PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଭାରତ ପ୍ରତି ମାଡ଼ିଆସୁଛି ବିପଦ: ସୀମାରେ ସାମରିକ ଶକ୍ତି ବଢ଼ାଉଛି ଚୀନ

source:nationalinterest.org

ନୂଆଦିଲ୍ଲୀ,୧୪ ।୨(ଏଜେନ୍ସି): ଭାରତ ସଂଲଗ୍ନ ସୀମାରେ ଚୀନ୍‌ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନିକଟରେ ଭାରତୀୟ ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନା ଅନୁସାରେ, ଚୀନ୍‌ ତିକ୍ରତରେ ଅତ୍ୟାଧୁନିକ ବିମାନଘାଟି ନିର୍ମାଣ କରିବା ସହିତ ମିସାଇଲ ବେସ୍‌ ବି ସ୍ଥାପନ କରିଛି ।
ରିପୋର୍ଟ ଅନୁଯାୟୀ, ଚୀନ୍‌ ତିକ୍ରତର ଗୋଙ୍ଗା ଅଞ୍ଚଳରେ ଥିବା ଏକ ବେସାମରିକ ବିମାନଘାଟିର ଆଧୁନିକୀକରଣ କରୁଛି । ଚୀନ୍‌ର ସେନା ନିଜେ ଏହି ଆଧୁନିକୀକରଣ କାର୍ଯ୍ୟ କରୁଛି । ଗୋଙ୍ଗା ଭାରତର ସୀମା ନିକଟରେ ଥିବାରୁ ଚୀନ୍‌ର ଏହି ପଦକ୍ଷେପକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଚୀନ୍‌ ମଧ୍ୟ ଦକ୍ଷିଣ ତିକ୍ରତର ବୁରାଙ୍ଗ, ଲୁଜନେ ଏବଂ ଟିଙ୍ଗରି ଅଞ୍ଚଳରେ ଆଉ ତିନୋଟି ବିମାନଘାଟି ନିର୍ମାଣ କରିବାକୁ ଯୋଜନା କରିଛି । ପ୍ରୋଜେକ୍ଟ ‘ ଥ୍ରୀ ପ୍ଲସ ୱାନ’ ଅଧୀନରେ ନିର୍ମାଣ କରାଯାଉଥିବା ଏହି ବିମାନଘାଟିଗୁଡିକ ୨୦୨୧ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଚୀନ୍‌ ଏଥିପାଇଁ ୨.୬ ବିଲିୟନ ଡଲାର ବ୍ୟୟ କରିବ ।
ଖାଲି ସେତିକି ନୁହେଁ, ଚୀନ୍‌ ମଧ୍ୟ ଭାରତ ସଂଲଗ୍ନ ସୀମାରେ ନୂଆ ସେନା କ୍ୟାମ୍ପ ନିର୍ମାଣ କରିବା ସହିତ ଅରୁଣାଚଳ ପ୍ରଦେଶ ଠାରୁ ୯୦୦ କିମି ଦୂରରେ ଅବସ୍ଥିତ ୟୁକ୍ସିରେ ଏକ ଗାଇଡେଡ୍‌ ମିସାଇଲ ୟୁନିଟ ସ୍ଥାପନ କରିଛି । ଚୀନ୍‌ ଏଠାରେ ନିଜ ରକେଟ ଫୋର୍ସର ୬୨୨ତମ ବ୍ରିଗେଡକୁ ମୁତୟନ କରିଛି । ଏହି ବ୍ରିଗେଡ ଗାଇଡେଡ୍‌ ମିସାଇଲ ପରିଚାଳନା କରିଥାଏ । ଚୀନ୍‌ ୟୁକ୍ସିରେ ମଧ୍ୟମ- ଦୂରଗାମୀ ମିସାଇଲ ମୁତୟନ କରିଥିବାର ସୂଚନା ମିଳିଛି ।
ଭାରତ ସଂଲଗ୍ନ ସୀମା ଚୀନ୍‌ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଆସୁଛି । ଚୀନ୍‌ ଭାରତକୁ ଟକ୍କର ଦେବା ଲକ୍ଷ୍ୟରେ ଏହି କମାଣ୍ଡର ବ୍ୟାପକ ଆଧୁନିକୀକରଣ କରିଛି । କିନ୍ତୁ ଭାରତ ସଂଲଗ୍ନ ସୀମାରେ ଚୀନ୍‌ ଦ୍ୱାରା ମିସାଇଲ ବେସ୍‌ ନିର୍ମାଣ କରାଯିବାର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରିନାହିଁ । ଭାରତର ସୁରକ୍ଷା ଏଜେନ୍ସି ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଇଛି ।
ସେହିପରି ଆଉ ଏକ ରିପୋର୍ଟ ଅନୁଯାୟୀ, ଚୀନ୍‌ ସେନା ଭାରତର ଲଦାଖ ସଂଲଗ୍ନ ପାଙ୍ଗୋଙ୍ଗ ଟିସୋ ହ୍ରଦରେ ମଧ୍ୟ ଅତି ଦ୍ରୁତ ଗତିରେ ଯାଇପାରୁଥିବା ପାଟ୍ରୋଲିଂ ବୋଟ ମୁତୟନ କରିଛି । ଏହି ଅଞ୍ଚଳରେ ମଧ୍ୟ ଚୀନ୍‌ ସେନାର ନିଜର ଏକ ସ୍ପେଶାଲ ୱାଟର ସ୍କ୍ୱାଡ୍ରନ ‘ଝୋଙ୍ଗ ଡୁଇ’କୁ ମୁତୟନ କରିଛି । ସୀମାବର୍ତ୍ତୀ ଅଞ୍ଚଳରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ପଇଂତରା ମାରିବାରେ ଏହା ସକ୍ଷମ ଅଟେ । ତା’ଛଡା ଯୁଦ୍ଧ ସମୟରେ ଚୀନ୍‌ ନିଜର ଏହି ସ୍କ୍ୱାଡ୍ରନକୁ ବ୍ୟବହାର କରି ଅତି କମ ସମୟରେ ସୈନ୍ୟ ପ୍ରେରଣ କରିପାରେ ।
ଏସବୁ ଘଟଣା ଉପରେ ମତ ଦେଇ ଭାରତର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି କି ଭାରତ ଏ ସମସ୍ତ ବିଷୟରେ ଅବଗତ ଅଛି । ଭାରତର ସେନା ଚୀନ୍‌ର ହରକତ ଉପରେ ପୂରା ନଜର ରଖିଛନ୍ତି ଏବଂ ଏହାର ସମ୍ମୁଖୀନ ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ସମ୍ବନ୍ଧିତ ଖବର