ଭୁବନେଶ୍ୱର/ନୀଳଗିରି,୦୪/୦୬: ମରାଠା ବାଘୁଣୀ ‘ଯମୁନା’ ଶିମିଳିପାଳ ଯମୁନାଗଡ଼ ଏନ୍କ୍ଳୋଜରରୁ ଛଡ଼ାଗଲା । ହେଲେ ଶିମିଳିପାଳ ଜଙ୍ଗଲ ବାଘୁଣୀକୁ ରୁଚିଲାନି । ସିଧା ମଡି଼ଗଲା କୁଲଡିହା ଅଭୟାରଣ୍ୟ ଆଡ଼େ । ବେଶ୍ କିଛି ଦିନ ଏପାଖସେପାଖ ଚକ୍କର କାଟିବା ପରେ କୁଲଡିହାକୁ ନିଜ ବାସସ୍ଥାନ (ଟେଟିରୋରି) ବାଛିନେଲା । ୟା’ ଭିତରେ ଦେଢ଼ ବର୍ଷ ବିତିଗଲାଣି । ସାଥୀ ଗୋଟେ ମିଳିଲାନି । ନିସଙ୍ଗ ହୋଇ ରହିଛି । ଜଙ୍ଗଲରେ ଏକାକୀ ଘୁରି ବୁଲୁଛି ଯମୁନା ।
୨୦୨୪ ମସିହା ଶେଷ ବେଳକୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଲଡିହା ଅଭୟାରଣ୍ୟକୁ ଏହି ବାଘୁଣୀ ପଳାଇ ଆସିଥିଲା । ମହାବଳର ପାଦଚିହ୍ନ ଦେଖି ଜଙ୍ଗଲ ସୀମାନ୍ତ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ । ବାଘୁଣୀଟି କୁଲଡିହା ଅଭୟାରଣ୍ୟ ଜଡ଼ାଛୁଆ ବିଟ୍ ଓ ଚେମଚଟା ବିଟ୍ ଘଞ୍ଚ ଜଙ୍ଗଲରେ ଡେରା ପକାଇଲା । ଅଭୟାରଣ୍ୟରେ ଧୀରେ ଧୀରେ ଖାପ ଖୁଆଇବା ପରେ କୁଲଡିହା ବାସିନ୍ଦା ହୋଇଗଲା । ହରିଣ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ଶିକାର କଲା । ଜଙ୍ଗଲ ଭିତରକୁ ଯାଇଥିବା ଗୃହପାଳିତ ପଶୁଙ୍କୁ ମଧ୍ୟ ଝୁଣି ଖାଇଲା । ଶିମିଳିପାଳକୁ ଆଉ ଫେରିଲାନି ।
ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଯମୁନା ଉପରେ ପ୍ରଥମ ଦିନରୁ ତୀକ୍ଷ୍ମ ନଜର ରଖାଯାଇଥିଲା । କିନ୍ତୁ ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର୍ଟି ଏବେ କିଛି ଦିନ ଧରି ଖରାପ ହୋଇଯାଇଛି । ଯେଉଁଥି ପାଇଁ ବାଘୁଣୀର ପ୍ରକୃତ ଲୋକେସନ୍ ଟ୍ରାକ୍ କରାଯାଇ ପାରୁନି । ଶିମିଳିପାଳରେ ମରାଠା ବାଘୁଣୀ ଜିନ୍ନତ ମା’ ହେବା ପରେ ଯମୁନାର ଗତିବିଧି ଉପରେ ବନ କର୍ମଚାରୀମାନେ ନଜର ରଖୁଛନ୍ତି । ବାଘୁଣୀଟି କୁଲଡିହାରେ ହିଁ ଘୁରି ବୁଲୁଛି । ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବା ମୁତାବକ, ଯମୁନା ରହିବା ପରଠୁ ଥରେ କିମ୍ବା ଦୁଇଥର ମହାବଳଙ୍କ ଭୂସ୍ୱର୍ଗ ଶିମିଳିପାଳ (ଦକ୍ଷିଣ) ଆଡ଼େ ମୁହାଁଇଛି । ସେଠାରେ ଅଳ୍ପ କିଛି ସମୟ ବିତାଇବା ପରେ ପୁଣି କୁଲଡିିହାସ୍ଥିତ ନିଜ ଟେରିଟୋରିକୁ ଫେରିଆସିଛି । କୁଲଡିହା ଜଙ୍ଗଲକୁ ମହାବଳ ବାଘଙ୍କ ସେତେଟା ଚଳପ୍ରଚଳ ହୋଇ ନଥାଏ । ସେଥିପାଇଁ ଯମୁନାକୁ ଏଯାଏ ସାଥୀ ମିଳିନାହାନ୍ତି । ଯମୁନା ଏବେ ଏକା ଏକା ଘଞ୍ଚ ଜଙ୍ଗଲରେ ରହୁଛି ।
ଅଧିକ ପଢ଼ନ୍ତୁ:- ଶିମିଳିପାଳରୁ ଆସିଲା ଖୁସି ଖବର: ମା' ହେଲା ବାଘୁଣୀ ଜିନ୍ନତ, ଖୁସି ବ୍ୟକ୍ତ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ