ନୂଆଦିଲ୍ଲୀ ୧୨/୦୪: ମଧ୍ୟପ୍ରାଚ୍ୟରେ ଗତ ୪୦ ଦିନରୁ ଜାରିଥିବା ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଏବେ ଥମିଛି । ଯୁଦ୍ଧବିରତି ଘୋଷଣା ହୋଇଛି, କିନ୍ତୁ ସ୍ଥିତି ଏବେ ବି ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇନାହିଁ । ବିଶ୍ୱ ଏହାକୁ ନେଇ ଚିନ୍ତିତ, କାରଣ ଯେକୌଣସି ମୁହୂର୍ତ୍ତରେ ପୁଣି ଥରେ ଯୁଦ୍ଧ ହୋଇପାରେ । ଲେବାନନ ଉପରେ ଆକ୍ରମଣ ଖବର ଜାରି ରହିଥିବା ବେଳେ ହୋର୍ମୁଜ ସ୍ଥିତି ବି ପୂର୍ବ ଭଳି ରହିଛି । ଇତିମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ବୟାନ ଦେଇଛନ୍ତି, ଆମେରିକୀୟ ସୈନ୍ୟ ଏବେ ବି ନିଜ ସୈନ୍ୟ ଠିକଣାରେ ଅଛନ୍ତି ଏବଂ ଯୁଦ୍ଧ ସ୍ଥିତି ପୂର୍ବ ଭଳି ରହିଛି । ସେ ସଙ୍କେତ ଦେଇଛନ୍ତି, କେବଳ ଗୋଟିଏ ଆଦେଶକୁ ଅପେକ୍ଷା, କାରଣ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇପାରେ । ଏହି ସ୍ଥିତିରେ ସବୁଠୁ ଅଧିକ ଚାପ ସୈନ୍ୟଙ୍କ ଉପରେ, ଯେଉଁମାନେ ହଜାର ହଜାର କିମି ଦୂରରେ ଅନିଶ୍ଚିତ ପରିସ୍ଥିତିରେ ମୁତୟନ ହୋଇଛନ୍ତି ।
ଆମେରିକୀୟ ସେନା କେତେ ଚାପ ଭିତରେ କାମ କରୁଛନ୍ତି, ଏକ ସଦ୍ୟ ରିପୋର୍ଟରୁ ସେ ବିଷୟରେ ଅନୁମାନ କରାଯାଇପାରେ । ପେଣ୍ଟାଗନ୍ରେ ଗତ ୮ ତାରିଖରେ ଏକ ପ୍ରେସ୍ ବିବୃତ୍ତି ହୋଇଥିଲା । ଏଥିରେ ଡାନ୍ କେନ୍ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତର ଦେଲେ । ‘ଅପରେସନ୍ ଏପିକ୍ ଫ୍ୟୁରି’ ସମୟରେ ସୈନ୍ୟଙ୍କ ଖର୍ଚ୍ଚ ଭରଣାର ତଥ୍ୟ ଶେୟାର କଲେ । ସେ କହିଲେ, ପ୍ରାୟ ୬ ସପ୍ତାହ ଧରି ଜାରି ଏହି ଅପରେସନ୍ରେ ଆମେରିକୀୟ ସେନା ୬୦ ଲକ୍ଷରୁ ଅଧିକ ମିଲ୍ ଖାଇଛନ୍ତି । ୯.୫ ଲକ୍ଷ ଗ୍ୟାଲନ୍ କଫି ପିଛନ୍ତି । ୨୦ ଲକ୍ଷ ଏନର୍ଜି ଡ୍ରିଙ୍କ ଏବଂ ବହୁ ପରିମାଣର ନିକୋଟିନ୍ ନେଇଛନ୍ତି । ନିରନ୍ତର ଉଚ୍ଚ ଚାପଯୁକ୍ତ ପରିବେଶରେ ନିଜକୁ ସତର୍କ ଓ ସକ୍ରିୟ ରଖିବା ପାଇଁ ସେନାକୁ କି କି ଜିନିଷର ସାହାଯ୍ୟ ନେବାକୁ ପଡ଼ିଲା, ଏହି ତଥ୍ୟ ତାହା ମଧ୍ୟ ଦର୍ଶାଇଛି । ୯.୫ ଲକ୍ଷ ଗ୍ୟାଲନ୍ କଫି ପ୍ରାୟ ୭୬ ଲକ୍ଷ କପ୍ ସହ ସମାନ । ଅର୍ଥାତ୍ ଯଦି ମିନିଟ୍କୁ ୧ କପ୍ କଫି ପିଆଯାଏ, ତେବେ ୭୬ ଲକ୍ଷ କପ୍ କଫିକୁ ଶେଷ କରିବାକୁ ୧୪ ବର୍ଷରୁ ଅଧିକ ସମୟ ଲାଗିବ । ଏଥିରୁ ଅନୁମାନ କରାଯାଇପାରେ ଯେ ଏହି ଅପରେସନ୍ରେ ଆମେରିକୀୟ ସୈନ୍ୟଙ୍କ ପାଇଁ କ୍ୟାଫିନ୍ କୌଣସି ଇନ୍ଧନଠୁ କମ୍ ନ ଥିଲା ।
ପ୍ରେସ୍ ବିବୃତ୍ତିରେ ଜେନେରାଲ କେନ୍ କହିଲେ, ଅତ୍ୟନ୍ତ କଠିନ ପରିସ୍ଥିତିରେ ଏହି ଅପରେସନ୍ ପରିଚାଳିତ ହେଲା । ବିଶୃଙ୍ଖଳା, ଗରମ, ଅନ୍ଧକାର ଓ ଅନିଶ୍ଚିତତା ଭଳି ସ୍ଥିତି ଥିଲା ଏବଂ ପାଦେ ପାଦେ ବିପଦର ଭୟ ଥିଲା । ଯୁଦ୍ଧବିରତି ପରେ ମଧ୍ୟ ଆମେରିକୀୟ ସାମରିକ ଘାଟିମାନଙ୍କରେ ସୈନ୍ୟ ସଜାଗ ରହିଛନ୍ତି ।
ଆହୁରି ପଢ଼ନ୍ତୁ...'ଜାହାଜରେ ସବୁଠୁ ଭଲ ଗୋଳା ବାରୁଦ ଲୋଡ୍ କରୁଛୁ ...', ଇରାନକୁ ଧମକ ଦେଲେ ଟ୍ରମ୍ପ ?