ନୂଆଦିଲ୍ଲୀ, ୨୨/୦୫: ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତ ଦ୍ରୁତ ବେଗରେ ଆଗକୁ ବଢୁଛି । କିନ୍ତୁ ଚୀନ୍ ଏହାକୁ ହଜମ କରିପାରୁନାହିଁ । ଭାରତର ରାସ୍ତାରେ ସର୍ବଦା କଣ୍ଟା ହେବା ପାଇଁ ଏହା ଯଥାସମ୍ଭବ ପ୍ରୟାସ କରୁଛି । ଯୋଗାଣ ଶୃଙ୍ଖଳ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଛି ଚୀନ୍, ଯାହାଦ୍ୱାରା ଭାରତର ‘ଗ୍ଲୋବାଲ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ହବ୍’ ପାଲଟିବାର ସ୍ୱପ୍ନ ଚୂରମାର ହୋଇପାରେ ।
ଏକ ରିପୋର୍ଟ ଅନୁସାରେ, ଭାରତୀୟ କମ୍ପାନିଗୁଡ଼ିକ ଏବେ ସରକାରଙ୍କ ଆଗରେ ସହାୟତାର ଗୁହାର କରିଛନ୍ତି । ଚୀନ୍ ନିଜର ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ କରିବା ପାଇଁ ଏପ୍ରିଲରେ ଅନେକ ପ୍ରକାର କଟକଣା ଲଗାଇଥିଲା । ଏହାସହିତ ଚୀନ୍ ବାହାରକୁ ଉତ୍ପାଦନ ସ୍ଥାନାନ୍ତର କରୁଥିବା କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ବି ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ କରିଛି । ଏହାଦ୍ୱାରା ଆଇଫୋନ୍ ପ୍ରସ୍ତୁତକାରୀ କମ୍ପାନି ଆପଲ୍ ଭଳି ଶୀର୍ଷ ବ୍ରାଣ୍ଡ ଏବଂ ଭାରତରେ ଏମାନଙ୍କ ଯୋଗାଣକାରୀ ପ୍ରଭାବିତ ହୋଇପାରନ୍ତି । ଏହାସହିତ ଚୀନି କମ୍ପାନିଗୁଡ଼ିକ ସହ ଯୌଥ ଉଦ୍ୟୋଗ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ କମ୍ପାନିଗୁଡ଼ିକୁ ବି ଏହାଦ୍ୱାରା ଝଟ୍କା ଲାଗିଛି । ଆପଲ ଏ ନେଇ କୌଣସି ସୂଚନା ଦେଇନାହିଁ ।
ସୂତ୍ର ଅନୁସାରେ, ମାମଲାର ଗମ୍ଭୀରତାକୁ ଦେଖି ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିଳ୍ପ ସରକାରଙ୍କ ଆଗରେ ତତ୍କାଳ ସହାୟତା ପାଇଁ ଗୁହାର କରିଛି । ଶିଳ୍ପର କହିବାନୁସାରେ, ଚୀନ୍ର କଟକଣା ଫଳରେ ଯୋଗାଣ ଶୃଙ୍ଖଳରେ ସ୍ଥିରତା, ନିବେଶ ଏବଂ ରପ୍ତାନି ଅଭିବୃଦ୍ଧି ପ୍ରଭାବିତ ହେବ । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସରକାର ଏହାକୁ ନେଇ ଅବଗତ ଅଛନ୍ତି ଏବଂ ଶିଳ୍ପ ସହ ବିଚାର ବିମର୍ଶ କରିବା ପରେ ଯଥାସମ୍ଭବ ପ୍ରୟାସ କରାଯିବ ।
ଅଧିକ ପଢ଼ନ୍ତୁ :- WhatsApp ପ୍ରେମୀଙ୍କ ପାଇଁ ବଡ଼ ଖବର: ପଢ଼ିବା ମାତ୍ରେ ଡିଲିଟ୍ ହୋଇଯିବ ମେସେଜ୍, ଆସୁଛି ଦମଦାର୍ ଫିଚର୍ !
ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ଭାରତ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରୁଛି ଏବଂ ଆମଦାନି ଉପରେ ନିର୍ଭରତା କମାଉଛି । କିନ୍ତୁ ବିନିର୍ମାଣକୁ ଜାରି ରଖିବା ଏବଂ ରପ୍ତାନି ପାଇଁ ଚୀନ୍ରୁ ଯନ୍ତ୍ରାଂଶ, ଆସେମ୍ବି୍ଜ୍ ଏବଂ କ୍ୟାପିଟାଲ ଇକ୍ୱିପ୍ମେଣ୍ଟର ଆମଦାନି ଅତ୍ୟନ୍ତ ଜରୁରୀ । କିନ୍ତୁ ଚୀନ୍ ଏଥିରେ ଅନେକ ପ୍ରକାର କଟକଣା ଲଗାଇଦେଇଛି । ଏହା ଅନ୍ତର୍ଗତ ଯେଉଁ କମ୍ପାନି ନିଜର ଯୋଗାଣ ଶୃଙ୍ଖଳ ଭାରତ ସ୍ଥାନାନ୍ତର କରିଦେଇଛନ୍ତି କିମ୍ବା କରିବା ପାଇଁ ଯୋଜନା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଫଳରେ ଚୀନ୍ରୁ ସପ୍ଲାଏ ଚେନ୍ ସ୍ଥାନାନ୍ତର କରୁଥିବା କମ୍ପାନିଗୁଡ଼ିକର ସମସ୍ୟା ବଢ଼ିବ । ଭାରତ ଉପରେ କଠୋର ଏବଂ ଭିଏତନାମ ଉପରେ ଚୀନ୍ କୋହଳ ମନୋଭାବ ପୋଷଣ କରିପାରେ ବୋଲି ଅନୁମାନ ରହିଛି । ଚୀନ୍ ଯୋଗାଣ ଶୃଙ୍ଖଳ ଉପରେ କଟକଣା ଲଗାଇବା ସହ ନିୟାମକଗୁଡ଼ିକର ଅଧିକାର ବଢ଼ାଇଛି ।
ବିନିର୍ମାଣ କ୍ଷେତ୍ରରେ ନିବେଶ ବଢ଼ାଇବା ପାଇଁ ଭାରତ ଅନେକ ନିୟମ କୋହଳ କରିଛି । ଏଭଳି ସମୟରେ ଚୀନ୍ର ଏ ଆଭିମୁଖ୍ୟ ଦେଶର ବିନିର୍ମାଣ ଇକୋସିଷ୍ଟମ୍କୁ ଅବ୍ୟବସ୍ଥିତ କରିପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।