ନୂଆଦିଲ୍ଲୀ, ୧୩/୦୩ : ଇରାନ ବିରୋଧରେ ଆମେରିକାର ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଯୁଦ୍ଧରେ ଆମେରିକା ଇରାନଠୁ ଆଶାତୀତ ପ୍ରତିରୋଧ ଓ କ୍ଷତି ସାମ୍ନା କରୁଛି । ରିପୋର୍ଟ ଅନୁସାରେ, ଉପସାଗରୀୟ ଦେଶମାନଙ୍କରେ ଆମେରିକାର ୧୭ ଠିକଣା ଉପରେ ଇରାନ ଧ୍ୱଂସଲୀଳା ରଚିଛି । ଏହି ସ୍ଥିତିରେ ଚୀନ୍ର ପ୍ରଫେସର ଜିୟାଙ୍ଗ ଶିୟୁକିଙ୍ଗ ଚର୍ଚ୍ଚାକୁ ଆସିଛନ୍ତି । ସେ ଭବିଷ୍ୟବାଣୀ କରିଛନ୍ତି, ଏ ଯୁଦ୍ଧ ଆମେରିକା ହାରିଯିବ । ଦୁଇ ବର୍ଷ ପୂର୍ବେ ବିଶ୍ଳେଷଣ ଆଧାରରେ ସେ କରିଥିବା ଭବିଷ୍ୟବାଣୀ ସତ ହୋଇଥିବାରୁ ତାଙ୍କର ୩ୟ ଭବିଷ୍ୟବାଣୀ ଖୁବ୍ ଚର୍ଚ୍ଚିତ ହୋଇଛି । ପ୍ରଫେସର ଜିୟାଙ୍ଗ ଶିୟୁକିଙ୍ଗ ୟେଲ ୟୁନିଭର୍ସିଟିର ଜଣେ ବିଦ୍ୱାନ । ତାଙ୍କ ଭବିଷ୍ୟବାଣୀ ସମ୍ପର୍କିତ ରିପୋର୍ଟ ପାଲେଷ୍ଟାଇନ୍ କ୍ରୋନିକଲରେ ପ୍ରକାଶ ପାଇଛି, ଯାହାର ବ୍ୟାପକ ପ୍ରସାର ହେଉଛି ।
ଜିୟାଙ୍ଗ ଦୁଇ ବର୍ଷ ପୂର୍ବେ ନିଜର ପ୍ରେଡିକ୍ଟିଭ୍ ହିଷ୍ଟ୍ରୀ ୟୁଟ୍ୟୁବ୍ ପ୍ଲାଟ୍ଫର୍ମ ମାଧ୍ୟମରେ ଏହି ଭବିଷ୍ୟବାଣୀ କରିଥିଲେ । ୨୦୨୪ରେ ଜିୟାଙ୍ଗ ୩ ଭବିଷ୍ୟବାଣୀ କରିଥିଲେ । ପ୍ରଥମ ଥିଲାଡୋନାଲ୍ଡ ଟ୍ରମ୍ପ୍ ପୁଣି ଆମେରିକା ରାଷ୍ଟ୍ରପତି ହେବେ । ଏହା ସତ ହେଲା । ୨ୟ ଥିଲା- ଇରାନ ସହ ଯୁଦ୍ଧ ଭୟଙ୍କର ହେବ । ଏହା ମଧ୍ୟ ହେଉଛି । ୩ୟ ଭବିଷ୍ୟବାଣୀ ଥିଲା- ଏହି ଯୁଦ୍ଧରେ ଆମେରିକାର ପରାଜୟ ଆଶଙ୍କା ରହିଛି । ପ୍ରଥମ ଦୁଇଟି ଭବିଷ୍ୟବାଣୀ ସତ ହୋଇସାରିଛି । ସେଥିପାଇଁ ଜିୟାଙ୍ଗଙ୍କ ୩ୟ ଭବିଷ୍ୟବାଣୀ ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ଜିୟାଙ୍ଗ କହିଛନ୍ତି, ଏହା କୌଣସି ପାରମ୍ପରିକ ଯୁଦ୍ଧ ନୁହେଁ, ଯାହା ଶୀଘ୍ର ଶେଷ ହୋଇଯିବ । ବରଂ ଏଭଳି ଏକ ସଂଘର୍ଷ ଯାହା ଧୀରେ ଧୀରେ ବଢ଼ିବ ଏବଂ ଖୁବ୍ କ୍ଷତି କରିବ । ଇରାନର ଲମ୍ବା ରଣନୀତି ଏବଂ ଧୀରେ ଧୀରେ ଶତ୍ରୁର କ୍ଷତି କରିବା କଥା ବି ସେ କହିଛନ୍ତି । ଉଦାହରଣ ସ୍ୱରୂପ ସେ ଭିଏତନାମ ଯୁଦ୍ଧ କଥା କହିଛନ୍ତି । ୬୦ ଦଶକ ପ୍ରାରମ୍ଭରେ ଆମେରିକା ଏହି ଯୁଦ୍ଧ ଆରମ୍ଭ କରିଥିଲା । ଯୁଦ୍ଧ ପ୍ରାୟ ୧୫ ବର୍ଷ ଯାଏ ଚାଲିଲା । ଏହା ଦୀର୍ଘ ସମୟ ଯାଏ ଜାରି ସଂଘର୍ଷରେ ରୂପାନ୍ତରିତ ହୋଇଥିବାରୁ ଆମେରିକା ଏହା ହାରିଥିଲା । ଏଥିରେ ଭିଏତନାମର ନେତୃତ୍ୱ ଆମେରିକୀୟ ରାଜନୈତିକ ଓ ଆର୍ଥିକ ସଂସାଧନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଭିଏତନାମ କାଳେ କମ୍ୟୁନିଷ୍ଟ ଦେଶ ପାଲଟିଯବ,ସେଥିପାଇଁ ଆମେରିକା ଏହା ବିରୁଦ୍ଧରେ ଯୁଦ୍ଧ କରିଥିଲା । କିନ୍ତୁ ଶେଷରେ ତାକୁ ଏଥିରୁ ରୋକିପାରିଲା ନାହିଁ ।
ତେବେ ବର୍ତ୍ତମାନ ଇରାନ ପାଖରେ ଏଭଳି କ୍ଷମତା ଅଛି, ଯାହା ଭିଏତନାମ ପାଖରେ କେବେ ବି ନ ଥିଲା । ତନ୍ମଧ୍ୟରେ ଅତ୍ୟାଧୁନିକ ବାଲିଷ୍ଟିକ ମିସାଇଲ ଭଣ୍ଡାର, ଉନ୍ନତ ଡ୍ରୋନ୍ କାର୍ଯ୍ୟକ୍ରମ, ଇଲେକ୍ଟ୍ରୋନିକ୍ ଯୁଦ୍ଧ କ୍ଷମତା ସାମିଲ । ଏଥିସହ ଇରାନ ଆଞ୍ଚଳିକ ମେଣ୍ଟ ଓ ପ୍ରକ୍ସି ଗଠନ କରିଛି । ହୋର୍ମୁଜ ପ୍ରଣାଳୀ ମାଧ୍ୟମରେ ଏହାର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପ୍ରଭାବ ରହିଛି, ଯାହା ମଧ୍ୟଦେଇ ବିଶ୍ୱ ତୈଳ ଯୋଗାଣର ହାରାହାରି ଏକ ତୃତୀୟାଂଶ ଗତି କରେ । ଯୁଦ୍ଧ ସମୟରେ ଏହି ଜଳ ମାର୍ଗକୁ ବନ୍ଦ କରିବା ପରେ ଅଧାରୁ ଅଧିକ ବିଶ୍ୱ ତ୍ରାହି ତ୍ରାହି ଡାକୁଛି । ମୋଟାମୋଟି, ଏହି କ୍ଷମତା କେବଳ ଇରାନର ଆତ୍ମରକ୍ଷା କ୍ଷମତା ବଢ଼ାଇଛି ତାହା ନୁହେଁ, ଭିଏତନାମରେ ସଂଘଟିତ ଗରିଲା ଯୁଦ୍ଧ ତୁଳନାରେ ଅଧିକ ଜୋର୍ଦାର ଓ ଜଟିଳ ଯୁଦ୍ଧ ଜାରି ରଖିବାର କ୍ଷମତାକୁ ମଧ୍ୟ ଦର୍ଶାଇଛି।
ଏହି ଖବରଟିକୁ ପଢନ୍ତୁ- ଇରାନ ଯୁଦ୍ଧ ମଧ୍ୟରେ ମୋଜତବା ଖାମେନିଙ୍କ ପ୍ରଥମ ବୟାନ , ହୋର୍ମୁଜ ବନ୍ଦ କରିବାକୁ କହିଲେ