ନୂଆଦିଲ୍ଲୀ, ୯।୬: ଭାରତର ପ୍ରତିରକ୍ଷା କ୍ଷେତ୍ରରୁ ଏକ ବଡ଼ ଖବର ଆସିଛି । ବିଶ୍ୱର ସବୁଠାରୁ ବଡ଼ ମୁସଲିମ୍ ଦେଶ ଇଣ୍ଡୋନେସିଆ ସହ ଭାରତର 'ବ୍ରହ୍ମୋସ' ମିସାଇଲ୍ ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ଦ୍ୱିତୀୟ ସପ୍ତାହରେ ଜକାର୍ତ୍ତା ଗସ୍ତ କରିବାକୁ ଯାଉଥିବା ବେଳେ ଏହି ଆଧିକାରିକ ଗସ୍ତ ସମୟରେ ହିଁ ମେଗା ଚୁକ୍ତି ଉପରେ ଚୂଡ଼ାନ୍ତ ମୋହର ବାଜିବ । ପ୍ରଧାନମନ୍ତ୍ରୀଙ୍କ ଏହି ତୃତୀୟ ଇଣ୍ଡୋନେସିଆ ଗସ୍ତର ସବୁଠାରୁ ଶୀର୍ଷ ଏଜେଣ୍ଡା ରହିଛି ବ୍ରହ୍ମୋସ ମିସାଇଲ୍ ଡିଲ୍ । ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ଼ ଦେଶ ଇଣ୍ଡୋନେସିଆ, ଭାରତର ବ୍ରହ୍ମୋସ ମିସାଇଲ୍ କିଣିବାରେ ଏହି ଅଞ୍ଚଳର ତୃତୀୟ ଦେଶ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲିପାଇନ୍ସ ଏବଂ ଭିଏତନାମ ସହ ଭାରତ ଏହି ଚୁକ୍ତି ସରିଛି । ତେବେ ଇଣ୍ଡୋନେସିଆ ଭଳି ଏକ ପ୍ରମୁଖ ମୁସଲିମ୍ ରାଷ୍ଟ୍ର ଭାରତ ସହ ଏଭଳି ପ୍ରତିରକ୍ଷା ଚୁକ୍ତି କରିବା ପାକିସ୍ତାନକୁ ଭିତରେ ଭିତରେ ଶକ୍ତ ଆଘାତ ଦେଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଇଣ୍ଡୋନେସିଆ ଗସ୍ତ:
ଆସନ୍ତା ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦକ୍ଷିଣ-ପୂର୍ବ ଏସିଆରେ ରଣନୈତିକ ସାମରିକ ସମ୍ପର୍କକୁ ଅଧିକ ଦୃଢ଼ କରିବା । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ କନେକ୍ଟିଭିଟି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଇଣ୍ଡୋନେସିଆ ଏକ ମୁସଲିମ୍ ବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ ସହ ଏହାର ସମ୍ପର୍କ ବହୁ ବର୍ଷ ପୁରୁଣା । ଏହା ସହିତ ଇଣ୍ଡୋନେସିଆ ଭାରତର ସବୁଠାରୁ ବଡ଼ ସାମୁଦ୍ରିକ ପଡ଼ୋଶୀ ଦେଶ ।
ଜିଓପଲିଟିକାଲ୍ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ଚୁକ୍ତି ?
ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍ରି-ଲା ଡାଇଲଗ୍ରେ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ସ୍ପଷ୍ଟ କରିଥିଲେ ଯେ, ଇଣ୍ଡୋନେସିଆ ସହ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଡିଲ୍ ଶେଷ ପର୍ଯ୍ୟାୟରେ ରହିଛି । ଭୂ-ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ବ୍ରହ୍ମୋସ ମିସାଇଲ୍ ଚୁକ୍ତି ଭାରତର 'ଆକ୍ଟ ଇଷ୍ଟ ପଲିସି' ଅନୁଯାୟୀ ହେଉଛି । ଏହି ଚୁକ୍ତି ପରେ ଆସିଆନ୍ ସଂଗଠନରେ ଭାରତର ଭୂମିକା ଆହୁରି ଅଧିକ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ହେବ ।
ଚୀନ୍ର ବିସ୍ତାରବାଦୀ ନୀତି ଉପରେ ଲାଗିବ ବ୍ରେକ୍:
ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଦାଦାଗିରି ଏବଂ ବିସ୍ତାରବାଦୀ ନୀତି ସେହି ଅଞ୍ଚଳର ସମସ୍ତ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଚୀନ୍ର ଏହି ଆକ୍ରମଣାତ୍ମକ ମନୋଭାବର ମୁକାବିଲା କରିବା ପାଇଁ ପ୍ରଥମେ ଫିଲିପାଇନ୍ସ ଏବଂ ଭିଏତନାମ ଭାରତଠାରୁ ବ୍ରହ୍ମୋସ କିଣିବାକୁ ଚୁକ୍ତି କରିଥିଲେ ଏବଂ ଏବେ ସେହି ଦଳରେ ଇଣ୍ଡୋନେସିଆ ସାମିଲ ହେବାକୁ ଯାଉଛି । ବ୍ରହ୍ମୋସ ସୁପରସୋନିକ୍ ଆଣ୍ଟି-ସିପ୍ ମିସାଇଲ୍ ମୁତୟନ କରି ଇଣ୍ଡୋନେସିଆ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଏବଂ ନଟୁନା ଦ୍ୱୀପପୁଞ୍ଜ ଅଞ୍ଚଳରେ ନିଜର ସାମୁଦ୍ରିକ ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି ।
ଚୀନ୍କୁ ଡବଲ୍ ଝଟ୍କା ଦେଉଛି ଇଣ୍ଡୋନେସିଆ:
ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋଙ୍କ କାର୍ଯ୍ୟକାଳ ମଧ୍ୟରେ ଜାକାର୍ତ୍ତା ଯେଭଳି ଭାବେ ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ଭାରତ ଆଡ଼କୁ ଆଗେଇ ଆସିଛି, ସେଥିରୁ ଏକ ସ୍ପଷ୍ଟ ସଂକେତ ମିଳୁଛି ଯେ ଇଣ୍ଡୋନେସିଆ ଏବେ ପ୍ରତିରକ୍ଷା କ୍ଷେତ୍ରରେ ପଶ୍ଚିମା ଦେଶ କିମ୍ବା ଚୀନ୍ ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ । ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ନିର୍ମିତ ଏହି ସୁପରସୋନିକ୍ ବ୍ରହ୍ମୋସ ମିସାଇଲ୍ କିଣିବା ଚୀନ୍ ପାଇଁ ଇଣ୍ଡୋନେସିଆର ଏକ ବଡ଼ ଦ୍ୱିପାକ୍ଷିକ ଚେତାବନୀ ବୋଲି ରଣନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ... PM Modi 12 years : ନରେନ୍ଦ୍ର ମୋଦିଙ୍କ ୧୨ ବର୍ଷ ଶାସନରେ ୨୫ ଉପଲବ୍ଧି... ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ କାର୍ଯ୍ୟ କରି ନେହେରୁଙ୍କ ରେକର୍ଡର ହେଲେ ସମକକ୍ଷ