ସୋରଡ଼ା, ୦୭/୦୮ : ଗଞ୍ଜାମ ଜିଲ୍ଲା ସୋରଡ଼ାର ଆଶ୍ଚର୍ଯ୍ୟଜନକ ଘଟଣା। ସ୍କୁଲ୍ ବସ୍‌ରେ ଭୂତ ଭୟ ! ଏକା ସାଙ୍ଗରେ ଚିତ୍କାର କରିବା ସହ ଅଚେତ ହୋଇଗଲେ ୧୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ। ତାଜୁବ ହୋଇଗଲେ ଡାକ୍ତର। ଗୁରୁବାର ସକାଳେ ଭୌତୁକି ଘଟଣା ଘଟିଛି। ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । 

ସୂଚନାନୁଯାୟୀ, ସୋରଡ଼ାରେ ଥିବା ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବ୍ଲକର ବିଭିନ୍ନ ଗ୍ରାମରୁ ଛାତ୍ରଛାତ୍ରୀମାନେ ଏକ ସ୍ଵତନ୍ତ୍ର ବସ୍‌ରେ ଯିବା ଆସିବା କରନ୍ତି । ଗୁରୁବାର ସକାଳେ ଛାତ୍ରଛାତ୍ରୀମାନେ ଅନ୍ୟ ଏକ ସ୍କୁଲ୍ ବସ୍‌ରେ ବିଦ୍ୟାଳୟକୁ ଆସୁଥିଲେ। ସକାଳୁ ବସ୍‌ଟି ବୋରଦା, ବଡ଼ଗଡ଼, ସିଦ୍ଧପୁରରୁ ପିଲାଙ୍କୁ ଧରି ଆସୁଥିଲା। ହଠାତ୍ ସିଦ୍ଧିପୁର ପରେ ୧୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥତା ଅନୁଭବ କଲେ। ପରେ ବସ୍‌ଟି ସୋରଡ଼ା ଜରଉ ଛକ ହନୁମାନ ମୂର୍ତ୍ତି ନିକଟରେ ପହଁଚିଲା ପରେ ସମସ୍ତେ ଅଚେତ ହୋଇଗଲେ। ସବୁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସମସ୍ତଙ୍କର ଅକ୍ସିଜେନ, ବିପି ଚେକ୍ କରାଗଲା। ହେଲେ ଆଶ୍ଚର୍ଯ୍ୟର କଥା ସବୁ କିଛି ଠିକ୍‌ଠାକ୍ ଥିଲା। କୌଣସି ପ୍ରକାର ସମସ୍ୟା ନଥିବା ଡାକ୍ତର କହିଥିଲେ। ଏହି ଘଟଣା ଶୁଣି ଡାକ୍ତର ବି ତାଜୁବ ହୋଇଯାଇଥିଲେ। ଅବସ୍ଥାରେ ସୁଧାର ନଆସିବାରୁ ସମସ୍ତଙ୍କୁ ଠାକୁରଙ୍କ ପାଖକୁ ଆଣି ଚନ୍ଦନ, ସିନ୍ଦୂର, ଝଡ଼ା ଫୁଙ୍କା କରାଯାଇଥିଲା। ପରେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏପରି କାହିଁକି ହେଲା ଜଣାପଡିନି। ତେବେ ଏହା କୌଣସି ଅତୃପ୍ତ ଆତ୍ମା ଯୋଗୁଁ ଏପରି ହୋଇଥିବା ଚର୍ଚ୍ଚା ଚାଲିଛି। 

କୌଣସି ପ୍ରକାରର ଅନ୍ଧବିଶ୍ଵାସର ପ୍ରୋତ୍ସାହନ ପାଇଁ ଏହି ଖବର କରାଯାଇ ନାହିଁ।