ନୂଆଦିଲ୍ଲୀ, ୨୨।୫: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ନିଜ ଗ୍ରାହକମାନଙ୍କ ସୁରକ୍ଷା ଓ ପ୍ରାଇଭେସିକୁ ଅଧିକ ମଜବୁତ କରିବା ପାଇଁ ସଦାସର୍ବଦା ନୂଆ ନୂଆ ଫିଚର ଆଣିଥାଏ । ଏହି କ୍ରମରେ କମ୍ପାନୀ ଏବେ ଏକ ଅତି ଚମତ୍କାର ପ୍ରାଇଭେସି ଫିଚର୍ ଉପରେ କାମ କରୁଛି, ଯାହା ଉପଭୋକ୍ତାଙ୍କ ଚାଟିଂ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । ବିଭିନ୍ନ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ଏକ ନୂଆ 'ଆଫ୍ଟର ରିଡିଂ' ଡିସଅପିୟରିଂ ମେସେଜ୍ ମୋଡ୍‌ର ଟେଷ୍ଟିଂ କରୁଛି । ବର୍ତ୍ତମାନ ଏହି ଫିଚରକୁ ଆଇଫୋନର ବିଟା ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ କରାଇ ଦିଆଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ନୂଆ ଫିଚରଟି ହ୍ୱାଟ୍ସଆପ୍‌ରେ ପୂର୍ବରୁ ଥିବା ଡିସଅପିୟରିଂ ମେସେଜ୍ ଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଏହାର କାମ କରିବା ଶୈଳୀ ମଧ୍ୟ ବେଶ୍ ଭିନ୍ନ । ଆସନ୍ତୁ ଜାଣିବା ଏହି ଫିଚର୍ କିପରି କାମ କରିବ ଏବଂ ଏହା ଦ୍ୱାରା ୟୁଜର୍ସମାନେ କିଭଳି ଉପକୃତ ହେବେ । 

କେମିତି କାମ କରିବ ଏହି 'ଆଫ୍ଟର ରିଡିଂ' ଅପ୍ସନ ?

ହ୍ୱାଟ୍ସଆପ୍ ଏହି ନୂଆ ବିକଳ୍ପ ଜରିଆରେ ଡିସଅପିୟରିଂ ମେସେଜ୍ ଉପରେ ପ୍ରାଇଭେସିର ଆଉ ଏକ ନୂଆ ସ୍ତର ଯୋଡ଼ିବାକୁ ଯାଉଛି । ନୂଆ ଅପ୍ସନ ଅନୁଯାୟୀ, ମେସେଜ୍ ଟାଇମର୍ ସେଟ୍ କରିବା ସମୟରେ ୟୁଜର୍ସ 'ମେସେଜ୍ ପଢ଼ିବାର ସଙ୍ଗେ ସଙ୍ଗେ ଗାୟବ ହେବା' ବିକଳ୍ପକୁ ବାଛିପାରିବେ । ଏହା ବ୍ୟତୀତ ବ୍ୟବହାରକାରୀଙ୍କୁ ୫ ମିନିଟ୍, ୧ ଘଣ୍ଟା ଏବେ ୧୨ ଘଣ୍ଟା ଭଳି ସମୟ ସେଟ୍ କରିବାର ସୁଯୋଗ ମଧ୍ୟ ମିଳିବ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ମେସେଜ୍‌କୁ ପଢ଼ୁନାହାଁନ୍ତି, ତେବେ ଏହା ୨୪ ଘଣ୍ଟା ପରେ ଆପେ ଆପେ ଡିଲିଟ୍ ହୋଇଯିବ । ଏହି ଫିଚରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହାର ଟାଇମର୍ ସେତେବେଳେ ଆରମ୍ଭ ହେବ ଯେତେବେଳେ ସାମ୍ନା ବ୍ୟକ୍ତି ମେସେଜ୍‌ଟିକୁ ଦେଖିବେ ବା ପଢ଼ିବେ । ଏହି ଫିଚରକୁ ବ୍ୟକ୍ତିଗତ ଚାଟ୍ ସହିତ ଗ୍ରୁପ୍ ଚାଟ୍‌ରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା କେବଳ ୟୁଜରଙ୍କ ସୁରକ୍ଷା ଓ ଗୋପନୀୟତାକୁ ବଢ଼ାଇବ ନାହିଁ, ବରଂ ଫୋନର ଷ୍ଟୋରେଜ୍ ବଞ୍ଚାଇବାରେ ମଧ୍ୟ ବେଶ୍ ସହାୟକ ହେବ ।

ପୂର୍ବ ଡିସଅପିୟରିଂ ମେସେଜ୍ ଠାରୁ ଏହା କେମିତି ଅଲଗା ?

ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ଯେଉଁ ଡିସଅପିୟରିଂ ମେସେଜ୍ ଅପ୍ସନ ଅଛି, ସେଥିରେ ୟୁଜର୍ସ ୨୪ ଘଣ୍ଟା, ୭ ଦିନ ଏବଂ ୯୦ ଦିନର ସମୟ ସୀମା ସେଟ୍ କରିପାରୁଛନ୍ତି । କିନ୍ତୁ ସେହି ସମୟ ସୀମା ମେସେଜ୍ ପଠାଇବା ମାତ୍ରେ ହିଁ ଆରମ୍ଭ ହୋଇଯାଏ, ସାମ୍ନା ବ୍ୟକ୍ତି ମେସେଜ୍ ପଢନ୍ତୁ ବା ନ ପଢ଼ନ୍ତୁ । ମାତ୍ର ନୂଆ 'ଆଫ୍ଟର ରିଡିଂ' ମୋଡ୍‌ରେ ମେସେଜ୍ ପଢ଼ିବା ପରେ ହିଁ ଟାଇମର୍ କାମ କରିବ ।

କେବେ ସୁଦ୍ଧା ଆସିବ ଏହି ଫିଚର୍ ?

ହ୍ୱାଟ୍ସଆପ୍ ଏହି ଫିଚରକୁ ଆଇଫୋନ୍ ବିଟା ଟେଷ୍ଟରଙ୍କ ପାଇଁ ରୋଲ୍ ଆଉଟ୍ କରିସାରିଛି । ଖୁବଶୀଘ୍ର ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ଏହାର ଟେଷ୍ଟିଂ ଆରମ୍ଭ ହେବାକୁ ଯାଉଛି । ଆଶା କରାଯାଉଛି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ସମସ୍ତ ସାଧାରଣ ଉପଭୋକ୍ତାଙ୍କ ପାଇଁ ଲଞ୍ଚ ହୋଇଯିବ ।

​​​​​​​

ହ୍ୱାଟ୍ସଆପ୍‌ର ପେଡ୍ ସବସ୍କ୍ରିପସନ ‘WhatsApp Plus’ ର ଅପେକ୍ଷା ମଧ୍ୟ ହେବ ଶେଷ !

ଏହି ଚମତ୍କାର ପ୍ରାଇଭେସି ଫିଚର୍ ସହିତ ହ୍ୱାଟ୍ସଆପ୍ ନିଜର ଏକ ପେଡ୍ ସବସ୍କ୍ରିପସନ ପ୍ଲାନ୍ 'WhatsApp Plus' ର ମଧ୍ୟ ଟେଷ୍ଟିଂ କରୁଛି । ୟୁରୋପର କେତେକ ପ୍ରମୁଖ ଅଞ୍ଚଳରେ ଏହାର ପ୍ରାରମ୍ଭିକ ରୋଲ୍ ଆଉଟ୍ କରାଯାଇଛି । କମ୍ପାନୀ ଆଗାମୀ ଦିନରେ ଏହି ପେଡ୍ ସବସ୍କ୍ରିପସନରେ ଆହୁରି ଅନେକ ଆକର୍ଷଣୀୟ ଓ ପ୍ରିମିୟମ୍ ଫିଚର୍ସ ଯୋଡ଼ିବାକୁ ଯାଉଛି ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ... ମୋବାଇଲର କିସ୍ତିରେ ଖିଲାପ କଲେ ଫୋନ୍‌କୁ କଣ୍ଟ୍ରୋଲ କରିପାରେ ବ୍ୟାଙ୍କ୍ : RBI ର ନୂଆ ନିୟମ