‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ କାମ ହୋଇଥାଏ’, ହେଲେ ଭାରତରେ…ବିଚାରପତିଙ୍କ ଛୁଟିକୁ ନେଇ ଏମିତି କିଛି କହିଲେ CJI…

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କଲେଜିୟମ୍ ସିଷ୍ଟମକୁ ରକ୍ଷା କରିଛନ୍ତି । କଲେଜିୟମ୍ ସିଷ୍ଟମକୁ ନେଇ ସେ ଗତକାଲି (ଶନିବାର) କହିଛନ୍ତି ଯେ କୌଣସି ବି ବ୍ୟବସ୍ଥା ସର୍ବୋତ୍ତମ ନୁହେଁ, କିନ୍ତୁ ଆମେ ଯାହା ବିକଶିତ କରିଛୁ ତାହା ଭଲ ଅଟେ । ସେ କହିଛନ୍ତି ଯେ କଲେଜିୟମ ସିଷ୍ଟମର ପରିକଳ୍ପନା ଏଥିପାଇଁ କରାଯାଇଥିଲା, କାରଣ ନ୍ୟାୟପାଳିକାର ସ୍ବାଧୀନତା ହେଉଛି ଏକ ପ୍ରମୁଖ ମୂଲ୍ୟ ଏବଂ ନ୍ୟାୟପାଳିକା ସ୍ବାଧୀନ ହୋଇ ରହିବା ପାଇଁ ବାହ୍ୟ ପ୍ରଭାବକୁ ଏଡ଼ାଇବାକୁ ହେବ ।
ଏହା ସହ ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି ଯେ କଲେଜିୟମ ସିଷ୍ଟମରେ ଯୋଗ୍ୟତା ହେଉଛି ମୁଖ୍ୟ ପାରାମିଟର, ଯାହା ଆଞ୍ଚଳିକ ତଥା ଉଚ୍ଚ ନ୍ୟାୟାଳୟରେ ବ୍ୟାପକ ପ୍ରତିନିଧିତ୍ୱ ପାଇଁ ଲିଙ୍ଗ, ବର୍ଗର ସମ୍ପ୍ରଦାୟ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରେ । ସେ କହିଛନ୍ତି ଯେ ନ୍ୟାୟିକ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହେବା ଉଚିତ, ଯାହା ଦ୍ବାରା ଲୋକମାନେ ନ୍ୟାୟପାଳିକାର କାର୍ଯ୍ୟରେ ଅଧିକ ବିଶ୍ୱାସ କରିବେ ।
ଭାରତର ମୁଖ୍ୟ ବିଚାରପତି ଟନ୍ଦ୍ରଚୂଡ ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ ମିଳିବାକୁ ଥିବା ଲମ୍ବା ଗ୍ରୀଷ୍ଣକାଳୀନ ଏବଂ ଶୀତକାଳୀନ ଅବକାଶକୁ ନେଇ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ମାନେ ଗୋଟିଏ ବର୍ଷରେ ୨ ଶହ ଦିନ ଅର୍ଥାତ ପାଖାପାଖି ସାଢେ ୬ମାସ କୋର୍ଟ କାମ କରିଥାନ୍ତି । ଯାହାକି ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ । ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟରେ ମଧ୍ୟ ୧୦୦ରୁ କମ୍ ଦିନ କାମ ହୋଇଥାଏ । ବ୍ରିଟେନ ଏବଂ ସିଙ୍ଗାପୁର ସୁପ୍ରିମକୋର୍ଟରେ ୧୪୫ ଦିନ କାମ ହୋଇଥାଏ ।
ସିଜେଆଇ କହିଛନ୍ତି ଯେ ବିଚାରପତିଙ୍କ ବୃତ୍ତିଗତ ଦକ୍ଷତାକୁ ଆକଳନ କରିବା ପାଇଁ ଆମେ ପ୍ରଥମେ ଯୋଗ୍ୟତା ଦେଖୁ । ଦ୍ୱିତୀୟ ମାନଦଣ୍ଡ ହେଉଛି ବରିଷ୍ଠତା, କାରଣ ନ୍ୟାୟ କରିବା ହେଉଛି ସେବା । ଏହା ମଧ୍ୟ ଅନ୍ତର୍ଭୂକ୍ତିର ଆତ୍ମାର ଯତ୍ନ ନିଏ, ଯେଉଁଥି ପାଇଁ ଆମେ ଲିଙ୍ଗ, ବର୍ଗର ସମ୍ପ୍ରଦାୟ – ଏସସି / ଏସଟି ଏବଂ ସଂଖ୍ୟାଲଘୁଙ୍କୁ ନ୍ୟାୟପାଳିକାକୁ ଆଣିବା ପାଇଁ ସମାନ ସୁଯୋଗ ଦେଇଥାଉ । କିନ୍ତୁ ଯୋଗ୍ୟତା ଉପରେ ଏହି ସବୁ ଆଲୋଚନା ହୋଇଥାଏ ।