ନୂଆଦିଲ୍ଲୀ, ୧୭।୬: ଦେଶରେ କାୟା ମେଲାଉଥିବା ସାଇବର ଅପରାଧକୁ ନେଇ ସର୍ବୋଚ୍ଚ ଅଦାଲତ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୁଧବାର ସୁପ୍ରିମକୋର୍ଟ ସାଇବର ପ୍ରତାରଣା ମାମଲାର ଜଣେ ଅଭିଯୁକ୍ତର ଜାମିନ ଆବେଦନକୁ ସିଧାସଳଖ ଖାରଜ କରିଦେଇଛନ୍ତି । କେବଳ ସେତିକି ନୁହେଁ, ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ଏଭଳି ଅପରାଧୀଙ୍କ ସମ୍ପର୍କରେ ଅତ୍ୟନ୍ତ ଗମ୍ଭୀର ଓ କଠୋର ଟିପ୍ପଣୀ କରିଛନ୍ତି । ସମାଜର ହିତ ପାଇଁ ଏଭଳି ଲୋକ ଜେଲ୍ ଭିତରେ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।
ସାଇବର ଅପରାଧ ମାମଲାରେ ଜାମିନ ଆବେଦନ ଖାରଜ କରି ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ କହିଛନ୍ତି ଯେ, ଏଭଳି ଅପରାଧୀମାନେ ସାରା ଦେଶର ନିରୀହ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି । ଏହାଦ୍ୱାରା ସାଧାରଣ ଜନତା ମାନସିକ ଓ ବଡ଼ ଧରଣର ଆର୍ଥିକ କ୍ଷତି ସହୁଛନ୍ତି । ଅନଲାଇନ୍ ଠକେଇ କରୁଥିବା ସାଇବର ଅପରାଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରି ପ୍ରଧାନ ବିଚାରପତି ଏହି ଟିପ୍ପଣୀ ଦେଇଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଶର ସାଇବର ସୁରକ୍ଷା ଓ ଅପରାଧର ଚେରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସାଇବର ଅପରାଧୀମାନେ ପ୍ରାୟତଃ ଏକାସଙ୍ଗେ ଏକାଧିକ ରାଜ୍ୟରେ ନିଜର ବେଆଇନ କାର୍ଯ୍ୟକଳାପ ଚଳାଉଛନ୍ତି । ବିଭିନ୍ନ ରାଜ୍ୟରେ ନେଟୱର୍କ ରହୁଥିବାରୁ ଏହି ଅପରାଧର ଚିହ୍ନଟ କରିବା ଏବଂ ଏହାର ସଠିକ୍ ତଦନ୍ତ କରିବା ପୁଲିସ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି । ଏଭଳି ସ୍ଥିତିରେ ଦେଶ ଏବଂ ସମାଜକୁ ସୁରକ୍ଷିତ ରଖିବା ପାଇଁ ଏହି ମାମଲାଗୁଡ଼ିକ ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ସମୟ ଆସିଛି ବୋଲି ଅଦାଲତ ସଂକେତ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା, ଯେଉଁଠାରେ ସିଜେଆଇ ସୂର୍ଯ୍ୟକାନ୍ତ କୌଣସି ମାମଲାରେ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ।
ଗତ ମେ' ମାସରେ ମଧ୍ୟ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ସମାନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଜଣେ ଓକିଲ ନିଜକୁ 'ସିନିୟର ଆଡଭୋକେଟ୍' ମାନ୍ୟତା ଦେବା ପାଇଁ ଆବେଦନ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସେତେବେଳେ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ବିନା କୌଣସି ଦାୟିତ୍ୱବୋଧରେ ଟାର୍ଗେଟ୍ କରୁଥିବା ଲୋକଙ୍କ ଉପରେ ସିଜେଆଇ ବର୍ଷିଥିଲେ । ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ "ସମାଜରେ ପୂର୍ବରୁ ହିଁ କିଛି ଏଭଳି ପରଜୀବୀ ଅଛନ୍ତି, ଯେଉଁମାନେ ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି ଏବଂ ଆପଣ ସେମାନଙ୍କ ସହ ସାମିଲ ହେବାକୁ ଚାହୁଁଛନ୍ତି ।" ସେ ଆହୁରି ମଧ୍ୟ କହିଥିଲେ, "କିଛି ଏଭଳି ଯୁବକ ଅଛନ୍ତି, ଯେଉଁମାନେ 'ଅସରପା' ଭଳି; ଯେଉଁମାନଙ୍କୁ କୌଣସି ରୋଜଗାର ମିଳେନାହିଁ କିମ୍ବା ନିଜ ପେସାରେ ସେମାନଙ୍କର କୌଣସି ସ୍ଥାନ ନଥାଏ । ସେମାନଙ୍କ ମଧ୍ୟରୁ କିଛି ମିଡିଆ ବନିଯାନ୍ତି, କିଛି ସୋସିଆଲ ମିଡିଆ, ଆରଟିଆଇ ଆକ୍ଟିଭିଷ୍ଟ କିମ୍ବା ଅନ୍ୟ ଆକ୍ଟିଭିଷ୍ଟ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦିଅନ୍ତି ।"
ଆହୁରି ପଢ଼ନ୍ତୁ... Lawrence Bishnoi Gang: କାନାଡ଼ାରେ ଲରେନ୍ସ ଗ୍ୟାଙ୍ଗ୍ ଉପରେ ବଡ଼ ପ୍ରହାର; ସୁଟର କିଙ୍ଗରା ହେବ ଡିପୋର୍ଟ, ଏକାସଙ୍ଗେ ଖୋଲିଲା ୪୦୦ ମାମଲା !