ବିପଦ ବଢ଼ାଉଛି ଜଳବାୟୁ ପରିବର୍ତ୍ତନ, ସତର୍କ ନହେଲେ ବିଲୁପ୍ତ ହେବେ ଅନେକ ପ୍ରଜାତି

pic- internet
ନୂଆଦିଲ୍ଲୀ,୨୨/୦୧: ମଣିଷର ଗତିବିଧି ଓ କାର୍ଯ୍ୟକଳାପ ହେତୁ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି। ଏବଂ ଏହି ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ସଭ୍ୟତାର ପ୍ରତ୍ୟେକ ଦିଗ ପାଇଁ ବିପଦ ପାଲଟିଛି। ଯଦି ଏହାକୁ ଧ୍ୟାନ ନ ଦିଆଯାଏ କିମ୍ୱା ଏ ଦିଗରେ ସତର୍କ ନରହିବା ତେବେ ଆଗାମୀ ସମୟରେ ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଇବ ଯେ ମାନବ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ଏମିତିକି ମରୁଡ଼ି ପରିସ୍ଥିତି ଦେଖାଦେବା, ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଓ ପ୍ରାକୃତିକ ଦୁର୍ବିପାକ ଘଟିପାରେ। ଫଳସ୍ବରୂପ, ପୃଥିବୀରୁ ଅନେକ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି।
ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ପାଇଁ ମାନବୀୟ କାର୍ଯ୍ୟକଳାପ ହେଉଛି ମୁଖ୍ୟ କାରଣ। ଘରୋଇ କାର୍ଯ୍ୟ ପାଇଁ କୋଇଲା ବ୍ୟବହାର, କଳକାରଖାନାରୁ ନିର୍ଗତ ଧୂଆଁ, ଗ୍ୟାସ ଆଦି କାରଣରୁ ଜଳବାୟୁରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଏହି ଜୀବାଶ୍ମ ଇନ୍ଧନ ଜଳିବା ଦ୍ୱାରା ଗ୍ରୀନ୍ ହାଉସ୍ରୁ ଗ୍ୟାସ୍ ର୍ନିଗତ ହୋଇଥାଏ। ଏଥିରେ ସର୍ବାଧିକ ପରିମାଣ କାର୍ବନ ଡାଇଅକ୍ସାଇଡ୍ ରହିଛି । ବାୟୁମଣ୍ଡଳରେ ଏହି ଗ୍ୟାସର ପ୍ରଭାବ ଅଧିକ ରହିବା ଯୋଗୁଁ ସୂର୍ଯ୍ୟର ଉତ୍ତାପ ପୃଥିବୀରୁ ବାହାରକୁ ବିକିରଣ ହୋଇପାରେ ନାହିଁ। ଏପରି ପରିସ୍ଥିତିରେ ପୃଥିବୀରେ ତାପମାତ୍ରା ବୃଦ୍ଧି ପାଇଥାଏ।
ପୃଥିବୀର ତାପମାତ୍ରା ବଢିବା ସହିତ ଗ୍ଲେସିୟର ତରଳି ଯାଉଛି ଏବଂ ସମୁଦ୍ରର ଜଳ ସ୍ତର ମଧ୍ୟ ବଢିବାରେ ଲାଗିଛି। ପୃଥିବୀର କିଛି ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବତାପନ ଯୋଗୁଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସମୁଦ୍ର ମଧ୍ୟରେ ଲୀନ ହେବାକୁ ବସିଲାଣି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ୨୦୫୦ ସୁଦ୍ଧା ସମୁଦ୍ର ତଟବର୍ତ୍ତୀ ପୃଥିବୀର ଅନେକ ସହର ଜଳପ୍ଲାବନର ଶିକାର ହେବାର ଆଶଙ୍କା ରହିଛି।
ସେହିପରି ଆମ ଭାରତରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଏବଂ ପଶ୍ଚିମ ବଙ୍ଗ ଭଳି ତଟୀୟ କ୍ଷେତ୍ରଗୁଡ଼ିକ ଜଳପ୍ଲାବନର ଶିକାର ହେବାର ଆଶଙ୍କା ରହିଛି। ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ମଧୁର ଜଳ ଦୂଷିତ ହେବ ଏବଂ ପିଇବା ପାଇଁ ସ୍ବଚ୍ଚ ପାଣି ମିଳିବାରେ ସଙ୍କଟ ଦେଖା ଦେବ। ଉନବିଂଶ ଶତାବ୍ଦୀ ତୁଳନାରେ ପୃଥିବୀର ତାପମାତ୍ରା ପ୍ରାୟ ୧.୨ ସେଲସିୟସ ବୃଦ୍ଧି ପାଇଛି। ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍ (ଡବ୍ଲୁଏମ୍ଓ) ରିପୋର୍ଟ ଅନୁଯାୟୀ, ୨୦୨୧ରେ ରେକର୍ଡ କରାଯାଇଥିବା ସର୍ବୋଚ୍ଚ ତାପମାତ୍ରା ଥିବା ସାତୋଟି ଅଧିକ ତାପମାତ୍ରା ଥିବା ବର୍ଷ ତାଲିକାରେ ୨୦୨୧ ବର୍ଷ ମଧ୍ୟ ଯୋଡ଼ି ହୋଇଛି।
ଭୂତ୍ତ୍ୱବିତଙ୍କ ମତରେ ୨୦୩୦ରୁ ୨୦୫୨ ମଧ୍ୟରେ, ବିଶ୍ୱର ତାପମାତ୍ରା ବୃଦ୍ଧି ହେତୁ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଯାହା ବିଗତ ୧୦୦ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧ ଡିଗ୍ରୀ ଫାରେନାଇଟ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସଂଖ୍ୟା ଦୃଷ୍ଟିରୁ ପୃଥିବୀର ତାପମାତ୍ରାରେ ଏହି ପରିବର୍ତ୍ତନ ବହୁତ ଛୋଟ ହୋଇପାରେ, କିନ୍ତୁ ଏହିପରି କୈାଣସି ପରିବର୍ତ୍ତନ ମାନବ ଜାତି ଉପରେ ଏକ ବଡ ପ୍ରଭାବ ପକାଇପାରେ। ଭାରତ ପାଇଁ ଚିନ୍ତାର ବିଷୟ ଯେ ଗ୍ଲୋବାଲ୍ କ୍ଲାଇମେଣ୍ଟ ରିସ୍କ ଇଣ୍ଡେକ୍ସ ୨୦୧୮ ଅନୁଯାୟୀ ଭାରତର ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦେଶଗୁଡ଼ିକ ତାଲିକାରେ ରହିଛି। ସେହିପରି ଗ୍ଲୋବାଲ୍ ଜଳବାୟୁ କ୍ଲାଇମେଣ୍ଟ ଇଣ୍ଡେକ୍ସ ୨୦୧୬ ଅନୁଯାୟୀ, ବିପର୍ଯ୍ୟ ପ୍ରବଣ ଦଶଟି ଦେଶ ମଧ୍ୟରେ ଭାରତର ମଧ୍ୟ ରହିଛି।
ଜଳବାୟୁ ପରିବର୍ତ୍ତନକୁ ନେଇ ୨୦୨୧ରେ ଗ୍ଲାସଗୋୱଠାରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୦୦ଟି ଦେଶ ଜଙ୍ଗଲ କଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ ଜଣାଇଥିଲେ। ସଂଯୁକ୍ତ ରାଷ୍ଟ୍ରର ତଥ୍ୟ ଅନୁସାରେ ୧୯୯୦ ମସିହା ପରଠାରୁ ୪୨୦ ମିଲିୟନ ହେକ୍ଚର ଜଙ୍ଗଲ ନଷ୍ଟ ହୋଇଗଲାଣି। ଜଙ୍ଗଲ କାଟିବା ଏବଂ ପୋଡ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନରେ ପ୍ରଭାବ ପକାଉଛି। ବିଶ୍ୱ ସ୍ବାସ୍ଥ ସଂଗଠନ (ଡବ୍ଲୁଏଚଓ) କହିଛି ଯେ ୨୦୩୦ ଓ ୨୦୫୦ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ କୁପୋଷଣ, ମ୍ୟାଲେରିଆ, ଡାଇରିଆ ଆଦି ସମସ୍ୟା ଦେଖାଯିବ। ଯାଦ୍ୱାରା ବର୍ଷକୁ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଛି।
ଜଳବାୟୁରେ ହେଉଥିବା ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧିଯୋଗୁଁ ଗ୍ଲୋବାଲ ଓ୍ବାର୍ମିଂ ବଢିବାରେ ଲାଗିଛି। ବର୍ଷାଦିନରେ ଠିକ୍ ଭାବରେ ବର୍ଷା ନହେବା, ଶୀତଦିନେ ଗରମ ଲାଗିବା କିମ୍ବା ଖରାଦିନେ ପ୍ରବଳ ଗରମ ହେବାକୁ ହିଁ ଗ୍ଲୋବାଲ ଓ୍ବାର୍ମିଂ କୁହାଯାଏ। ଗ୍ଲୋବାଲ ଓ୍ବାର୍ମିଂ ବିଶ୍ୱ ପାଇଁ ଭୟଙ୍କର ବିପଦ କାନ୍ଧରେ ବୁହାଇ ଆଣୁଛି। ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକ ଏହାର ସମାଧାନ ବାହାର କରିବା ପାଇଁ କୌଣସି ଆନ୍ତରିକତା ଦେଖାଉନାହାଁନ୍ତି। ଯାହା ଭବିଷ୍ୟତରେ ଜଟିଳ ପରିସ୍ଥିତି ସୃଷ୍ଟି କରିବ।