୀ ଡବ୍ଲ୍ୟୁଟିଓର ପାଖାପାଖି ଦୁଇତୃତୀୟାଂଶ ସଦସ୍ୟ ସେମାନଙ୍କୁ ବିକାଶଶୀଳ ଦେଶ ବିବେଚନା କରି ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବା ଲାଗି ବିଶ୍ୱ ବାଣିଜ୍ୟ ସଂଗଠନରେ ଦାବି କରୁଛନ୍ତି । ସେମାନଙ୍କୁ ସୁଯୋଗ ମିଳୁଛି ମଧ୍ୟ । ତେଣୁ ସେମାନଙ୍କୁ ରୋକିବା ଲାଗି ଯେତେ ପ୍ରକାର ବିକଳ୍ପ ବ୍ୟବସ୍ଥା ରହିଛି, ତାହାକୁ ଆପଣାଇବା ପାଇଁ ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ୯୦ ଦିନ ସମୟ ଦେଇଛନ୍ତି ସେ । ଟ୍ରମ୍ପ୍‌ଙ୍କ ଏହି ନିର୍ଦ୍ଦେଶ ଭାରତ ଭଳି ଦେଶ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଉଲ୍ଲେଖଯୋଗ୍ୟ, ଆମେରିକା ଆଉ ଭାରତକୁ ବିକାଶଶୀଳ ରାଷ୍ଟ୍ର ବିବେଚନା କରୁନାହିଁ । ଭାରତଠାରୁ ଏହା ଜିଏସ୍‌ପି ପ୍ରତ୍ୟାହାର କରିନେଇଛି ।

ଟ୍ରମ୍ପ୍‌ ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ଚୀନ୍‌ ପ୍ରତିକ୍ରିୟା ପ୍ରକାଶ କରିଛି । ଆମେରିକାର ଏଭଳି ସୁରକ୍ଷାବାଦୀ ନୀତିକୁ ବରଦାସ୍ତ କରାଯିବ ନାହିଁ । ଡବ୍ଲ୍ୟୁଟିଓରେ ଆମେରିକାର ପ୍ରଭାବ ରହିଥିବାରୁ ଏହା ଏକଚାଟିଆ ଭାବେ ପଦକ୍ଷେପ ନେଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ନାଗରିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ଅନେକ ନକାରାତ୍ମକ ଯୋଜନା ହାତକୁ ନେଇଛନ୍ତି । ବିଶେଷକରି ଆମେରିକାରେ ଏହାର ନାଗରିକଙ୍କୁ ଯେମିତି ଅଧିକ ନିଯୁକ୍ତି ସୁଯୋଗ ମିଳିବ, ସେଥିପାଇଁ ଭିସା ନୀତି କଠୋର କରାଯାଇଛି । ଭାରତ ଭଳି ଦେଶକୁ ମିଳୁଥିବା ଟିକସ ରିହାତି ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି । ଚୀନ୍‌ ସହ ବାଣିଜ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ କରିଛି ଆମେରିକା ।