ଚିଟଫଣ୍ଡ କମ୍ପାନୀର ୩ ଜଣଙ୍କୁ ଜେଲ୍ଦଣ୍ଡ, ୪୩ ହଜାର ଟଙ୍କା ଲେଖାଏଁ ଜରିମାନା…

ବାଲେଶ୍ୱର, ୨୫/୧: ଅଳ୍ପଦିନରେ ଅଧିକ ଋଣ ଦେବାର ଲୋଭ ଦେଖାଇ ବିଭିନ୍ନ ଲୋକଙ୍କୁ ଠକିଥିବା ଚିଟଫଣ୍ଡ କମ୍ପାନୀ ଜିଏଏଚର ତିନିଜଣଙ୍କୁ ଜେଲ ଦଣ୍ଡ ହୋଇଛି । ଏଥିରେ କମ୍ପାନୀ ଏମଡି ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ସମସ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୪୩ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି । ସମସ୍ତ ସାକ୍ଷ୍ୟ, ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରି ବାଲେଶ୍ୱରର ସ୍ବତନ୍ତ୍ର ଚିଟଫଣ୍ଡ ଆଦଲତ ବୁଧବାର ଏହି ରାୟ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଏହି ଠକ କମ୍ପାନୀ କେନ୍ଦୁଝରରେ ଖୋଲିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ଶାଖାଥିଲା । ବିଭିନ୍ନ ଲୋଭ ଦେଖାଇ ଏହି କମ୍ପାନୀ ଲୋକଙ୍କୁ ଠକୁ ଥିଲା । ତେବେ ଶାନ୍ତୁନ କୁମାର ଜେନା ନାମକ ଜଣେ ବ୍ୟକ୍ତି ଠକାମୀରେ ଶିକାର ହେବାପରେ କେନ୍ଦୁଝର ଥାନାରେ ୨୦୧୯ ମାର୍ଚ୍ଚ ୭ ତାରିଖରେ ଅଭିଯୋଗ କରିଥିଲେ । ପୁଲିସ ମମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି କମ୍ପାନୀ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ଜଣା ପଡିଥିଲା । ପରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ସେବେଠାରୁ ଏ ମାମଲା ଚିଟଫଣ୍ଡ ଅଦାଲତରେ ବିଚାରଧୀନ ଥିଲା । ୭ ସାକ୍ଷୀ, ୨୧ ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରି କମ୍ପାନୀ ଏମଡି ହିମାଂଶୁ ଭୁଷଣ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ସୁବ୍ରତ ସେଠୀଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି ଅଦାଲତ । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ ।