​​​​​​​ବ୍ରହ୍ମପୁର, ୧୨।୧: ସ୍ୱଚ୍ଛ ସବୁଜ ବ୍ରହ୍ମପୁରର ବାର୍ତ୍ତା ଦେଇ ରାମଲିଙ୍ଗମ୍ ପାର୍କଠାରୁ ବାହାରିଥିଲା ୱାକାଥନ୍ । ଗିରିଜା ଛକ, ଅନ୍ନପୂର୍ଣ୍ଣା ମାର୍କେଟ୍, ଟେଲିଫୋନ୍ ଭବନ ରୋଡ୍, ଟାଉନ୍ ହଲ୍ ରୋଡ୍ ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ସାମିଲ ହୋଇଥିଲେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ୱାକାଥ ସବୁ ବୟସର, ଡାକ୍ତରୀ ଓ ନର୍ସିଂ ପେସା ବ୍ୟକ୍ତି, ୱାକର୍ସ କ୍ଲବ୍ ସଦସ୍ୟ, କଲେଜ ଛାତ୍ରଛାତ୍ରୀଙ୍କ ସମେତ କ୍ରୀଡ଼ାବିତ୍, ପରିବେଶପ୍ରେମୀ ପ୍ରମୁଖ ସାମିଲ ଥିଲେ । ଏ ଥିଲା ବ୍ରହ୍ମପୁରକୁ ସ୍ୱଚ୍ଛ ସବୁଜ ମହାନଗର ଭାବେ ଗଢ଼ି ତୋଳିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ପ୍ରମେୟ’ ର ପ୍ରୟାସ ଅନ୍ତର୍ଗତ ୱାକାଥନ୍ । ରବିବାର ସକାଳେ ଏହି ପଦଯାତ୍ରା ହୋଇଥିଲା । ‘ପ୍ରମେୟ ଓ ନ୍ୟୁଜ୍-୭’ ପକ୍ଷରୁ ଆୟୋଜିତ ଏହି ୱାକାଥନ୍କୁ ବିଏମ୍ସି ଡେପୁଟି ମେୟର୍ ଇ.ବିବେକ ରେଡ୍ଡି ଓ ଡେପୁଟି କମିଶନର୍ କଲ୍ୟାଣୀ ସଂଘମିତ୍ରା ଦେବୀ ଅତିଥି ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସୁମା ରିଅଲ୍ ମିଡିଆ ସେଲ୍ସ ଆଣ୍ଡ୍ ମାର୍କେଟିଂ ଗ୍ରୁପ୍ ନିର୍ଦ୍ଦେଶକ ହିମାଂଶୁ ହୋତା, ସମ୍ ହସ୍ପିଟାଲ୍ (ଶୀତଳାପଲ୍ଲୀ) ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍ ଅର୍ଚ୍ଚନା ତ୍ରିପାଠୀ, ଡିଜିଏମ୍ (ପ୍ରସାର ବିଭାଗ) ଗଜେନ୍ଦ୍ର ଦାସ, ଡିଜିଏମ୍ (ନ୍ୟୁଜ୍) ଅମ୍ବିକା ପ୍ରସାଦ ଦାଶ, ଏଜିଏମ୍ (ମାର୍କେଟିଂ) ବିଶ୍ୱରୂପ ପରିଡ଼ା, ରିଜିଓନାଲ୍ ମ୍ୟାନେଜର୍ (ମାର୍କେଟିଂ) ପ୍ରବୀଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସଭାରେ ଅତିଥି ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଥିଲେ ।

ଡେପୁଟି ମେୟର୍ ପ୍ରମେୟର ଏହି ପ୍ରୟାସକୁ ପ୍ରଶଂସା କରି କହିଥିଲେ, ବ୍ରହ୍ମପୁରକୁ ସ୍ୱଚ୍ଛ ସବୁଜ କରିବାରେ ସମସ୍ତଙ୍କ ସହଯୋଗ ଲୋଡ଼ା । ବ୍ରହ୍ମପୁର ମହାନଗର ନିଗମ ଏ ଦିଗରେ ତାର ପ୍ରୟାସ ଜାରି ରଖିଛି । ଆହୁରି ଅନେକ କିଛି କରିବାର ଅଛି । ସମସ୍ତେ ମିଶିଲେ ଶ୍ରେଷ୍ଠ ବ୍ରହ୍ମପୁର ଗଢ଼ି ହେବ । ଡେପୁଟି କମିଶନର୍ କହିଥିଲେ, ପରିବେଶ ସଙ୍କଟ ସୀମା ସରହଦ ମାନି ନଥାଏ । ଏହା ବିଶ୍ୱର ସମସ୍ୟା ପାଲଟିଛି । ଋତୁଚକ୍ର ଲୋପ ପାଇଯାଉଛି । କାଉ ରାବି ମଣିଷଙ୍କୁ ଉଠାଇବାର ପ୍ରକ୍ରିୟା ଆଉ ଦେଖିବାକୁ ମିଳୁନି । ହିମ ତରଳୁଛି, ମରୁଭୂମି ସମ୍ପ୍ରସାରିତ ହେଉଛି । ପ୍ରକୃତି-ମଣିଷ ମଧ୍ୟରେ କ୍ରିୟା ପ୍ରକ୍ରିୟା ଗୁରୁତର ପ୍ରଭାବିତ ହେଉଛି । ଏଣୁ ମୋର କିଛି ନାହିଁ ବୋଲି ଦୁଃଖ କରିବା ଅପେକ୍ଷା ଏହି ଜାଗତିକ ସଙ୍କଟ ପାଇଁ ଦୁଃଖ କରିବାର ବେଳା ଉପନୀତ । କେବଳ ‘ପ୍ରମେୟ’ ପ୍ରୟାସ କଲେ ବା ଲେଖିଲେ ଯଥେଷ୍ଟ ହେବନି, ବରଂ ସବୁଜ ସୁନ୍ଦର ବିକଶିତ ପୃଥିବୀ ପାଇଁ ଔପଚାରିକତାର ବାହାରେ ତଥା ପରିସଂଖ୍ୟାନରୁ ଊଦ୍ଧ୍ୱର୍କୁ ଯାଇ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ‘ପ୍ରମେୟ’ର ଏହି ଅଭିନବ ପ୍ରୟାସ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଡିଜିଏମ୍ (ପ୍ରସାର) ‘ପ୍ରମେୟ’ର ଜନସମ୍ପର୍କ ଅଭିଯାନ ବାବଦରେ କହିଥିଲେ । ସମ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଦୁବାଇର ମରୁଭୂମିରେ ବନ୍ୟା ଓ କାକର ପଡ଼ିବା ଭଳି ପ୍ରକୃତିର ବ୍ୟତିକ୍ରମ ବାବଦରେ ଉଲ୍ଲେଖ କରି ଏବେଠାରୁ ସଜାଗ ହେବାକୁ ପରାମର୍ଶ ଦେଇଥିଲେ । ‘ନ୍ୟୁଜ୍-୭’ ବ୍ୟୁରୋ ମୁଖ୍ୟ ସୁରଜିତ ପଣ୍ଡା ଉପସ୍ଥିତ ଥିଲେ । ପ୍ରମେୟ ଡେସ୍କ୍ ଇନ୍ଚାର୍ଜ ପ୍ରସନ୍ନ କୁମାର ସାହୁ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।