ନୂଆଦିଲ୍ଲୀ, ୧୭।୬: କାନାଡ଼ାରେ ସକ୍ରିୟ ଥିବା ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ସେଠାକାର ପ୍ରଶାସନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନାଡ଼ାର ଇମିଗ୍ରେସନ ଆଣ୍ଡ ରିଫ୍ୟୁଜି ବୋର୍ଡ (IRB) ବିଷ୍ଣୋଇ ଗ୍ୟାଙ୍ଗର ସୁଟର ତଥା ଭାରତୀୟ ନାଗରିକ ଅବଜିତ କିଙ୍ଗରାକୁ ଦେଶରୁ ବାହାର କରିବା ପାଇଁ ଅର୍ଥାତ ‘ଡିପୋର୍ଟ’ କରିବାକୁ ନିର୍ଦ୍ଦେଶ ଦେଇଛି । ତଦନ୍ତ ଅନୁଯାୟୀ, ଅବଜିତ କିଙ୍ଗରା ୨୦୧୮ ମସିହାରେ ଷ୍ଟଡି ପରମିଟ୍ ପାଇଁ କାନାଡ଼ା ଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ସେ ଧୀରେ ଧୀରେ ବିଷ୍ଣୋଇ ଗ୍ୟାଙ୍ଗ ସଂସ୍ପର୍ଶରେ ଆସିଥିଲା ଏବଂ ସେମାନଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲା । ବ୍ରିଟିଶ କଲମ୍ବିଆର କୋଲୱୁଡ୍ ଅଞ୍ଚଳରେ ଲରେନ୍ସ ଗ୍ୟାଙ୍ଗର ନିର୍ଦ୍ଦେଶରେ ସେ ଏକ ଘର ଉପରକୁ ଆଖିବୁଜା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି ।

ପଞ୍ଜାବୀ ସିଙ୍ଗର ଏପି ଢିଲୋନଙ୍କ ଘରକୁ କରିଥିଲା ଟାର୍ଗେଟ୍:

୨୦୨୪ ସେପ୍ଟେମ୍ବର ମାସରେ ହୋଇଥିବା ଏହି ଆକ୍ରମଣରେ କିଙ୍ଗରା ଜଣେ ପୀଡ଼ିତଙ୍କ ଘରକୁ ଲକ୍ଷ୍ୟ କରି ପ୍ରାୟ ୧୪ ରାଉଣ୍ଡ ଗୁଳି ଚଳାଇଥିଲା । ଏଥି ସହିତ ତାର ଜଣେ ସହଯୋଗୀ ଘର ବାହାରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲା । ଏହି ଆକ୍ରମଣ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଏପି ଢିଲୋନଙ୍କ ଘର ଉପରେ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆରେ ଭିଡିଓ ଜାରି କରି ଏହାର ଦାୟିତ୍ୱ ମଧ୍ୟ ନେଇଥିଲା । କିଙ୍ଗରା କୋର୍ଟରେ ଶୁଣାଣି ବେଳେ କହିଛି ଯେ, ସେ କେବଳ ଟଙ୍କା ଲୋଭରେ ଏହି କାମ କରିଥିଲା ଏବଂ ସେ ଲରେନ୍ସ ଗ୍ୟାଙ୍ଗ ପାଇଁ କାମ କରୁଛି ବୋଲି ଜାଣିନଥିଲା । ନିଜ ପରିବାରକୁ ଟଙ୍କା ପଠାଇବା ପାଇଁ ସେ ଏହି ଅପରାଧ କରିଥିବା ପ୍ରକାଶ କରିଛି । ମାତ୍ର କାନାଡ଼ା ବର୍ଡର ସର୍ଭିସେସ୍ ଏଜେନ୍ସି (CBSA) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସଂଗଠିତ ଅପରାଧୀ ଗୋଷ୍ଠୀ ଏଭଳି ଉପାୟରେ ହିଁ ଯୁବକମାନଙ୍କୁ ବ୍ୟବହାର କରିଥାନ୍ତି ।

ଏକାସଙ୍ଗେ ୪୦୦ରୁ ଅଧିକ ମାମଲାର ତଦନ୍ତ ଆରମ୍ଭ:

କାନାଡ଼ା ଏଜେନ୍ସିଗୁଡ଼ିକର ସୂଚନା ଅନୁସାରେ, ବିଷ୍ଣୋଇ ଗ୍ୟାଙ୍ଗ କାନାଡ଼ାରେ ରହୁଥିବା ଭାରତୀୟ ବ୍ୟବସାୟୀ, ଗାୟକ ଓ ସମ୍ଭ୍ରାନ୍ତ ଲୋକଙ୍କୁ ଟାର୍ଗେଟ୍ କରି ଧମକପୂର୍ଣ୍ଣ କଲ୍ ଏବଂ ମେସେଜ୍ ଜରିଆରେ ମୋଟା ଅଙ୍କର ଦାଦାବଟି ମାଗୁଛି । ଏହି ଗ୍ୟାଙ୍ଗଷ୍ଟର ହିଂସା ଉପରେ ଲଗାମ ଲଗାଇବା ପାଇଁ କାନାଡ଼ା ପୁଲିସ ଏବେ ୪୦୦ରୁ ଅଧିକ ପୁରୁଣା ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । କାନାଡ଼ାର ବ୍ରିଟିଶ କଲମ୍ବିଆ, ଆଲବର୍ଟା, ମାନିଟୋବା ଏବଂ ଓଣ୍ଟାରିଓ ଭଳି ପ୍ରଦେଶରେ ଏହି ଗ୍ୟାଙ୍ଗ ଅଧିକ ସକ୍ରିୟ ରହିଛି ।

ଭାରତ ଫେରିବାକୁ ଡରୁଛି ସୁଟର, ସହଯୋଗୀ ବିକ୍ରମ ଫେରାର୍:

ଅବଜିତ କିଙ୍ଗରା ବର୍ତ୍ତମାନ କାନାଡ଼ା ଜେଲରେ ୬ ବର୍ଷର ସଜା କାଟୁଛି । ଦେଶରୁ ବାହାର କରିବା ନିର୍ଦ୍ଦେଶ ବିରୋଧରେ ସେ ଅପିଲ୍ କରିବାକୁ ପ୍ରସ୍ତୁତ ହେଉଛି । ତାର କହିବା କଥା ଯଦି ତାକୁ ଭାରତ ପଠାଯାଏ, ତେବେ ଲରେନ୍ସ ଗ୍ୟାଙ୍ଗ ତାର ଜୀବନ ନେଇଯାଇପାରେ । କିନ୍ତୁ ଇମିଗ୍ରେସନ ବୋର୍ଡ ଏହାର କୌଣସି ଦୃଢ଼ ପ୍ରମାଣ ପାଇନାହିଁ । ଅନ୍ୟପଟେ, ଏହି ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିକ୍ରମ ଶର୍ମା ବର୍ତ୍ତମାନ ଫେରାର ଅଛି । ସେ କାନାଡ଼ା ଛାଡ଼ି ଭାରତ ପଳାଇ ଆସିଥିବା ସନ୍ଦେହ କରାଯାଉଛି ଏବଂ କାନାଡ଼ା ପୁଲିସ ତାର ସନ୍ଧାନ ଜାରି ରଖିଛି ।

ଆହୁରି ପଢ଼ନ୍ତୁ... Malviya Nagar Fire: ମାଲବୀୟ ନଗର ଅଗ୍ନିକାଣ୍ଡ; ଜୀବନ ବାଜି ଲଗାଇ ସାଜିଥିଲେ ସାହାରା, ଆଜି ନିଜେ ଅସହାୟ !https://www.prameya.com/delhi-malviya-nagar-fire-bihar-hero-faces-economic-hardship