ପୁଲୱାମା ଆକ୍ରମଣ: ଚୀନ୍ ରୋକିଥିଲା ଜାତିସଂଘ ନିନ୍ଦା ପ୍ରସ୍ତାବ

ନୂଆଦିଲ୍ଲୀ,୨୨ ।୨(ଏଜେନ୍ସି): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଏକ ସପ୍ତାହ ପରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସସି) କଡା ଶବ୍ଦରେ ଏହାକୁ ନିନ୍ଦା କରିଛି । ଗତକାଲି ଏ ସଂକ୍ରାନ୍ତରେ ୟୁଏନ୍ଏସସି ଏକ ବୟାନ ଜାରି କରିଛି । କିନ୍ତୁ ୟୁଏନ୍ଏସସିର ଏହି ବୟାନକୁ ରୋକିବା ଲାଗି ଚୀନ୍ ପୁରାଦମ୍ରେ ଲାଗିପଡିଥିଲା । କେବଳ ଚୀନ୍ର ବିରୋଧ ଯୋଗୁ ୧୫ ସଦସ୍ୟ ବିଶିଷ୍ଟ ୟୁଏନ୍ଏସସି ପୁଲୱାମା ଆକ୍ରମଣ ଉପରେ ନିନ୍ଦା ବୟାନ ଜାରି କରିବା ଲାଗି ଏକ ସପ୍ତାହ ବିଳମ୍ବ ହୋଇଥିଲା ବୋଲି ଜଣାପଡିଛି ।
କେବଳ ଏତିକି ନୁହେଁ ୟୁଏନ୍ଏସସି ବୟାନର ବିଷୟବସ୍ତୁକୁ ଚୀନ୍ ଦୁର୍ବଳ କରିବାକୁ ଲାଗିଥିଲା ବେଳେ ଏହା ଯେଭଳି ଜାରି କରାଯାଇ ନପାରି ସେଥିପାଇଁ ପାକିସ୍ତାନ ମଧ୍ୟ ସବୁ ବଳ ଖଟାଇ ଲାଗିପଡିଥିଲା । କିନ୍ତୁ ଆମେରିକାର ପ୍ରବଳ ଚାପ ଯୋଗୁ ସବୁ ସଦସ୍ୟ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ । ଗତକାଲି ପୁଲୱାମା ଆକ୍ରମଣକୁ ୟୁଏନ୍ଏସସି ଅତ୍ୟନ୍ତ ଜଘନ୍ୟ ଓ କାପୁରୁଷର କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲା । ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ-ମହମ୍ମଦ ସମ୍ପର୍କରେ ଉଲ୍ଲେଖ କରିବା ସହ ୟୁଏନ୍ଏସସି ଏହି ଆକ୍ରମଣରେ ସମ୍ପୃକ୍ତ ସବୁ ଦୋଷୀଙ୍କୁ ଆଇନ ପରିସରଭୁକ୍ତ କରି କଠୋର ଦଣ୍ଡ ଦେବାକୁ କହିଥିଲା । ଏ କ୍ଷେତ୍ରରେ ଭାରତକୁ ସବୁ ସଦସ୍ୟ ରାଷ୍ଟ୍ର ସହଯୋଗ କରିବାକୁ ୟୁଏନ୍ଏସସି କହିଛି । ଏହାକୁ ଉଭୟ ପାକିସ୍ତାନ ଓ ଚୀନ୍ ପାଇଁ ଶକ୍ତ ଝଟ୍କା ଓ ଭାରତ ପାଇଁ କୂଟନୈତିକ ବିଜୟ ବୋଲି କୁହାଯାଉଛି । କାରଣ ଭାରତର ଭାଷାରେ ହିଁ ସୁରକ୍ଷା ପରିଷଦ ଆତଙ୍କବାଦକୁ ନିନ୍ଦା କରିଛି । ଯାହାକି ଇତିହାସରେ ପ୍ରଥମ କରି ଏଭଳି ଘଟିଛି । ବୟାନ ଜାରି କରିବା ପୂର୍ବରୁ ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧି ୟୁଏନ୍ଏସସି ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ମାତ୍ର ତାଙ୍କର ଉଦ୍ଦେଶ୍ୟ ଫଳପ୍ରଦ ହୋଇପାରି ନଥିଲା ।
ୟୁଏନ୍ଏସସିରେ ୧୫ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ଅଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲୱାମା ଆକ୍ରମଣକୁ ନେଇ ଜାତିସଂଘରେ ପ୍ରାୟ ଏକ ସପ୍ତାହ ହେଲା ବାଦ ବିବାଦ ଲାଗି ରହିଥିଲା । ୧୪ ତାରିଖରେ ପୁଲୱାମା ଆକ୍ରମଣ ଘଟଣା ପରେ ୟୁଏନ୍ଏସସି ପକ୍ଷରୁ ନିନ୍ଦା ବୟାନ ଗତ ୧୫ ତାରିଖରେ ଜାରି ହେବାର ଥିଲା । ସେହିଦିନ ଚୀନ୍କୁ ବାଦ୍ ଦେଇ ଅନ୍ୟ ୧୪ ସଦସ୍ୟ ରାଷ୍ଟ୍ର ବୟାନ ଜାରି କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ମାତ୍ର ଚୀନ ଦିନ ଗଡାଇବା ସହ ୧୮ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା । କେବଳ ଏତିକି ନୁହେଁ, ସେଥିରେ ଦୁଇଥର ମଧ୍ୟ ଚୀନ୍ ପରିବର୍ତ୍ତନ କରିଥିଲା । ତା’ଛଡା ଆତଙ୍କବାଦୀ ଶବ୍ଦ ବ୍ୟବହାର ନକରିବାକୁ କହିଥିଲା । ଏହି ବୟାନକୁ ଟାଳିବା ଥିଲା ଚୀନ୍ର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଏଥିରେ ସେ ସଫଳ ହୋଇପାରି ନଥିଲା । ସେହି କାରଣରୁ ୟୁଏନ୍ଏସସି ଆକ୍ରମଣକୁ ନିନ୍ଦା କରିବା ପରେ ଚୀନ୍ ଏବେ ନୂଆ ତରିକା ଅବଲମ୍ବନ କରିଛି । ଆଜି ଚୀନ୍ ଏହାକୁ ହାଲ୍କା କରିବାକୁ ଚେଷ୍ଟା କରିଛି । କହିଛି ୟୁଏନ୍ଏସସିର ଏହି ନିନ୍ଦା ହେଉଛି ଏକ ସାଧାରଣ ବୟାନ । ଏହା କୌଣସି ଚୂଡାନ୍ତ ନିଷ୍ପତ୍ତି ନୁହେଁ ।