ନୂଆଦିଲ୍ଲୀ: ନେପାଳ ସୀମାରୁ ଅବୈଧ ଭାବେ ବିନା ଡକ୍ୟୁମେଣ୍ଟ ଆଧାରରେ ଭାରତ ସୀମାକୁ ପ୍ରବେଶ କରୁଥିବା ଏକ ଚୀନ ନାଗରିକଙ୍କୁ ସେନା ଗିରଫ କରିଛି ବୋଲି ଆଧିକାରିକ ସ୍ତରରେ ସୁଚନା ମିଳିଛି।
ପେଙ୍ଗ ମିନହୁଇ ନାମକ ଜଣେ ୩୫ ବର୍ଷିୟ ଯୁବକ ନେପାଳର ସୋନାଉଲି ଅଞ୍ଚଳ ଦେଇ ଭାରତ ମଧ୍ୟକୁ ପ୍ରବେଶ କରୁଥିଲେ। ଏହି ସମୟରେ ସେଠାରେ ରୁଟିନ ଚେକ କରୁଥିବା ସୀମା ସୁରକ୍ଷା ବଳ(ଏସଏସବି)ର ଯବାନ ମାନଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଏଣୁ ତାଙ୍କୁ ଅଲଗା ଭାବେ ଯାଞ୍ଚ କରାଯାଇଥିଲା ବୋଲି ଷ୍ଟେସନ ହାଉସର ଇନଚାର୍ଜ(ଏସଏଚଓ) ଅଙ୍କିତ ସିଂ କହିଛନ୍ତି।
ଯାଞ୍ଚ ବେଳେ ତାଙ୍କ ପାଖରୁ ଚାଇନାର ପାସପୋର୍ଟ ସହ ଚାଇନାର ଅର୍ଥରାଶି ମିଳିଥିଲା। ତେବେ ତାଙ୍କ ପାଖରୁ ନା ଭାରତୀୟ ପାସପୋର୍ଟ ନା ନେପାଳର କୌଣସି ବୈଧ ଡକ୍ୟୁମେଣ୍ଟ ମିଳିନଥିଲା।
ଭାରତ-ନେପାଳ ବୋର୍ଡରରେ ଥିବା ମରାଜଗଞ୍ଜ ଜିଲ୍ଲାରେ ଅବସ୍ଥିତ ସୋନାଉଲି ପାସ ଭାରତ ଓ ନେପାଳ ମଧ୍ୟରେ ଯାଆସ କରୁଥିବା ଲୋକ ମାନଙ୍କ ପାଇଁ ଏକ ପ୍ରମୁଖ ପାସ ଭାବେ ବ୍ୟବହୃତ ହୋଇଥାଏ। ପ୍ରତିଦିନ ହଜାର ହଜାର ନେପାଳି ଏହି ପାସ ଦେଇ ଭାରତକୁ ପ୍ରବେଶ କରୁଥିଲା ବେଳେ ଅନୁରୁପ ଭାବେ ଅନେକ ଭାରତୀୟ ଏହି ପାସ ଦେଇ ନେପାଳରେ ପ୍ରବେଶ କରିଥାନ୍ତି।
ତେବେ ଏହି ଘଟଣାରେ ସେନା ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)କୁ ଖବର ଦେଇଛି ବୋଲି ଅଙ୍କିତ ସିଂ ସୁଚନା ପ୍ରଦାନ କରିଛନ୍ତି।