ପୁରୀ ୦୪/୦୬: ରଥ ଯାତ୍ରା ଅବସରରେ ବଳଗଣ୍ଡି ନିକଟ ଏକ ଉଦ୍ୟାନରେ ଶ୍ରୀଚୈତନ୍ୟଙ୍କ ସହିତ ରାଜା ପ୍ରତାପରୁଦ୍ର ଦେବଙ୍କ ସାକ୍ଷାତ ହୋଇଥିଲା । ମହାରାଜା ସେତେବେଳେ ଗଜପତିଙ୍କ ପୋଷାକ ବଦଳରେ ଜଣେ ବୈଷ୍ଣବ ବେଶରେ ଥିଲେ ।
ରଥ ଯାତ୍ରାରେ ଶ୍ରୀଚୈତନ୍ୟ ଓ ତାଙ୍କ ଅନୁଗାମୀମାନେ ୭ଟି ଦଳରେ ବିଭକ୍ତ ହୋଇ ରଥ ସମ୍ମୁଖରେ ଭଜନକୀର୍ତ୍ତନ କରୁ ଥିଲେ । ସେମାନେ ଗୁଣ୍ଡିଚା ଘର ମାର୍ଜନା କରୁଥିଲେ । ଆଗେ ରଥ ଉପରେ ନ ହୋଇ ତଳେ ଅର୍ଥାତ୍ ରଥ ପଥରେ ମହାରାଜା ଛେରାପହଁରା କରୁଥିବା କବିରାଜ କୃଷ୍ଣ ଦାସଙ୍କ ରଚିତ ‘ଚୈତନ୍ୟ ଚରିତାମୃତ’ରେ ବର୍ଣ୍ଣନା ରହିଛି ।
ଏହା ହେଉଛି ୫ଶହ ବର୍ଷ ପ୍ରାଚୀନ ରଥଯାତ୍ରା କାଳୀନ ଦୃଶ୍ୟ । ସେତେବେଳେ ରଥ ସାଜସଜ୍ଜା ଅତି ଉଚ୍ଚ ମାନର ଥିଲା । ସତେ ଯେପରି ରଥରେ ସୁନା ଛାଉଣି ହୋଇଥିଲା । ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା ରଥ । ଉଜ୍ୱଳ ଦର୍ପଣ ଓ ଶହ ଶହ ଚାମର ଦ୍ୱାରା ରଥ ସଜ୍ଜିତ ହେଉଥିଲା । ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା । ଅଗ୍ରଭାଗରେ ସୁନ୍ଦର ପତାକା ଶୋଭାପାଉଥିଲା । ରଥ ଗୁଡ଼ିକୁ ପାଟବସ୍ତ୍ର ଓ ନାନା ପ୍ରକାର ଚିତ୍ର ଦ୍ୱାରା ସୁସଜ୍ଜିତ କରାଯାଉଥିଲା । ଘଣ୍ଟା, ଘଣ୍ଟି ଓ କିଙ୍କିଣି ଆଦି ବିଭିନ୍ନ ବାଦ୍ୟ ବାଜୁଥିଲା । ସେତେବେଳର ପହଣ୍ଡି ଏବେକା ଠାରୁ ଭିନ୍ନ ।
ରତ୍ନସିଂହାସନ ନିକଟରୁ ରଥ ପର୍ଯ୍ୟନ୍ତ ଭୂମିରେ ଉଚ୍ଚଗଦି ତଥା ତୁଳା ବିଛାଯାଉଥିଲା । ସେବକମାନେ ପହଣ୍ଡି କରି ଆଣିବା ସମୟରେ ଠାକୁରଙ୍କୁ ଗୋଟିଏ ଗଦିରୁ ଆଉ ଏକ ଗଦିକୁ ବିଜେ କରାଉଥିଲେ । ପହଣ୍ଡି ସମୟରେ ଉକ୍ତ ଗଦି ଫାଟି ତୁଳା ଆକାଶକୁ ଉଠି ଉଡ଼ୁଥିଲା । ଗଦି ଫାଟିବାରେ ପ୍ରଚଣ୍ଡ ଶଦ୍ଦ ମଧ୍ୟ ସୃଷ୍ଟି ହୁଏ । ବର୍ତ୍ତମାନ ଭଳି ଗଜପତି ରଥରେ ଛେରା ପହଁରା କରିବା ଭଳି ସେତେବେଳେ ନଥିଲା । ଗଜପତି ମହାରାଜା ରଥ ତଳେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ ପୂର୍ବକ ପଥରେ ଛେରା ପହଁରା କରୁଥିଲେ । ରଥ ଟଣାରେ ‘ଗୌଡ଼’ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ଏଥିସହ ହାତୀ ମଧ୍ୟ ରଥ ଟଣାରେ ନିୟୋଜିତ ହେଉଥିଲେ । ବଳଗଣ୍ଡି ନିକଟରେ ବେଶ ସମୟ ରଥ ରହୁଥିଲା । ବିପୁଳ ପରିମାଣର ଭୋଗ ସେଠାରେ ଠାକୁରଙ୍କୁ ଅର୍ପଣ ହେଉଥିଲା । ଏପରିକି ଉଦ୍ୟାନଗୁଡିକରେ ଭୋଗ ଲାଗୁଥିଲା । ବହୁ ଭକ୍ତଙ୍କ ସମେତ ଠାକୁର ରାଜା, ପାତ୍ରମନ୍ତ୍ରୀ ତଥା ସହରବାସୀ ବଳଗଣ୍ଡି ଠାରେ ଠାକୁରଙ୍କୁ ଭୋଗ ଅର୍ପଣ କରୁଥିଲେ ।