ନୂଆଦିଲ୍ଲୀ,୩୦/୧୦: ଜଳବାୟୁ  ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ଦିନକୁ ଦିନ ଘାତକ ହେବାରେ ଲାଗିଛି । କେବଳ  ତାପମାତ୍ରା ବୃଦ୍ଧି ଜନିତ ମୃତ୍ୟୁ ୧୯୯୦  ଦଶକ ପରଠାରୁ ୨୩% ବଢ଼ିଛି । ୨୦୧୨ରୁ  ୨୦୨୧ ଭିତରେ ପ୍ରତି ବର୍ଷ ଅତ୍ୟଧିକ ଗରମ ଯୋଗୁ ପ୍ରାୟ ୫ ଲକ୍ଷ ୫୦ ହଜାର  ଲୋକଙ୍କ ମୃତ୍ୟୁ ଘଟିଛି । ଅର୍ଥାତ ପ୍ରାୟ  ପ୍ରତିମିନିଟ୍‌ରେ ଜଣଙ୍କ ଜୀବନ ଯାଇଛି ।  ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ  ଉପରେ ଲାନ୍‌ସେଟ ସଦ୍ୟ ଜାରି କରିଥିବା  ରିପୋର୍ଟରେ ଏହା ଦର୍ଶାଯାଇଛି । 

ଭାରତ ଭଳି ଦେଶରେ ଏବେ  ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ରୁ  ଉପରକୁ ଯିବା ସାଧାରଣ କଥା  ହୋଇଯାଇଛି । ଭାରତରେ ବାୟୁ ପ୍ରଦୂଷଣ  ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତା ବଢ଼ାଇବା  ଭଳି । ଲାନସେଟ୍‌ ରିପୋର୍ଟ ଅନୁସାରେ୨୦୨୨ରେ ୧୭ ଲକ୍ଷ ୨୦ ହଜାର ଲୋକଙ୍କ  ମୃତ୍ୟୁ ବାୟୁ ପ୍ରଦୂଷଣଜନିତ, ଯାହା କି  ୨୦୧୦ ତୁଳନାରେ ପ୍ରାୟ ୩୮% ବୃଦ୍ଧି ।  ୧୯୯୦ ଦଶକ ତୁଳନାରେ ୨୦୨୪ରେ  ପ୍ରତ୍ୟେକ ଭାରତୀୟ ଅତିରିକ୍ତ ୩୬୬  ଘଣ୍ଟାର ଭୀଷଣ ଗ୍ରୀଷ୍ମ ପ୍ରବାହର ସାମ୍‌ନା  କରିଛନ୍ତି । ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ  ଯୋଗୁ ଶ୍ରମ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ପ୍ରକୃଷ୍ଟ  ଶ୍ରମ ଘଣ୍ଟା ମଧ୍ୟରୁ ଭାରତ ପ୍ରାୟ ୨୪୭  ଅରବ ଘଣ୍ଟା ହରାଇଛି । ଏଥିଯୋଗୁ  ଦେଶକୁ ପ୍ରାୟ ୧୯୪ ଅରବ ଡଲାର ଆୟ  ହରାଇବାକୁ ପଡ଼ିଛି । ୨୦୨୦ରୁ ୨୦୨୪  ମଧ୍ୟରେ ଭାରତରେ ପ୍ରତିବଷ ହାରାହାରି ୧୦,୨୦୦ ଲୋକ ବନାଗ୍ନି ନିଆଁ ଏବଂ  ଧୂଆଁରେ ପ୍ରାଣ ହରାଇଛନ୍ତି । ଲୋକେ ଭୟଙ୍କର  ମରୁଡ଼ିର ସାମ୍‌ନା କରିଛନ୍ତି ।

ସେହିପରି ଜଳବାୟୁ ପରିବର୍ତ୍ତନ ଡେଙ୍ଗୁ  ଭଳି ରୋଗକୁ ବ୍ୟାପକ କରିଛି । ୧୯୫୦ ଦଶକ  ତୁଳନାରେ ଡେଙ୍ଗୁ ସଂକ୍ରମଣ ପାଖାପାଖି ଦୁଇଗୁଣ  ହୋଇଛି । ସମୁଦ୍ରତଟ ଭିବ୍ରିଓ ବ୍ୟାକ୍ଟେରିଆ  ବଂଶବୃଦ୍ଧି ଲାଗି ଅନୁକୂଳ ହୋଇଛି । ଏହାଦ୍ୱାରା  ଜଳଜନିତ ସଂକ୍ରମଣ ୪୬% ବଢ଼ିଛି । ସମୁଦ୍ର  ଜଳସ୍ତର ବୃଦ୍ଧି ଯୋଗୁ ୧୮ ନିୟୁତରୁ ଅଧିକ  ଲୋକ ଏବେ ସମୁଦ୍ରପତ୍ତନଠାରୁ ମାତ୍ର ୧ ମିଟର  ଦୂରତାରେ ବାସ କରୁଛନ୍ତି । ରିପୋର୍ଟ ଅନୁସାରେଭାରତ ୨୦୨୩ରେ ଜୀବାଶ୍ମ ଇନ୍ଧନ ସବ୍‌ସିଡି ଉପରେ ୪୮.୫ ବିଲିୟନ ଡଲାର ଖର୍ଚ୍ଚ କରିଛି ।  ଏବେ ବି ଦେଶର ୭୨% ବିଦ୍ୟୁତ୍‌ ଚାହିଦା  ଏବଂ ମୋଟ ଶକ୍ତି ଯୋଗାଣର ୫୦% କୋଇଲା  ଦ୍ୱାରା ପୂରଣ ହେଉଛି । କେବଳ ୨୦୨୨ରେ  ଭାରତରେ ଜୀବାଶ୍ମ ଇନ୍ଧନ ମୋଟ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟରୁ ଅଧା ମୃତ୍ୟୁର କାରଣ ହୋଇଛି ।  ସେଥିମଧ୍ୟରୁ ୩ ଲକ୍ଷ ୯୪ ହଜାର କେବଳ  କୋଇଲା ଇନ୍ଧନ ବ୍ୟବହାର ଜନିତ । 

୭୧ ଅନୁଷ୍ଠାନର ୧୨୮ ବିଶେଷଜ୍ଞଙ୍କ ଦ୍ୱାରା  ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେମାନେ  ଅଲଗା ଅଲଗା ଦେଶର ବିଭିନ୍ନ ଅଞ୍ଚଳରେ  ଅଧ୍ୟୟନ କରିଥିଲେ । କିପରି ଜଳବାୟୁ ପରିବର୍ତ୍ତନ  ଯୋଗୁ ବନ୍ୟା, ବାତ୍ୟା, ମରୁଡ଼ି, ଜଙ୍ଗଲ ନିଆଁ  ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବଢ଼ୁଛି, ସାରା  ବିଶ୍ୱରେ ସଂକ୍ରାମକ ରୋଗ ବ୍ୟାପୁଛି ଏବଂ ଲକ୍ଷ  ଲକ୍ଷ ଲୋକଙ୍କ ଜୀବନ ଯାଉଛି ତାହା ରିପୋର୍ଟରେ  ଦର୍ଶାଯାଇଛି । ଏଥିସହ ବେଶୀ ବିଳମ୍ବ ହେବା  ପୂର୍ବରୁ ତୁରନ୍ତ ସ୍ୱାସ୍ଥ୍ୟ-କେନ୍ଦ୍ରିତ ପଦକ୍ଷେପ  ନିଆଯିବା ଲାଗି ରିପୋର୍ଟରେ ଅପିଲ କରାଯାଇଛି ।  ନଚେତ ଆଗକୁ ବେଶ ଭୟଙ୍କର ସ୍ଥିତିର ସାମ୍‌ନା  କରିବାକୁ ପଡ଼ିପାରେ ବୋଲି ବିଶେଷଜ୍ଞମାନେ  ଚେତାଇଛନ୍ତି ।  

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ)  ସହଯୋଗରେ ୟୁନିଭର୍ସିଟି କଲେଜ ଲଣ୍ଡନ  ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଜଣାଯାଇଛି୨୦୨୦ରୁ ୨୦୨୪ ମଧ୍ୟରେ ଲୋକେ ୮୪%  ଗ୍ରୀଷ୍ମପ୍ରବାହଜନିତ ଦିନ ଅନୁଭବ କରିଛନ୍ତି ।  ମାନବ ଜନିତ କାର୍ଯ୍ୟକଳାପ ଯୋଗୁ ଜଳବାୟୁ  ପରିବର୍ତ୍ତନ ଅଧିକ ଘାତକ ହେଉଛି । ଗ୍ରୀନହାଉସ  ଗ୍ୟାସ୍‌ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ।  ୨୦୨୪ରେ ହାରାହାରି ବାର୍ଷିକ ତାପମାତ୍ରା ପ୍ରଥମ  ଥର ଔଦ୍ୟୋଗିକ ଯୁଗ ତୁଳନାରେ ୧.୫ ଡିଗ୍ରୀ  ସେଲ୍‌ସିୟସ ଅଧିକ ହୋଇଯାଇଛି । ଧୀରେ  ଧୀରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଲୋକଙ୍କ  ଉପରେ ପଡ଼ୁଛି । ୨୦୨୪ରେ ଜଣେ ସାଧାରଣ  ବ୍ୟକ୍ତିଙ୍କୁ ହାରାହାରି ୧୬ ଦିନ ଭୟଙ୍କର ଗ୍ରୀଷ୍ମର  ସାମ୍‌ନା କରିବାକୁ ପଡ଼ିଛି । ପିଲା ଏବଂ ବୟସ୍କ  ହାରାହାରି ୨୦ ଦିନ ଭୀଷଣ ଗ୍ରୀଷ୍ମର ସାମ୍‌ନା  କରିଛନ୍ତି । ଏହା ଗତ ୨୦ ବର୍ଷ ତୁଳନାରେ  ହାରାହାରି ୪ ଗୁଣ ଅଧିକ । ଦୁନିଆର ୬୪%  ଭାଗରେ ୧୯୬୧-୯୦ ଏବଂ ୨୦୧୫-୨୪ ଭିତରେ  ଭୀଷଣ ବର୍ଷା ହୋଇଥିବା ଦିନ ସଂଖ୍ୟା ବଢ଼ିଛି ।  ଏଥିଯୋଗୁ ଭୂସ୍ଖଳନ ଏବଂ ବନ୍ୟା ଭଳି ଘଟଣା  ମଧ୍ୟ ବୃଦ୍ଧି ପାଇଛି । ୨୦୨୪ରେ ୬୧% ବୈଶ୍ୱିକ  ଭୂମିକ୍ଷେତ୍ରରେ ମରୁଡ଼ି ପଡ଼ିଛି, ଯାହା କି ୧୯୫୦  ମସିହାଠାରୁ ଅଧିକ । ଏଥିଯୋଗୁ ଖାଦ୍ୟ, ପାଣିସଫେଇ, ଆର୍ଥିକ ସଂସ୍ଥାଗୁଡ଼ିକ ଘୋର ପ୍ରଭାବିତ  ହୋଇଛନ୍ତି ।  

ଗରମ ଏବଂ ମରୁଡ଼ି ଯୋଗୁ ବନାଗ୍ନି ସଂଖ୍ୟା  ବଢ଼ିଛି । ୨୦୨୪ରେ ଜଙ୍ଗଲ ନିଆଁ ଏବଂ ଧୂଆଁ  ଯୋଗୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକଙ୍କ  ମୃତ୍ୟୁ ଘଟିଛି । ଏଥିସହ ଜଳବାୟୁ ପରିବର୍ତ୍ତନ  ଯୋଗୁ ସଂକ୍ରାମକ ରୋଗ ବ୍ୟାପିବା ବିପଦ ମଧ୍ୟ  ବଢ଼ୁଛି । ଡେଙ୍ଗୁ ମଶା ସଂଖ୍ୟା ବଢ଼ିବାରେ ଲାଗିଛି ।  ସେହିପରି ୨୦୨୩ରେ ସରକାରଗୁଡ଼ିକ ମୋଟ  ୯୫୬ ଅରବ ଡଲାର ଜୀବାଶ୍ମ ଇନ୍ଧନ ଉପରେ  ଖର୍ଚ୍ଚ କରିଛନ୍ତି, ଯାହା କି ଜଳବାୟୁ ପରିବର୍ତ୍ତନ  ଜନିତ ପ୍ରଭାବ କମ୍‌ କରିବା ଲାଗି ସମ୍ବେଦନଶୀଳ  ଦେଶଗୁଡ଼ିକୁ ଦିଆଯିବାକୁ ଥିବା ଅର୍ଥ ତୁଳନାରେ  ୩ ଗୁଣ ଅଧିକ । ୧୫ ଦେଶ ନିଜ ପୂରା ସ୍ୱାସ୍ଥ୍ୟ  ବଜେଟରୁ ଅଧିକ ଖର୍ଚ୍ଚ ଜୀବାଶ୍ମ ଇନ୍ଧନ ଉପରେ  କରିଛନ୍ତି ଯାହା କି ଚିନ୍ତାଜନକ ବୋଲି ରିପୋର୍ଟରେ  ଦର୍ଶାଯାଇଛି ।