କୋଲକାତା,୯।୬: ପଶ୍ଚିମବଙ୍ଗରୁ ଆସିଛି ବଡ଼ ଖବର। କୁହାଯାଉଛି ଯେ, ମଙ୍ଗଳବାର ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘରେ ପହଁଞ୍ଚିଛନ୍ତି ସିଆଇଡି ଅଧିକାରୀଙ୍କ ଏକ ଟିମ୍। କୋଲକାତାରେ ୩୦ବି ହରିଶ ଚାଟାର୍ଜୀ ଷ୍ଟ୍ରିଟରେ ଥିବା ମମତା ବାନାର୍ଜୀଙ୍କ ଘରେ ଏହି ଟିମ୍ ପହଁଞ୍ଚିଛି। ସୁତ୍ରର କହିବା ଅନୁସାରେ, ଏହି ଟିମ୍ ସେହି ଠିକଣାରେ ପହଁଞ୍ଚିଛି, ଯେଉଁଠି ତୃଣମୂଳ କଂଗ୍ରେସର ସେଣ୍ଟ୍ରାଲ ଅଫିସ ରହିଛି। ସିଆଇଡି ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଏକ ଔପଚାରିକ ନୋଟିସ ଦେବାକୁ ସେଠାକୁ ଯାଇଥିଲେ। ତେବେ ଏହି ସମୟରେ ମମତା ବାନାର୍ଜୀ କୋଲକାତାରେ ନାହାଁନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଳୀ ଯାଇଛନ୍ତି।

ଏହି ମାମଲା ୧୯ ମଇରେ ବିଧାନସଭା ସଚିବାଳୟରେ ଜମା କରାଯାଇଥିବା ବିବାଦୀୟ ପତ୍ରକୁ ନେଇ ରହିଛି। ଯେଉଁଥିରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧି ନେତା ଭାବରେ ନାମିତ କରାଯାଇଥିଲା। ପତ୍ର ଉପରେ ଟିଏମସିର ପ୍ରାୟ ୭୦ ବିଧାୟକଙ୍କ ଦସ୍ତଖତ ଥିବା କଥା କୁହାଯାଇଥିଲା। ତେବେ ବିଦ୍ରୋହୀ ବିଧାୟକ ରୀତାବ୍ରତ ବାନାର୍ଜୀ ଓ ସନ୍ଦୀପନ ସାହା ଅଭିଯୋଗ କରିଥିଲେ ସେ ପତ୍ରରେ ଥିବା କିଛି ଦସ୍ତଖତ ନକଲି ଥିଲା। ଯେଉଁ କାରଣରୁ ସିଆଇଡି ଏବେ ଏହାର ତଦନ୍ତ ଆରମ୍ଭ କରିଛି।  ବିବାଦୀୟ ଦସ୍ତାବିଜ ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରାଯିବା ପୂର୍ବରୁ ଅଭିଷେକ ବାନାର୍ଜୀ ଦସ୍ତଖତ କରିଥିଲେ, ତେଣୁ ସିଆଇଡି ଅଧିକାରୀ ଏହି ମାମଲାରେ ତାଙ୍କର ଭୂମିକା ଉପରେ ପଚରା ଉଚରା କରିବାର ନିଷ୍ପତ୍ତି ନେଇଛି।

ସିଆଇଡିର ଅଧିକାରୀଙ୍କ କହିବା ଅନୁସାରେ, ଅଭିଷେକ ବାନାର୍ଜୀ ନିଜ ଜବାବରେ କହିଥିଲେ ଯେ, ବିଧାୟକଙ୍କ ଦସ୍ତଖତ ୩୦ ବି ହରିଶ ଚାଟାର୍ଜୀ ମାର୍ଗରେ ଥିବା ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରୁ ନିଆଯାଇଥିଲା। ଏହି ବୟାନକୁ ଆଧାର କରି ଆମେ ତଦନ୍ତ କରିବାକୁ ଆସିଥିଲୁ। ତେବେ ଅଧିକାରୀମାନେ କହିଛନ୍ତି ଯେ, ତଦନ୍ତକାରୀ ଦଳକୁ ପରିସରରେ ପ୍ରବେଶ କରିବାକୁ ଅନୁମତି ମିଳିନଥିଲା। ଏହି କାରଣରୁ କାର୍ଯ୍ୟାଳୟ ପରିଚାଳିତ କରୁଥିବା ଲୋକଙ୍କ ସହ ଅଳ୍ପ ସମୟ ଯୁକ୍ତିତର୍କ ହୋଇଥିଲା। ତେବେ ପରେ  କାର୍ଯ୍ୟାଳୟରେ ତଲାସୀ ନିଆଯାଇଥିବାର ଜଣାପଡିଛି ଅନ୍ୟପକ୍ଷେ ମମତା ବାନାର୍ଜୀ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନ, ୧୦ ଜନପଥ ରୋଡରେ ପହଁଞ୍ଚିଛନ୍ତି। ଦୁଇ ନେତାଙ୍କ ଭିତରେ ଖୁବ୍ ଶୀଘ୍ର ବୈଠକ ହେବ। ସିଆଇଡିର ଏହି ଗସ୍ତ ତଦନ୍ତର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ। କାରଣ ଅଧିକାରୀମାନେ କଥିତ ଠକେଇ ମାମଲାରେ ପ୍ରମାଣ ଏକାଠି କରିବା ଚେଷ୍ଟା କରୁଛି।

ଆହୁରି ପଢନ୍ତୁ :Brahmos missile: ବିଶ୍ୱର ସବୁଠାରୁ ବଡ଼ ମୁସଲିମ୍ ଦେଶ କିଣୁଛି 'ବ୍ରହ୍ମୋସ'; ପାକିସ୍ତାନର ବଢ଼ିଲା ଚିନ୍ତା