ମୁମ୍ବାଇ, ୭।୭: ମହାରାଷ୍ଟ୍ରରେ ପ୍ରକୃତିର ତାଣ୍ଡବଲୀଳା । ବିଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ଅଦିନିଆ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ସ୍ଥିତି ସ ହୋଇପଡ଼ିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ର ସୂଚନା ଅନୁଯାୟୀ, ପ୍ରବଳ ବନ୍ୟା ଯୋଗୁଁ ପ୍ରାୟ ୧୦୦ ରୁ ଅଧିକ ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି, ଯାହାଫଳରେ ଶତାଧିକ ଲୋକ ବାସହରା ହୋଇପଡ଼ିଛନ୍ତି । ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଲୋନାଭଲାରେ ସର୍ବାଧିକ ୬୨୫ ମିମି ବର୍ଷା ରେକର୍ଡ କରାଯାଇଛି, ରାୟଗଡ଼ରେ ୨୩୬ ମିମି ବର୍ଷା, ଥାଣେରେ ୧୬୧ ମିମି ବର୍ଷା, ରତ୍ନଗିରି ଓ ପାଲଘରରେ ଯଥାକ୍ରମେ ୧୫୨ ମିମି ଏବଂ ୧୩୨ ମିମି ବର୍ଷା ହୋଇଛି । ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ୧୦୦ ରୁ ୧୬୧ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ... Telangana Wife Murder Husband: ପରକୀୟା ପ୍ରୀତିର ଭୟଙ୍କର ଅନ୍ତ; ସ୍ୱାମୀକୁ ଛାତରୁ ଠେଲିଲା, ବଞ୍ଚିଯିବାରୁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ମାରିଲା ସ୍ତ୍ରୀ !
ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଉଲ୍ଲାସ, କାଲୁ ଏବଂ ପିଞ୍ଜାଲ ନଦୀ ସତର୍କ ସୂଚନା ସ୍ତର ପାର୍ କରିଥିବା ବେଳେ ଆମ୍ବା, ସାବିତ୍ରୀ, କୁଣ୍ଡଳିକା, ପାତାଳଗଙ୍ଗା ଏବଂ ଜଗବୁଡ଼ି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଦଲାପୁର, ମୋହନେ ଏବଂ ଜାମ୍ବୁଲପଡ଼ା ଭଳି ଅଞ୍ଚଳ ପାଇଁ ହାଇ-ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଅନେକ ସ୍ଥାନରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ମାଙ୍କୁର୍ଦ୍ଦର ଏକ କୋଠା ଭୁଶୁଡ଼ି ବସ୍ତି ଉପରେ ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଉପକଣ୍ଠ ଅଞ୍ଚଳରେ ଗଛ ପଡ଼ି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ସାତାରାରେ ଭୂସ୍ଖଳନ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସିନ୍ଧୁଦୁର୍ଗ ଓ ପାଲଘରରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଛି । ସିନ୍ଧୁଦୁର୍ଗରେ ପ୍ରବଳ ପବନ ଯୋଗୁଁ ପ୍ରାୟ ୩୦ଟି ଘର ଭାଙ୍ଗିଯାଇଛି ।
ଅନ୍ୟପଟେ, ପୁଣେର ମାୱାଲ ତାଲୁକାରେ ଭୂସ୍ଖଳନ ଯୋଗୁଁ ଏକ ଘର ଭିତରେ ୪ ଜଣ ନାଗରିକ ଫସି ରହିଛନ୍ତି । ସେହିପରି ତାଲେଗାଓଁ-ଡାଭାଡେ ନିକଟରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ବନ୍ୟା ପାଣିରେ ଫସିଯାଇଥିଲା । ତେବେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ରାୟଗଡ଼ର ସୁଧାଗଡ଼ରେ ବନ୍ୟା ପାଣି ଘେରରେ ଥିବା ଏକ ୬ ମାସର ଶିଶୁ ସହ ପରିବାରର ୬ ଜଣ ସଦସ୍ୟଙ୍କୁ ଡଙ୍ଗା ସାହାଯ୍ୟରେ ଛାତ ଉପରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଲଗାତାର ବର୍ଷା ଯୋଗୁଁ ମାଥେରାନ, ଲୋନାଭାଲା, ଖୋପୋଲି ଏବଂ ଲୋହଗଡ଼ ଭଳି ପ୍ରସିଦ୍ଧ ପାର୍ବତ୍ୟାଞ୍ଚଳ ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି ।