ଭୁବନେଶ୍ୱର, ୨୪।୧୨: ରାତି ପାହିଲେ ଖ୍ରୀଷ୍ଟମାସ । ଚର୍ଚ୍ଚରେ ଚାଲିଛି ଜୋରଦାର ପ୍ରସ୍ତୁତି । କ୍ରିଷ୍ଟମାସ୍ କାରୋଲ ବା କ୍ରିଷ୍ଟମାସ୍ ଗୀତ ପାଇଁ ହୋଇଛି ରିହରସଲ୍ । ରାତି ୧୨ଟାରେ ପାଳନ ହେବ ଯୀଶୁଙ୍କ ଜନ୍ମଦିନ । ଏନେଇ ଅପେକ୍ଷାରେ ଇସାଇ ଧର୍ମାବଲମ୍ବୀ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଜନ୍ମ ନେବେ ଯୀଶୁ । ଆଉ ତାଙ୍କ ଜନ୍ମକୁ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ଇସାଇ ଧର୍ମାବଲମ୍ବୀ । ଚର୍ଚ୍ଚରେ ସାଜସଜ୍ଜା ସହ ଚାଲିଛି କ୍ୟାରୋଲ ବା ଗୀତର ରିହରସଲ୍ । ବିଭିନ୍ନ ଭାଷା ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ମାଲୟଲମ୍ ଭାଷାରେ କ୍ୟାରୋଲ ଗାଇବେ ଶ୍ରଦ୍ଧାଳୁ । ସେନେଇ ଭୁବନେଶ୍ୱର କାଥଲିକ ଚର୍ଚ୍ଚରେ ରିହରସଲ କରୁଛନ୍ତି ଶ୍ରଦ୍ଧାଳୁ । ଯୀଶୁଙ୍କ ଆଗମନ ପାଇଁ ସମଗ୍ର ପରିବେଶ ପ୍ରଫୁଲ୍ଲିତ ଥିବା କ୍ରିଷ୍ଟିଆନ୍ ସଂପ୍ରଦାୟୀ କହିଛନ୍ତି । ଏଥିସହ ଚର୍ଚ୍ଚ ସହ ଘରେ ମଧ୍ୟ ପ୍ରସ୍ତୁତି ହୋଇଛି ।
ବଡ଼ ଦିନ ପାଇଁ ଚର୍ଚ୍ଚରେ ସାଜସଜ୍ଜା ହୋଇଛି । କ୍ରୀସମାସ୍ ଟ୍ରିଠାରୁ ଆରମ୍ଭ କରି ଡମି ଗୁହାଳ ଘର ସବୁ ନିର୍ମାଣ କରାଯାଇଛି । ଯୀଶୁ କେଉଁଠି ଜନ୍ମ ନେଇଛନ୍ତି ଏହା ଜଣାଇବା ପାଇଁ ଏହି ଡମି ମଡେଲ୍ ପ୍ରସ୍ତୁତ ହୋଇଛି । ତେବେ ୨୪ ତାରିଖ ରାତି ୯ଟା ୩୦ରୁ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମେ କ୍ୟାରୋଲ ଓ ପରେ ଦିବ୍ୟ ଯଜ୍ଞ ଓ ସମୂହ ପ୍ରାର୍ଥନା କରାଯିବ । ବୁଧବାର ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପ୍ରାର୍ଥନା ହେବ । ଏହା ପରେ ଶ୍ରଦ୍ଧାଳୁମାନେ କେକ୍ କାଟି ଯୀଶୁଙ୍କ ଜନ୍ମଦିନ ପାଳନ କରିବେ ବୋଲି ଭୁବନେଶ୍ୱର ସତ୍ୟନଗର ସ୍ଥିତ କ୍ୟାଥ୍ଲକ୍ ଚର୍ଚ୍ଚ ଫାଦର କହିଛନ୍ତି । ଆସନ୍ତାକାଲି ବଡ଼ ଦିନରେ ସକାଳ ୮ଟା ୧୫ରୁ ପୁଣି ପ୍ରାର୍ଥନା କରାଯିବାର କାର୍ଯ୍ୟକ୍ରମ ରହିଛି । କ୍ୟାଥ୍ଲକ୍ ଚର୍ଚ୍ଚ ପରି ୪ ନମ୍ବରରେ ଥିବା ବପିସ୍ତ ଚର୍ଚ୍ଚରେ ମଧ୍ୟ ଯୀଶୁଙ୍କ ଜନ୍ମକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।