ବାଲେଶ୍ୱର,୦୪/୦୬: ନାଲି ଶାଢ଼ୀ ପିନ୍ଧି କନିଆଁ ବାହାଘର ପାଇଁ ସଜେଇ ହୋଇଥିଲେ । ବର ବି ବାହା ହେବା ପାଇଁ ହାତରେ ନଡ଼ିଆ, ଖିଲିକାତି ଧରି ମନ୍ଦିରରେ ପହଞ୍ଚିଥିଲେ । ବିବାହ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଅଧା ବାହାଘର ସମୟରେ କୌଣସି କାରଣରୁ ବରର ମନ ପରିବର୍ତ୍ତନ ହୋଇଯାଇଥିଲା । ବାହା ବେଦି, କନିଆଁକୁ ଛାଡ଼ି ନିଜ ଘର ଲୋକଙ୍କ କଥାରେ ପଡ଼ି ଚାଲିଯାଇଥିଲେ ବର । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ସହରସ୍ଥ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିରରେ ଘଟିଛି ।
ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଲାବଣ୍ୟସ୍ମିତା ମହାନ୍ତ ଏବଂ କ୍ଷୀରୋଦ ମହାନ୍ତଙ୍କ ମଧ୍ୟରେ ୩ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୩ ମାସ ହେବ ଉଭୟ ପ୍ରେମୀ ଯୁଗଳ ଘର ଛାଡ଼ି ବାଲେଶ୍ୱର ସହର ଆସି ଏକ ଭଡ଼ାଘରେ ରହୁଥିଲେ । ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ହୋଇଥିବା ବେଳେ ବିଧି ଅନୁସାରେ ମନ୍ଦିରରେ ବିବାହ ଚାଲିଥିଲା । ଏହି ସମୟରେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିରକୁ ପଶି ବରର ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢ଼ନ୍ତୁ :- ମିଛମିଛିକା ସିନ୍ଦୂର, ଫୁଲମାଳ ପିନ୍ଦେଇ ବାହାଘର, ଶାରୀରିକ ସଂପର୍କ ରଖିବା ପରେ ଅସଲ ରୂପ ଦେଖାଇଲେ ଯୁବକ....
ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ । ଏଣୁ ବାହାଘର ସମୟରେ ବର ବିବାହ କରିବାକୁ ମନା କରିଦେଇଥିଲେ । କିନ୍ତୁ କନ୍ୟା ଲାବଣ୍ୟସ୍ମିତା ବିବାହ କରିବାକୁ ଜିଦ୍ ଧରିଥିଲେ । ତେବେ ସହଦେଖଖୁଣ୍ଟା ଥାନା ପୁଲିସ ବରକୁ ଅଟକ ରଖି ପଚରାଉଚୁରା କରୁଛି । ଝିଅ ଘରୁ ପାଦ କାଢିଲା ପରେ ପୁଣି କେମିତି ଅଧା ବିବାହରୁ ଘରକୁ ନେଇଯିବେ ସେନେଇ ଚିନ୍ତାରେ କନିଆଁଙ୍କ ପରିବାର । ଅନ୍ୟପଟେ ବରଙ୍କ ପରିବାର ପକ୍ଷରୁ ଏହି ବିବାହକୁ ଗ୍ରହଣ କରିବାକୁ ନାରାଜ । ଉଭୟ ପକ୍ଷଙ୍କୁ ଥାନାରେ ରଖି ପୁଲିସ ତଦନ୍ତ ଜାରି ରଖିଛି ।