ତେହେରାନ: ଇରାନ- ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଚୀନ୍ ନିଜର ସମସ୍ତ ନାଗରିକଙ୍କୁ ଯଥାଶୀଘ୍ର ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। ଆମେରିକାର ସମ୍ଭାବ୍ୟ ସାମରିକ ଆକ୍ରମଣ ଏବଂ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅସ୍ଥିରତା କାରଣରୁ ବେଜିଂ ଏହି ଜରୁରୀକାଳୀନ ଆଡଭାଇଜରି ଜାରି କରିଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏବଂ ଇରାନରେ ଥିବା ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ବାହ୍ୟ ସୁରକ୍ଷା ବିପଦ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ସେଠାରେ ରହୁଥିବା ଚୀନ୍ ନାଗରିକମାନେ ନିଜର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବାଣିଜ୍ୟିକ ବିମାନ କିମ୍ବା ସ୍ଥଳପଥ ଦେଇ ତୁରନ୍ତ ଦେଶ ଛାଡ଼ିବା ଉଚିତ୍। ଏଥିସହିତ ସାଧାରଣ ନାଗରିକଙ୍କୁ ବର୍ତ୍ତମାନ ଇରାନ ଯାତ୍ରା ନକରିବାକୁ ମଧ୍ୟ ବାରଣ କରାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ରମଜାନ ମାସରେ କାହିଁକି ମୁସଲିମ୍ ଦେଶଙ୍କୁ ଟାର୍ଗେଟ୍ କରୁଛି ଆମେରିକା ? ଟ୍ରମ୍ପଙ୍କ ଉପରେ ବର୍ଷିଲେ ୟୁଏସ୍ ସାଂସଦ
ଏହି ସମୟରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏବଂ ଇରାନ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ନିକଟରେ ଜେନିଭାରେ ହୋଇଥିବା ଆଲୋଚନା କୌଣସି ସ୍ପଷ୍ଟ ନିଷ୍କର୍ଷରେ ପହଞ୍ଚି ପାରିନାହିଁ। ଏହାର ମୁଖ୍ୟ କାରଣଗୁଡ଼ିକ ହେଉଛି - ଆମେରିକାର ସାମରିକ ପ୍ରସ୍ତୁତି। ଆମେରିକା ପକ୍ଷରୁ ପାରସ୍ୟ ଉପସାଗର ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରାଯାଇଛି। ଆମେରିକା ଦାବି କରୁଛି ଯେ ଇରାନ ଗୁପ୍ତ ଭାବେ ୟୁରାନିୟମ ସମୃଦ୍ଧ କରୁଛି, ଯାହାକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି।
ଏହି ସମୟରେ ଆମେରିକା ମଧ୍ୟ ଇସ୍ରାଏଲରୁ ନିଜର ଅଣ-ଜରୁରୀ ଦୂତାବାସ କର୍ମଚାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି, ଯାହା ଏକ ବଡ଼ ସଂଘର୍ଷର ସଂକେତ ବୋଲି ମନେକରାଯାଉଛି। ଚୀନ୍ ଦୂତାବାସ ପକ୍ଷରୁ ସେଠାରେ ଫସିଥିବା ନାଗରିକଙ୍କୁ ସ୍ଥଳପଥରେ ଆର୍ମେନିଆ କିମ୍ବା ତୁର୍କୀ ଦେଇ ବାହାରିବାକୁ ବିକଳ୍ପ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି।
ଉଲ୍ଲେଖନୀୟ ଯେ, କେବଳ ଚୀନ୍ ନୁହେଁ, ଅନ୍ୟାନ୍ୟ ଅନେକ ଦେଶ ମଧ୍ୟ ନିଜ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇରାନରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିବାରୁ ଭାରତ ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେବାର ମଧ୍ୟ ଆଶଙ୍କା ରହିଛି।