ଭୁବନେଶ୍ୱର,୧୭।୬: ୟୁନିଟ୍-୧ ହାଟରେ ନିଆଁ ଲାଗିବା କ୍ଷଣି ପାଣି ବର୍ଷା ହେବ । ବଡ ବିପଦକୁ ମାତ୍ର କେଇ କ୍ଷଣରେ ଅଟକାଯାଇ ପାରିବ । ହାଟରେ ନିର୍ମାଣ ହେବାକୁ ଯାଉଛି ୱାଟ୍ର ସ୍ପ୍ରିଙ୍କଲର ସିଷ୍ଟମ ବା ଫାୟାର ଫାଇଟିଙ୍ଗ ସିଷ୍ଟମ । ବିଏମ୍ସି ପକ୍ଷରୁ ଖୁବ୍ଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଯାଉଛି । ୟୁନିଟ୍-୧ ହାଟରେ ଶେଷ ୫ ମାସ ଭିତରେ ଦୁଇଥର ଅଗ୍ନିକାଣ୍ଡ ଘଟିଲାଣି । ଏଥିରେ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଦୋକାନ ପୋଡ଼ି ପାଉଁଶ ହୋଇଛି । ହାଟ ଭିତରେ ଏଭଳି ଅଗ୍ନିକାଣ୍ଡ ରୋକିବାକୁ ବିଏମ୍ସି ପକ୍ଷରୁ ମେଗା ପ୍ଲାନ ପ୍ରସ୍ତୁତ କରାଯାଇଛି । ୟୁନିଟ-୧ ହାଟରେ ୱାଟର ସ୍ପିଙ୍କଲର ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍ଡମା) ପକ୍ଷରୁ ବିଏମ୍ସିକୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଖୁବଶୀଘ୍ର ଟେଣ୍ଡର ପରେ କାମ ଆରମ୍ଭ ହେବ । ହାଟର ପାର୍କିଂ ଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିରେ ବଡ଼ ଭୂତଳ ପାଣି ଟାଙ୍କି ନିର୍ମାଣ କରାଯିବ । ଏଥିସହ ପମ୍ପ ହାଉସ ରହିବ । ପୁରା ପାଇପ ଲାଇନ୍ ହାଟ ଭିତରେ ବିଛାଯିବ । ସବୁ ଦୋକାନର ଆଗରେ ୱାଟର ସ୍ପ୍ରିଙ୍କଲର ଲାଗିବ । କୌଣସି ସ୍ଥାନରେ ଯଦି ନିଆଁ ଲାଗେ, ଆପେ ଆପେ ସେଠାରୁ ପାଣି ବାହାରିବ । ଏଥିପାଇଁ ବିଏମ୍ସି, ଓସ୍ଡମା ଏବଂ ଅଗ୍ନିଶମ ବିଭାଗର ମିଳିତ ଟିମ୍ ସର୍ଭେ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ହାଟ ଭିତରେ ନିଆଁ ଲାଗିବା ଭଳି ବିପଦକୁ ଏଡାଇ ଦିଆଯାଇ ପାରିବ । ହାଟରେ ଥିବା ୧୩ଶହରୁ ଅଧିକ ଦୋକାନୀ ଉପକୃତ ହେବ । ଏନେଇ ହାଟ ସଂଘ ପକ୍ଷରୁ ବିଏମ୍ସିକୁ ଧନ୍ୟବାଦ ଦିଆଯାଇଛି ।
ଆହୁରି ପଢ଼ନ୍ତୁ... ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ; ତିନି ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ