ନୂଆଦିଲ୍ଲୀ ୦୨/୦୩: କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ପୋଷ୍ଟଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଥିବା  ଚୀନ୍‌ର ଜଣେ ଯୁବତୀ ମା ୟା ନିକଟରେ  ସାଂଘାଇ ଚିଡି଼ଆଖାନାରେ କାମ କରିବା  ଲାଗି ଏକ ବାୟୋଫାର୍ମାସ୍ୟୁଟିକାଲ୍‌  କଂପାନିରେ ମୋଟା ଅଙ୍କର ଦରମାର  ଚାକିରି ଅଫର୍‌କୁ ହାତଛଡ଼ା କରିଛନ୍ତି ।  ୨୫ ବର୍ଷୀୟା ମା ୟା ଜିଆଙ୍ଗସୁ  ପ୍ରଦେଶର ବାସିନ୍ଦା । ଗତବର୍ଷ  ଫେବ୍ରୁଆରୀ ମାସରୁ ସାଂଘାଇ  ଚିଡି଼ଆଖାନାରେ କାମ କରିଆସୁଛନ୍ତି  ସେ । ନିକଟରେ ତାଙ୍କୁ ଏକ ପ୍ରତିଷ୍ଠିତ ବାୟୋଫାର୍ମାସ୍ୟୁଟିକାଲ୍‌ କଂପାନିରୁ  ଚାକିରି ଅଫର୍‌ ଆସିଥିଲା । ସେହି   କଂପାନିରେ ତାଙ୍କୁ ମାସିକ ଯେତିକି  ଟଙ୍କା ମିଳିବାକୁ ଥିଲା ଚିଡି଼ଆଖାନାରେ  ତାର ଅଧା ଦରମା ମିଳୁଛି । ଏହାସତ୍ତେ୍ୱ  ତାଙ୍କର କୌଣସି ପ୍ରକାର ଅବସୋସ  ନଥିବା ସେ ପ୍ରକାଶ କରିଛନ୍ତି । 

ମା ୟା  କହିଛନ୍ତି, ଦରମା କମ୍‌ ମିଳୁଥିଲେ ବି  ତାଙ୍କ ମନରେ କୌଣସି ଦୁଃଖ ନାହିଁ ।  କାରଣ ଚିଡ଼ିଆଖାନାରେ କାମ କରିବା  ସମୟରେ ସେ ପଶୁମାନଙ୍କୁ ଅନୁଧ୍ୟାନ  କରିବାର ସୁଯୋଗ ପାଉଛନ୍ତି ।  ଏହାଦ୍ୱାରା ପଶୁଙ୍କର ଡାଏଟ୍‌ ଓ  ବିଭିନ୍ନ ରୋଗର ଚିକିତ୍ସା ନେଇ ସେ  କରୁଥିବା ଗବେଷଣାରେ ସହାୟତା  ମିଳୁଛି । ଏହାଛଡ଼ା ଚିଡି଼ଆଖାନାରେ  କାମ କରିବା ତାଙ୍କ ଲାଗି ସ୍ୱାସ୍ଥ୍ୟଗତ  ଦୃଷ୍ଟିକୋଣରୁ ମଧ୍ୟ ଭଲ । କାରଣ  ତାଙ୍କୁ ଅଫିସ୍‌ ପରିବେଶ ମଧ୍ୟରେ ବାନ୍ଧି  ହେବାକୁ ପଡୁନାହିଁ ।  

ସେ ଲଣ୍ଡନର ଇମ୍ପେରିଆଲ୍‌ କଲେଜରୁ  ବାୟୋଲୋଜିକାଲ୍‌ ସାଇନ୍ସରେ  ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ।  ଏହାପରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଭେଟେନାରୀ ସାଇନ୍ସରେ ମାଷ୍ଟର  ଡିଗ୍ରୀ ହାସଲ କରିଥିଲେ । ସାଂଘାଇ  ଚିଡ଼ିଆଖାନାରେ ସେ ହାତୀ, ମାଙ୍କଡ଼,  ବାଘ, ପାଣ୍ଡା ଭଳି ବିଭିନ୍ନ ଜୀବଜନ୍ତୁଙ୍କର ଦାୟିତ୍ୱରେ ଥିଲେ । ଏବେ ହରିଣ  ଓ ଛେଳିଙ୍କ ଖୁଆଡ଼ କଥା ବୁଝୁଛନ୍ତି ।  ଜୀବଜନ୍ତୁଙ୍କୁ ଖୁଆଇବା ବ୍ୟତୀତ ମା ୟା  ସେମାନଙ୍କୁ ହେଉଥିବା ବିଭିନ୍ନ ରୋଗ  ନେଇ ମଧ୍ୟ ଗବେଷଣା କରୁଛନ୍ତି ।