ଭାରତ ଏକ ଗ୍ରାମବହୁଳ ଦେଶ ହେଲେ ମଧ୍ୟ ସହରୀକରଣ ବା ସହର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଅଛି । ସହରରେ ତୁଳନାତ୍ମକ ଭାବରେ ଗ୍ରାମ ଅପେକ୍ଷା ଅନେକ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକମାନେ ସହରାଭିମୁଖୀ ହେଉଅଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅଧିକ ରୋଜଗାର ଓ ସୁଖ-ସ୍ୱାଚ୍ଛନ୍ଦ୍ୟ ଜୀବନଯାପନ ପାଇଁ ସହରକୁ ଅଧିକ ପସନ୍ଦ କରୁଅଛନ୍ତି । ତେଣୁ ସହରଗୁଡ଼ିକ ଲୋକାରଣ୍ୟରେ ପରିଣତ ହେଉଥିବାବେଳେ ଗ୍ରାମ୍ୟ ଜୀବନ ଓ ଗ୍ରାମରେ ରହିବା ଇଚ୍ଛା କ୍ରମେ କମି ଆସୁଅଛି । ଓଡ଼ିଶା ରାଜ୍ୟର ୨୦୨୬ ମସିହା ମଧ୍ୟଭାଗ, ଅର୍ଥାତ୍ ଜୁନ୍ ମାସ ସୁଦ୍ଧା ମୋଟ୍ ଜନସଂଖ୍ୟା ୪.୭୨କୋଟି, ଯାହା ଦେଶର ୧୧ତମ ଜନବହୁଳ ରାଜ୍ୟ ଏବଂ ଜାତୀୟ ଜନସଂଖ୍ୟାର ୩.୩୦% ଅଟେ । ରାଜ୍ୟରେ ଥିବା ସହରମାନଙ୍କର ମୋଟ୍ ଜନସଂଖ୍ୟା ୭ରୁ ୮ ମିଲିୟନ୍ ହେବ ଏବଂ ରାଜ୍ୟ ଜନସଂଖ୍ୟାର ୧୭% ଅଟେ ।
ସହରରେ ଜନସଂଖ୍ୟା ବୃଦ୍ଧି ଘଟିଲେ ସହରୀ ଚଳଣିରେ ବର୍ଜ୍ୟବସ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଯଥା– ଖାଦ୍ୟ, ବସ୍ତ୍ର ଓ ଦୈନନ୍ଦିନ ବ୍ୟବହାର ପଦାର୍ଥରେ ଉତ୍ପନ୍ନ ହୋଇଥାଏ ଏବଂ ଏହା ଏକ ପ୍ରମୁଖ ସମସ୍ୟା ଭାବରେ ଦେଖାଦେଇଥାଏ । ସହର ସ୍ୱଚ୍ଛତା ମୁଣ୍ଡବିନ୍ଧାର କାରଣ ସାଜିଥାଏ । ବର୍ଜ୍ୟବସ୍ତୁ ବା ଅଳିଆକୁ ସର୍ବସାଧାରଣ ଜାଗାରେ ପକାଇବା, ରାସ୍ତାକଡ଼ରେ ଏଣେତେଣେ ଫୋପାଡ଼ିବା କିମ୍ବା ପାଣି ଦେଖି ପକାଇବା ଦ୍ୱାରା ଜମା ହୋଇ ଅନେକ ସ୍ୱାସ୍ଥ୍ୟଗତ ଓ ପରିବେଶଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବର୍ଜ୍ୟବସ୍ତୁର ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ ସହରକୁ ସ୍ୱଚ୍ଛ ରଖିବା ପାଇଁ । ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ପରିଚାଳନା ନକଲେ ସ୍ୱାସ୍ଥ୍ୟଗତ ସମସ୍ୟାମାନ ମୁଣ୍ଡ ଟେକିଥାଏ । ଯଦି ଅଳିଆ ସଫା ନହୋଇ ଜମାହୋଇ ରହିବ, ତେବେ ଡ୍ରେନ୍ ପଦ୍ଧତି ବାଧାପ୍ରାପ୍ତ ହେବ, ସ୍ଥିରଜଳ ଦୂଷିତ ହୋଇ ମଶାବଂଶ ସୃଷ୍ଟି ହେବେ, ଫଳରେ ମେଲେରିଆ, କଲେରା ଓ ଡେଙ୍ଗୁ ଆଦି ରୋଗ ବ୍ୟାପିଯିବ । ଅଦରକାରୀ ବ୍ୟାଟେରୀ କିମ୍ବା ପ୍ଲାଷ୍ଟିକ ପୋଡ଼ିବା ଦ୍ୱାରା ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ବା ଗ୍ୟାସ୍ କ୍ୟାନସର ରୋଗ ବୃଦ୍ଧି କରିବ । ମୃତ୍ତିକା ଏବଂ ଜଳ ବର୍ଜ୍ୟବସ୍ତୁ ଦ୍ୱାରା ଆକ୍ରାନ୍ତ ହୋଇ ଚାଷଜମି ବିଷାକ୍ତ ହୋଇଥାଏ, ଭୂମିତଳେ ଜଳସ୍ରୋତ ବ୍ୟବହାର ଯୋଗ୍ୟ ହୋଇନଥାଏ, ଯାହା ପିଇବା ପାଣି ବା ଜଳସେଚନ ପାଇଁ ଯୋଗ୍ୟ ହୋଇନଥାଏ । ଜଳବାୟୁ ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ । ମିଥେନ୍ ଗ୍ୟାସ୍ ସୃଷ୍ଟି ହୋଇ ପରିବେଶ ବିଷାକ୍ତ ହୋଇଯାଏ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଥାଏ ।
ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ଓ ନିୟନ୍ତ୍ରଣ ଦ୍ୱାରା ହିଁ ସହରୀ ସ୍ୱଚ୍ଛତା ବଜାୟ ରହିଥାଏ । ଏହାଦ୍ୱାରା ରୋଗ ସଂକ୍ରମଣ ରୋକିବା, ଦୁର୍ଗନ୍ଧକୁ ନିୟନ୍ତ୍ରଣକୁ ଆଣିବା, ରାସ୍ତାଘାଟ ମୁକ୍ତ ରଖିବା, ଜଳବନ୍ଦୀ ରୋକିବା, ବାୟୁର ମାନ ବୃଦ୍ଧି କରିବା ଓ ସ୍ଥାନୀୟ ପ୍ରଦୂଷଣ ରୋକିବା ସମ୍ଭବ ହୋଇଥାଏ । ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ, ସହରାଞ୍ଚଳରେ ଆଧୁନିକ ଓ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ କେତେକ ପଦ୍ଧତି ଜରୁରି ହୋଇଥାଏ। ପ୍ରଥମତଃ, ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ବିଭକ୍ତୀକରଣ କରିବା । ଅର୍ଥାତ୍ ଅଲଗା ଭାବରେ ଓଦା ଓ ଶୁଷ୍କ ଅଳିଆକୁ ସଂଗ୍ରହ କରିବା ଦ୍ୱାରା ସଂକ୍ରମଣଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ରକ୍ଷା ମିଳେ । ବର୍ଜ୍ୟବସ୍ତୁ ଯାହା ବ୍ୟାକ୍ଟେରିଆ ଦ୍ୱାରା ସଢ଼ି ଅବକର୍ଷିତ ହୋଇପାରୁଥିବ, ମୂଳବସ୍ତୁରେ ପରିବର୍ତ୍ତନ କରି ଆଉ ଥରେ ବ୍ୟବହାରଯୋଗ୍ୟ ହୋଇପାରିବ ଏବଂ ଯଦି ବିପଦପୂର୍ଣ୍ଣ ହୋଇଥିବ ସେସବୁ ଅଲଗା ଭାବରେ ସଂଗ୍ରହ ହେବା ଆବଶ୍ୟକ । ଯେଉଁ ଅଞ୍ଚଳରେ ବାସ କରୁଥିବେ ସେହି ବସ୍ତି, ସମ୍ପ୍ରଦାୟ ବା ସମାଜର ଲୋକମାନେ ବର୍ଜ୍ୟବସ୍ତୁକୁ ଖତସାରରେ ପରିଣତ କରି ନିଜ ବଗିଚା ବା ଫୁଲକୁଣ୍ଡମାନଙ୍କରେ ବ୍ୟବହାର କରିପାରିବେ । ସୁପରିଚାଳନା ଦ୍ୱାରା ବର୍ଜ୍ୟବସ୍ତୁ ବିଭିନ୍ନ ନିର୍ମାଣ ଭିତ୍ତିଭୂମି, ଡ୍ରେନ୍ ଓ ଜଳ ନିଷ୍କାସନ ପଦ୍ଧତି ଶୃଙ୍ଖଳିତ ରହେ । କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ରାସ୍ତା, ପାର୍କ ଓ ଲୋକଙ୍କ ଚଲାପଥ ସର୍ବଦା ମୁକ୍ତ ରହିଥାଏ । ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, କଠିନ ଅଳିଆକୁ ପ୍ରକ୍ରିୟାକରଣ କରିବା, ବଳକା ଖାଦ୍ୟ, ଖଦଡ଼ା ପରିବା ଚୋପାକୁ ପୋତିଦେବା, ବିଭିନ୍ନ ଶୁଖିଲା ତଥା କଠିନ ବସ୍ତୁ ଯଥା- ପ୍ଲାଷ୍କିକ, କାଗଜ, କାଚ ଓ ଧାତୁକୁ ସ୍ୱତନ୍ତ୍ର ଧ୍ୟାନଦେଇ ପରିଚାଳନା କରିବା ଉଚିତ । ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବର୍ଜ୍ୟବସ୍ତୁ ଯଥା- ଡାଇପର, ବ୍ୟବହୃତ ଔଷଧ ଖୋଳ ଓ ବ୍ୟାଟେରୀ ଇତ୍ୟାଦିକୁ ଠିକ୍ଭାବେ ନିରାକରଣ ପ୍ରକ୍ରିୟା ଦ୍ୱାରା ପରିଚାଳନା ଦ୍ୱାରା ସ୍ୱାସ୍ଥ୍ୟ ଓ ବାୟୁ ପରିବେଶ ସ୍ୱଚ୍ଛ ରଖାଯାଇପାରିବ । ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ସି.ଏନ୍.ଜି ବା ବାଇଓଗ୍ୟାସ୍ ଏବଂ ଶକ୍ତି ମଧ୍ୟ ଉତ୍ପନ୍ନ ହୋଇପାରୁଛି । ବର୍ଜ୍ୟବସ୍ତୁ ଦୈନନ୍ଦିନ ଚଳଣିରେ ଲୋକମାନଙ୍କୁ ଅନେକ ସମସ୍ୟା ପହଞ୍ଚାଇଥାଏ । ଗ୍ରାମାଞ୍ଚଳ ଅପେକ୍ଷା ବର୍ଦ୍ଧିତ ଜନସଂଖ୍ୟା ସହିତ ସୀମିତ ସ୍ଥାନ ଯୋଗୁଁ ସହରାଞ୍ଚଳରେ ଏହାର ଭୟାବହତା ଅଧିକ ହୋଇଥାଏ । ତେଣୁ ଏହାକୁ କମ୍ କରିବା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପମାନ ନେବା ଜରୁରି ଅଟେ ।
ପ୍ରଥମେ ନିଜ ବା ପରିବାରର ଖାଦ୍ୟ ଯୋଜନା ଏପରି କରାଯିବା ଆବଶ୍ୟକ, ଯେମିତି ଖାଦ୍ୟ ନଷ୍ଟ ନହେବ । ତେଜରାତି ଜିନିଷକୁ ମଧ୍ୟ ସୀମିତ କରାଯିବା ଦରକାର । ସର୍ବଦା ଏକକ ବ୍ୟବହାର କରି ହେଉଥିବା ପଦାର୍ଥକୁ ବର୍ଜନ କରି ପୁନଃ ବ୍ୟବହାରଯୋଗ୍ୟ ପଦାର୍ଥକୁ ଗ୍ରହଣ କରିବା ଉଚିତ୍ ହେବ । ଦୈନିକ ଚଳଣି ପଦାର୍ଥକୁ ଏକାଥରରେ ବେଶି ପରିମାଣରେ କ୍ରୟ କଲେ ଅଧିକ ପୁଡ଼ିଆଜନିତ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେବନାହିଁ । ଦ୍ୱିତୀୟରେ, ବର୍ଜ୍ୟବସ୍ତୁକୁ ଜୈବସାରରେ ପରିଣତ କରିବା ପାଇଁ ପଦକ୍ଷେପ ନେବା ଜରୁରି । ଏଥିପାଇଁ ପୌର ପ୍ରଶାସନର ସାହାଯ୍ୟ ଗ୍ରହଣ କରାଯାଇଥାଏ । ତୃତୀୟରେ, କାଗଜବିହୀନ କାର୍ଯ୍ୟ ଯଥା- ଅନ୍ଲାଇନ୍ କ୍ରୟ, ବୈଦ୍ୟୁତିକ ବା କମ୍ପ୍ୟୁଟର ମାଧ୍ୟମରେ ବିଲ୍ ତିଆରି କରିବା, ବହି, ଖାତା ଏବଂ ପତ୍ରିକା ଭୌତିକ ଭାବରେ କ୍ରୟ ନକରିବା ଦ୍ୱାରା ବର୍ଜ୍ୟବସ୍ତୁର ଉତ୍ପନ୍ନ କମ୍ କରିହେବ । ବ୍ୟବହାର କରୁଥିବା ପୋଷାକ ଏବଂ ଅନ୍ୟାନ୍ୟ ବସ୍ତ୍ର ଉତ୍ତମ ମାନର ହେବା ଦରକାର, ଯାହା ଦୀର୍ଘଦିନ ବ୍ୟବହାର କରିହେବ ଏବଂ ପୁରୁଣାଗୁଡିକ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଅଳିଆ କମ୍ ହୋଇପାରିବ । ଚତୁର୍ଥରେ, ଅନେକ କଠିନ ବର୍ଜ୍ୟବସ୍ତୁକୁ ପୁନଃଚକ୍ରଣ କରିହୁଏ । ମାତ୍ର ଏହାପୂର୍ବରୁ ସେଗୁଡ଼ିକ ପୁନଃ ବ୍ୟବହାରଯୋଗ୍ୟ ହୋଇଥିଲେ, ବିଶେଷ ଭାବରେ ମରାମତି ବା ଅନ୍ୟ ସଫା କରିବା କାର୍ଯ୍ୟରେ ବ୍ୟବହାର କରିବା ଆବଶ୍ୟକ । ପଞ୍ଚମରେ ଅନାବଶ୍ୟକ ପଦାର୍ଥ ମାଗଣା ବା ବିକ୍ରି ପାଇଁ ପ୍ରଚାରଜନିତ ମୁକ୍ତବଣ୍ଟନକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ଅଳିଆ ଭାବରେ ଗଚ୍ଛିତ ହେବନାହିଁ । ଷଷ୍ଠରେ, ସବୁବେଳେ ପରିବେଶ ଅନୁକୂଳ ପଦାର୍ଥ ଯଥା ବ୍ୟବହାର ପରେ ପକାଇଦବାକୁ ପ୍ରତ୍ୟାଖ୍ୟାନ କରି, ସଫା କରି ପୁନଃବ୍ୟବହାର କରିହେଉଥିବା ବର୍ଜ୍ୟବସ୍ତୁକୁ କମ୍ କରିବାରେ ସାହାଯ୍ୟ କରିଥାଏ । ସପ୍ତମରେ ସମସ୍ତ ପଦକ୍ଷେପ ପରେ ଯେଉଁ ଆବର୍ଜନା ବଳକା ରହିଯିବ, ତାକୁ ପୌର ପ୍ରଶାସନର ନିର୍ଦ୍ଦେଶାବଳୀ ଏବଂ ସହଯୋଗରେ ବ୍ୟବହାର କିମ୍ବା ନଷ୍ଟ କରାଯିବା ଆବଶ୍ୟକ, ନଚେତ୍ ପରିବେଶ ଦୂଷିତ ବା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିବ ।
ଭାରତରେ ବାସ୍ତବ ଚିତ୍ର ଦେଖିଲେ ପ୍ରତ୍ୟେକ ବର୍ଷ ୬୨ ମିଲିୟନ୍ ଟନ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ । ତା’ ମଧ୍ୟରୁ ୪୩ ମିଲିୟନ୍ ଟନ୍ ଯାହା ହାରାହାରି ୭୦% ସଂଗ୍ରହ ହୋଇଥାଏ ଏବଂ ୧୨ ମିଲିୟନ ଟନ୍କୁ ପ୍ରକ୍ରିୟାକରଣ ଦ୍ୱାରା ବ୍ୟବହାର ହୋଇଥାଏ । ଅବଶିଷ୍ଟ ୩୧ ମିଲିୟନ୍ ଟନ୍ ଆବର୍ଜନା ଜମାହୋଇ ରହେ ଅବା ଖାଲୁଆ ଜାଗାରେ ପୂରଣ କରାଯାଇଥାଏ । ଆଶା କରାଯାଏ ଯେ, ୨୦୩୦ ମସିହା ବେଳକୁ ସହର ବା ପୌରାଞ୍ଚଳର କଠିନ ବର୍ଜ୍ୟବସ୍ତୁର ଉତ୍ପନ୍ନ ପ୍ରାୟ ୧୬୫ ମିଲିୟନ୍ ଟନ୍ରେ ପହଞ୍ଚିଯିବ । ତେଣୁ ଏବେଠୁଁ ସତର୍କ ନହେଲେ ପରିଣାମ ଭୋଗିବାକୁ ପଡିବ । ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋର ସହର ସର୍ବୋତ୍ତମ ଅଟେ । ଏହା ଦେଶର ସବୁଠାରୁ ପରିଷ୍କାର ସହର ଅଟେ । ଏହା ପଛକୁ ଗୁଜରାଟର ସୁରଟ, ଛତିଶଗଡ଼ର ଅମ୍ବିକାପୁର, ମହାରାଷ୍ଟ୍ରର ନାଭିମୁମ୍ବାଇ ଏବଂ କର୍ଣ୍ଣାଟକ ରାଜ୍ୟର ମହୀଶୁର ସହର ସ୍ୱଚ୍ଛ ଅଟେ ।
ପ୍ରକାଶଥାଉ କି, ଉତ୍ତରପ୍ରଦେଶ ରାଜ୍ୟର ଗୋରଖପୁର ସହର ସର୍ବପ୍ରଥମେ ବର୍ଜ୍ୟବସ୍ତୁ ପରିଚାଳନା ଦେଶରେ ଆରମ୍ଭ କରିଥିଲା । ସମ୍ପୂର୍ଣ୍ଣ ଭାବରେ ଆବର୍ଜନାମୁକ୍ତ ସହର ବିଶ୍ୱରେ ଘାନା ଦେଶର ଆକ୍ରା, ଇଟାଲୀର ବୋଲଗ୍ନା, ଶ୍ରୀଲଙ୍କାର ଦେହିୱାଲା ଥିବାବେଳେ ଭାରତରେ ଗୋଟିଏ ବି ନାହିଁ । ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା ଦ୍ୱାରା ପରିବେଶ ସ୍ୱଚ୍ଛ ରହେ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ସହିତ ଦେଶର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିଥାଏ । ଏହା କେନ୍ଦ୍ର ସରକାରଙ୍କର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସବୁ ହିତାଧିକାରୀ ସେ ସରକାର ହୁଅନ୍ତୁ ଅବା ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନର ଅଧିବାସୀ, ସମସ୍ତଙ୍କର କର୍ତ୍ତବ୍ୟ ହେଲା ନିଜ ସହରକୁ ପରିଷ୍କାର ରଖିବା । ନୂତନ ଜ୍ଞାନ-କୌଶଳ ମାଧ୍ୟମରେ ଯଦି ବର୍ଜ୍ୟବସ୍ତୁକୁ ପୁନଃଚକ୍ରଣ କରି ମୂଲ୍ୟବାନ ପଦାର୍ଥର ବ୍ୟବହାର ହୋଇପାରିବ, ତାହାଦ୍ୱାରା ସମସ୍ତେ ଉପକୃତ ହେବେ । କେନ୍ଦ୍ର ସରକାରଙ୍କର ପ୍ରଚଳିତ କାର୍ଯ୍ୟକ୍ରମ "ସ୍ୱଚ୍ଛ ଭାରତ ମିଶନ'ର ନୀତିକୁ ଆପଣାଇଲେ ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ହୋଇପାରିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡ (ସି.ପି.ସି.ବି)ର ସାହାଯ୍ୟ ମଧ୍ୟ ଲୋଡ଼ା ଯାଇପାରିବ । ସବୁଠାରୁ ବଡ଼ କଥା ହେଲା ଜନସାଧାରଣଙ୍କୁ ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ ଓ ସରକାରଙ୍କ ଦ୍ୱାରା ସଚେତନତା ବାର୍ତ୍ତାର ପ୍ରଚାର ସହିତ ଶିକ୍ଷା ପ୍ରଦାନ କରାଗଲେ ଏହା ନିଶ୍ଚିତ ଭାବରେ ଫଳପ୍ରଦ ହେବ ।