ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଏବେ ଚରମ ସୀମାରେ। ଏମାନଙ୍କ ଉପରେ ଏବେ ସାରା ବିଶ୍ୱର ନଜର। ଏହି ସମୟରେ, ଇରାନକୁ ନିଜର ବନ୍ଧୁ ବୋଲି ଦାବି କରୁଥିବା ଚୀନ୍ ଇରାନ ଉପରେ ଆକ୍ରମଣ ସତ୍ତ୍ୱେ ନୀରବ ରହିଛି। ଇରାନ ଉପରେ ନିରନ୍ତର ଆକ୍ରମଣ ଏବଂ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ବି, ଚୀନ୍ ଏପର୍ଯ୍ୟନ୍ତ କେବଳ ଶାନ୍ତି ପାଇଁ ଆବେଦନ କରିଛି କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇନାହିଁ। ଏମିତିରେ ପ୍ରଶ୍ନ ଉଠୁଛି ଯେ, ଇରାନର ରଣନୈତିକ ସହଯୋଗୀ ବୋଲି ଦାବି କରୁଥିବା ଚୀନ୍ କାହିଁକି ଖୋଲାଖୋଲି ଭାବରେ ଇରାନକୁ ସମର୍ଥନ କରୁନାହିଁ।

ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ, ଚୀନ ପ୍ରଥମେ ଏହାର ଆର୍ଥିକ ସ୍ୱାର୍ଥକୁ ଦେଖିଥାଏ । ମଧ୍ୟପ୍ରାଚ୍ୟରୁ ଚୀନ୍ ତାର ଶକ୍ତି ଆବଶ୍ୟକତାର ଏକ ବଡ଼ ଅଂଶ ପୂରଣ କରେ, ଏବଂ ଇରାନ ତା ପାଇଁ ଶସ୍ତା ତେଲର ଏକ ପ୍ରମୁଖ ଉତ୍ସ ହୋଇଛି। ହେଲେବି ଚୀନ୍ ଇରାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନୁହେଁ, କାରଣ ସେ ରୁଷ ଏବଂ ଉପସାଗରୀୟ ଦେଶ ଗୁଡ଼ିକରୁ ମଧ୍ୟ ଯଥେଷ୍ଟ ପରିମାଣର ତେଲ କିଣେ। ତେଣୁ, ବେଜିଂ ଏପରି କୌଣସି ପଦକ୍ଷେପ ନେବାକୁ ଚାହୁଁନାହିଁ, ଯାହା ତେଲ ଯୋଗାଣ କିମ୍ବା ବିଶ୍ୱ ବାଣିଜ୍ୟକୁ ବାଧା ଦେଇପାରେ।

ଚୀନ୍ କାହିଁକି ଉତ୍ତେଜନା ହ୍ରାସ ପାଇଁ ଜିଦ୍ କରୁଛି ?

ଚୀନ୍ର ଚିନ୍ତା କେବଳ ଯୁଦ୍ଧ ବିଷୟରେ ନୁହେଁ, ବରଂ ତୈଳ ଯୋଗାଣ ମାର୍ଗ ବିଷୟରେ ମଧ୍ୟ। ଯଦି ହର୍ମୁଜ୍ ପ୍ରଣାଳୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ବାଧାପ୍ରାପ୍ତ ହୁଏ, ତେବେ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ, ଯାହା ସିଧାସଳଖ ଚୀନ୍ର ଅର୍ଥନୀତି ଏବଂ ଶିଳ୍ପ ଗୁଡ଼ିକୁ ପ୍ରଭାବିତ କରିବ। ଏହି କାରଣରୁ, ଚୀନ୍ ଏକ ସନ୍ତୁଳିତ ନୀତି ଅନୁସରଣ କରୁଛି ଏବଂ ଉତ୍ତେଜନା ହ୍ରାସ ବିଷୟରେ କଥା ହେଉଛି, କିନ୍ତୁ ସିଧାସଳଖ ସାମରିକ କିମ୍ବା ଆର୍ଥିକ ସମ୍ପୃକ୍ତିକୁ ଏଡ଼ାଉଛି।

ଇରାନର ଚୀନ୍ ଉପରେ ଅଧିକ ନିର୍ଭରଶୀଳତା...

ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଚୀନ୍-ଇରାନ୍ ସମ୍ପର୍କ ସମାନ ନୁହେଁ। ଇରାନ୍କୁ ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ କୂଟନୈତିକ ସମର୍ଥନ ପାଇଁ ଚୀନ୍ ଅଧିକ ଆବଶ୍ୟକ, ଯେତେବେଳେ ଚୀନ୍ ପାଖରେ ଅନେକ ଶକ୍ତି ବିକଳ୍ପ ଅଛି। ଏହି କାରଣରୁ ଚୀନ୍ ବର୍ତ୍ତମାନ ସତର୍କତାର ସହିତ ଆଗକୁ ବଢ଼ୁଛି। ଗୋଟିଏ ପଟେ, ଏହା ଯୁଦ୍ଧକୁ ବିରୋଧ କରୁଛି, ଅନ୍ୟପଟେ, ଏହା ନିଜର ଆର୍ଥିକ ସ୍ୱାର୍ଥକୁ ସୁରକ୍ଷା ଦେବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି।