ଜଳବାୟୁ ପରିବର୍ତ୍ତନ ବଦଳାଇବ ସମୁଦ୍ର ରଙ୍ଗ

source:http://www.wallpapers13.com
ଏକବିଂଶ ଶତାବ୍ଦୀ ଶେଷ ବେଳକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ରଙ୍ଗରେ ପରିବର୍ତ୍ତନ ହେବ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ନୀଳ ଓ ସବୁଜ ରଙ୍ଗ ସମଷ୍ଟିରେ ସମୃଦ୍ଧ ସମୁଦ୍ରର ରଙ୍ଗ ଆହୁରି ନୀଳ ଓ ସବୁଜ ହେବ ବୋଲି ଏମ୍ଆଇଟି ଅଧ୍ୟୟନରୁ ଜଣାପଡ଼ିଛି । ତେବେ ଏହି ପରିବର୍ତ୍ତନ ଖାଲି ଆଖିକୁ ଦିଶିବନି । ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ଜୈବବିବିଧତା ଉପରେ କିପରି ପ୍ରଭାବ ପକାଏ, ସମୁଦ୍ର ରଙ୍ଗ ତା’ର ସଙ୍କେତ ଦେବ ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା କେମ୍ବ୍ରିଜର
ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବାୟୋଜିଓକେମିଷ୍ଟ ଷ୍ଟିଫାନି ଡଟ୍କିଉଇକ୍ କହିଛନ୍ତି । ସମୁଦ୍ର ତାପମାତ୍ରାରେ ପରିବର୍ତ୍ତନ କାରଣରୁ ଫାଇଟୋପ୍ଲାଙ୍କଟନ୍ ନାମକ କ୍ଷୁଦ୍ର ଜୀବର ସଂଖ୍ୟା ଓ ବିତରଣକୁ ପ୍ରଭାବିତ କରେ । ସୂର୍ଯ୍ୟରଶ୍ମିକୁ ଅବଶୋଷିତ କରିବାରେ ଏହା ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଗ୍ରୀନହାଉସ୍ ଗ୍ୟାସ୍ ବୃଦ୍ଧି ପାଇବା ଯୋଗୁଁ ସମୁଦ୍ର ଅଧିକ ଉଷ୍ମ ଓ ଅମ୍ଳୀୟ ହେଉଛି, ଯାହା ସମୁଦ୍ର ଜୀବଙ୍କ ବାସ ଓ ତିଷ୍ଠିବାରେ ବାଧକ ସାଜିଛି । ନେଚର୍ କମ୍ୟୁନିକେସନ୍ ପତ୍ରିକାରେ ପ୍ରକାଶିତ ନିବନ୍ଧ ଅନୁସାରେ, ଗବେଷକମାନେ ଏକ ଗ୍ଲୋବାଲ୍ ମଡେଲ୍ ବିକାଶ କରିଛନ୍ତି ଯାହା ଫାଇଟୋପ୍ଲାଙ୍କଟନ୍ର ବିଭିନ୍ନ ପ୍ରଜାତିର ବିକାଶ ଓ କାର୍ଯ୍ୟକଳାପକୁ ଅନୁକରଣ କରିବ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହି ପ୍ରଜାତି କିପରି ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ହେବେ, ତାହା ଯାଞ୍ଚ କରିବ । ୨୧୦୦ ବେଳକୁ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ସମୁଦ୍ର ରଙ୍ଗ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଦଳିବ ବୋଲି ମଡେଲ୍ ମାଧ୍ୟମରେ ଗବେଷକମାନେ ଜାଣିପାରିଛନ୍ତି ।