ନୂଆଦିଲ୍ଲୀ,୨୦/୧୧: ଦେଶରେ ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ଏହା ସହିତ ୫ଟି ରାଜ୍ୟରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଚାଲିଛି । କଡା ସୁରକ୍ଷା ଭିତରେ ବି ଉପନିର୍ବାଚନ ହେଉଥିବା ରାଜ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ, ପଞ୍ଜାବ, କେରଲ ଓ ଉତ୍ତରାଖଣ୍ଡରେ ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉତ୍ତରପ୍ରଦେଶ ଓ ପଞ୍ଜାବରେ କିଛି ମତଦାନ କେନ୍ଦ୍ରରେ ହିଂସା ଘଟିଥିବା ଖବର ମିଳିଛି ।

ଉତ୍ତରପ୍ରଦେଶର ୯ ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ମୁରାଦାବାଦର କୁନ୍ଦରକି ଆସନରେ ସପା ପ୍ରାର୍ଥୀ ଓ ପୋଲିସ ମଧ୍ୟରେ ଚୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଭାଇରାଲ ହେଉଛି । ପୋଲିସର ଯାଞ୍ଚକୁ ନେଇ ସପା ପ୍ରାର୍ଥୀ ଓ ପୋଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ମୁଜାଫରନଗରର ମେରପୁର ଉପନିର୍ବାଚନରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉପରକୁ ପଥରମାଡ ହୋଇଥିବା ଖବର ପହଞ୍ଚିଛି । କିଛି ନକଲି ଭୋଟର ଭୋଟ ଦେଉଥିବା ଅଭିଯୋଗ ହୋଇଛି । ପୋଲିସ ଭୋଟରଙ୍କୁ ଘଉଡାଇ ଦେବା ସହିତ ଆଇକାର୍ଡ ଚିରି ଦେଉଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ ।

ପଞ୍ଜାବ ଉପନିର୍ବାଚନରେ ପୁଲିଂ ବୁଥରେ ଦଳୀୟ କର୍ମୀଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ପଞ୍ଜାବ ଗୁରୁଦାସପୁର ଦେରା ପାଥନାର ଏକ ପୁଲିଂ ବୁଥରେ କଂଗ୍ରେସ ଏବଂ ଆପ୍ ଦଳର ନେତାଙ୍କ ମଧ୍ୟରେ ହିଂସା ହୋଇଥିବା ଖବର ପହଞ୍ଚିଛି । କଂଗ୍ରେସ ସାଂସଦ ସୁଖବିନ୍ଦର ସିଂହ ରନ୍ଦୱା ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ ।