ତେହରାନ୍,୧୨/୦୪ ; ଆଗାମୀ କିଛି ସପ୍ତାହ ମଧ୍ୟରେ ଚୀନ୍ ଇରାନକୁ ନୂଆ ଏୟାରଡିଫେନ୍ସ ସିଷ୍ଟମ ଦେବାକୁ ପ୍ରସ୍ତୁତି କରୁଛି । ସିଏନ୍ଏନ୍ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ, ଇରାନ ବର୍ତ୍ତମାନର ଶାନ୍ତି ସ୍ଥିତିର ଫାଇଦା ନେଇ ନିଜ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ପୁଣି ସୁଦୃଢ଼ କରିବାକୁ ଉଦ୍ୟମ କରୁଛି । ସେଥିଲାଗି ଚୀନ୍ଠାରୁ ନୂଆ ଏୟାରଡିଫେନ୍ସ ସିଷ୍ଟମ କିଣିବାକୁ ଚାହୁଁଛି । ସେହିପରି ଚୀନ୍ ଇରାନକୁ ଏହି ଅସ୍ତ୍ରଶସ୍ତ୍ର ସିଧା ପଠାଇବ ନାହିଁ । ଅନ୍ୟ କୌଣସି ଦେଶ ମାଧ୍ୟମରେ ପଠାଇବାକୁ ଯୋଜନା ରହିଛି ଯେପରିକି ଇରାନକୁ ଏୟାରଡିଫେନ୍ସ ସିଷ୍ଟମ କେଉଁଠାରୁ ଆସୁଛି ତାହା ଜଣାପଡି଼ବ ନାହିଁ ।

ଆହୁରି ପଢନ୍ତୁ- ଚାପରେ ଆମେରିକୀୟ ସେନା, ୪୦ ଦିନ ଯୁଦ୍ଧରେ ପିଇଛି ୯.୫ ଲକ୍ଷ ଗ୍ୟାଲେନ୍ କଫି

ଚୀନ୍ ଇରାନକୁ ଯେଉଁ ଏୟାରଡିଫେନ୍ସ ସିଷ୍ଟମ ଦେବାକୁ ଯୋଜନା କରୁଛି ସେଥିମଧ୍ୟରେ ଆଣ୍ଟି ଏୟାର ମିସାଇଲ୍ ସିଷ୍ଟମ ମ୍ୟାନପ୍ୟାଡସ୍ ରହିଛି । ଏହା ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ୫ ସପ୍ତାହର ଯୁଦ୍ଧରେ କମ୍ ଉଚ୍ଚତାରେ ଉଡୁଥିବା ଆମେରିକୀୟ ସାମରିକ ବିମାନ ଲାଗି ଏକ ଅସମାହିତ ବିପଦ ସୃଷ୍ଟି କରିଥିଲା । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଯଦି ଚୀନ୍ ଇରାନକୁ ଏଭଳି ଏୟାରଡିଫେନ୍ସ ସିଷ୍ଟମ ଦିଏ ତେବେ ଏହା ଏକ ଉସ୍କାଇବା ଭଳି ପଦକ୍ଷେପ ହେବ । କାରଣ ଆମେରିକାଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ ଚୀନ୍ ମଧ୍ୟସ୍ଥତା କରିବାରେ ସହାୟତା କରିଥିଲା । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ଚୀନ୍ ଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି । ଏପରିସ୍ଥଳେ ଚୀନ୍ ଇରାନକୁ ଏୟାରଡିଫେନ୍ସ ପଠାଇବାକୁ ପ୍ରସ୍ତୁତି କରୁଥିବା ସଂପର୍କିତ ରିପୋର୍ଟ ଠିକ୍ ବୋଲି ଜଣାପଡ଼ିଲେ ଯାତ୍ରା ଉପରେ ତାର ପ୍ରଭାବ ପଡି଼ପାରେ ।