ନୂଆଦିଲ୍ଲୀ,୩୦/୧୦: ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ଦିନକୁ ଦିନ ଘାତକ ହେବାରେ ଲାଗିଛି । କେବଳ ତାପମାତ୍ରା ବୃଦ୍ଧି ଜନିତ ମୃତ୍ୟୁ ୧୯୯୦ ଦଶକ ପରଠାରୁ ୨୩% ବଢ଼ିଛି । ୨୦୧୨ରୁ ୨୦୨୧ ଭିତରେ ପ୍ରତି ବର୍ଷ ଅତ୍ୟଧିକ ଗରମ ଯୋଗୁ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଅର୍ଥାତ ପ୍ରାୟ ପ୍ରତିମିନିଟ୍ରେ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଲାନ୍ସେଟ ସଦ୍ୟ ଜାରି କରିଥିବା ରିପୋର୍ଟରେ ଏହା ଦର୍ଶାଯାଇଛି ।
ଭାରତ ଭଳି ଦେଶରେ ଏବେ ତାପମାତ୍ରା ୪୫ ଡିଗ୍ରୀ ସେଲ୍ସିୟସ୍ରୁ ଉପରକୁ ଯିବା ସାଧାରଣ କଥା ହୋଇଯାଇଛି । ଭାରତରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତା ବଢ଼ାଇବା ଭଳି । ଲାନସେଟ୍ ରିପୋର୍ଟ ଅନୁସାରେ, ୨୦୨୨ରେ ୧୭ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣଜନିତ, ଯାହା କି ୨୦୧୦ ତୁଳନାରେ ପ୍ରାୟ ୩୮% ବୃଦ୍ଧି । ୧୯୯୦ ଦଶକ ତୁଳନାରେ ୨୦୨୪ରେ ପ୍ରତ୍ୟେକ ଭାରତୀୟ ଅତିରିକ୍ତ ୩୬୬ ଘଣ୍ଟାର ଭୀଷଣ ଗ୍ରୀଷ୍ମ ପ୍ରବାହର ସାମ୍ନା କରିଛନ୍ତି । ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ଯୋଗୁ ଶ୍ରମ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ପ୍ରକୃଷ୍ଟ ଶ୍ରମ ଘଣ୍ଟା ମଧ୍ୟରୁ ଭାରତ ପ୍ରାୟ ୨୪୭ ଅରବ ଘଣ୍ଟା ହରାଇଛି । ଏଥିଯୋଗୁ ଦେଶକୁ ପ୍ରାୟ ୧୯୪ ଅରବ ଡଲାର ଆୟ ହରାଇବାକୁ ପଡ଼ିଛି । ୨୦୨୦ରୁ ୨୦୨୪ ମଧ୍ୟରେ ଭାରତରେ ପ୍ରତିବଷ ହାରାହାରି ୧୦,୨୦୦ ଲୋକ ବନାଗ୍ନି ନିଆଁ ଏବଂ ଧୂଆଁରେ ପ୍ରାଣ ହରାଇଛନ୍ତି । ଲୋକେ ଭୟଙ୍କର ମରୁଡ଼ିର ସାମ୍ନା କରିଛନ୍ତି ।
ସେହିପରି ଜଳବାୟୁ ପରିବର୍ତ୍ତନ ଡେଙ୍ଗୁ ଭଳି ରୋଗକୁ ବ୍ୟାପକ କରିଛି । ୧୯୫୦ ଦଶକ ତୁଳନାରେ ଡେଙ୍ଗୁ ସଂକ୍ରମଣ ପାଖାପାଖି ଦୁଇଗୁଣ ହୋଇଛି । ସମୁଦ୍ରତଟ ଭିବ୍ରିଓ ବ୍ୟାକ୍ଟେରିଆ ବଂଶବୃଦ୍ଧି ଲାଗି ଅନୁକୂଳ ହୋଇଛି । ଏହାଦ୍ୱାରା ଜଳଜନିତ ସଂକ୍ରମଣ ୪୬% ବଢ଼ିଛି । ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ୧୮ ନିୟୁତରୁ ଅଧିକ ଲୋକ ଏବେ ସମୁଦ୍ରପତ୍ତନଠାରୁ ମାତ୍ର ୧ ମିଟର ଦୂରତାରେ ବାସ କରୁଛନ୍ତି । ରିପୋର୍ଟ ଅନୁସାରେ, ଭାରତ ୨୦୨୩ରେ ଜୀବାଶ୍ମ ଇନ୍ଧନ ସବ୍ସିଡି ଉପରେ ୪୮.୫ ବିଲିୟନ ଡଲାର ଖର୍ଚ୍ଚ କରିଛି । ଏବେ ବି ଦେଶର ୭୨% ବିଦ୍ୟୁତ୍ ଚାହିଦା ଏବଂ ମୋଟ ଶକ୍ତି ଯୋଗାଣର ୫୦% କୋଇଲା ଦ୍ୱାରା ପୂରଣ ହେଉଛି । କେବଳ ୨୦୨୨ରେ ଭାରତରେ ଜୀବାଶ୍ମ ଇନ୍ଧନ ମୋଟ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟରୁ ଅଧା ମୃତ୍ୟୁର କାରଣ ହୋଇଛି । ସେଥିମଧ୍ୟରୁ ୩ ଲକ୍ଷ ୯୪ ହଜାର କେବଳ କୋଇଲା ଇନ୍ଧନ ବ୍ୟବହାର ଜନିତ ।
୭୧ ଅନୁଷ୍ଠାନର ୧୨୮ ବିଶେଷଜ୍ଞଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେମାନେ ଅଲଗା ଅଲଗା ଦେଶର ବିଭିନ୍ନ ଅଞ୍ଚଳରେ ଅଧ୍ୟୟନ କରିଥିଲେ । କିପରି ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା, ବାତ୍ୟା, ମରୁଡ଼ି, ଜଙ୍ଗଲ ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବଢ଼ୁଛି, ସାରା ବିଶ୍ୱରେ ସଂକ୍ରାମକ ରୋଗ ବ୍ୟାପୁଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି ତାହା ରିପୋର୍ଟରେ ଦର୍ଶାଯାଇଛି । ଏଥିସହ ବେଶୀ ବିଳମ୍ବ ହେବା ପୂର୍ବରୁ ତୁରନ୍ତ ସ୍ୱାସ୍ଥ୍ୟ-କେନ୍ଦ୍ରିତ ପଦକ୍ଷେପ ନିଆଯିବା ଲାଗି ରିପୋର୍ଟରେ ଅପିଲ କରାଯାଇଛି । ନଚେତ ଆଗକୁ ବେଶ ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଚେତାଇଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ସହଯୋଗରେ ୟୁନିଭର୍ସିଟି କଲେଜ ଲଣ୍ଡନ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଜଣାଯାଇଛି, ୨୦୨୦ରୁ ୨୦୨୪ ମଧ୍ୟରେ ଲୋକେ ୮୪% ଗ୍ରୀଷ୍ମପ୍ରବାହଜନିତ ଦିନ ଅନୁଭବ କରିଛନ୍ତି । ମାନବ ଜନିତ କାର୍ଯ୍ୟକଳାପ ଯୋଗୁ ଜଳବାୟୁ ପରିବର୍ତ୍ତନ ଅଧିକ ଘାତକ ହେଉଛି । ଗ୍ରୀନହାଉସ ଗ୍ୟାସ୍ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ୨୦୨୪ରେ ହାରାହାରି ବାର୍ଷିକ ତାପମାତ୍ରା ପ୍ରଥମ ଥର ଔଦ୍ୟୋଗିକ ଯୁଗ ତୁଳନାରେ ୧.୫ ଡିଗ୍ରୀ ସେଲ୍ସିୟସ ଅଧିକ ହୋଇଯାଇଛି । ଧୀରେ ଧୀରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି । ୨୦୨୪ରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ହାରାହାରି ୧୬ ଦିନ ଭୟଙ୍କର ଗ୍ରୀଷ୍ମର ସାମ୍ନା କରିବାକୁ ପଡ଼ିଛି । ପିଲା ଏବଂ ବୟସ୍କ ହାରାହାରି ୨୦ ଦିନ ଭୀଷଣ ଗ୍ରୀଷ୍ମର ସାମ୍ନା କରିଛନ୍ତି । ଏହା ଗତ ୨୦ ବର୍ଷ ତୁଳନାରେ ହାରାହାରି ୪ ଗୁଣ ଅଧିକ । ଦୁନିଆର ୬୪% ଭାଗରେ ୧୯୬୧-୯୦ ଏବଂ ୨୦୧୫-୨୪ ଭିତରେ ଭୀଷଣ ବର୍ଷା ହୋଇଥିବା ଦିନ ସଂଖ୍ୟା ବଢ଼ିଛି । ଏଥିଯୋଗୁ ଭୂସ୍ଖଳନ ଏବଂ ବନ୍ୟା ଭଳି ଘଟଣା ମଧ୍ୟ ବୃଦ୍ଧି ପାଇଛି । ୨୦୨୪ରେ ୬୧% ବୈଶ୍ୱିକ ଭୂମିକ୍ଷେତ୍ରରେ ମରୁଡ଼ି ପଡ଼ିଛି, ଯାହା କି ୧୯୫୦ ମସିହାଠାରୁ ଅଧିକ । ଏଥିଯୋଗୁ ଖାଦ୍ୟ, ପାଣି, ସଫେଇ, ଆର୍ଥିକ ସଂସ୍ଥାଗୁଡ଼ିକ ଘୋର ପ୍ରଭାବିତ ହୋଇଛନ୍ତି ।
ଗରମ ଏବଂ ମରୁଡ଼ି ଯୋଗୁ ବନାଗ୍ନି ସଂଖ୍ୟା ବଢ଼ିଛି । ୨୦୨୪ରେ ଜଙ୍ଗଲ ନିଆଁ ଏବଂ ଧୂଆଁ ଯୋଗୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବା ବିପଦ ମଧ୍ୟ ବଢ଼ୁଛି । ଡେଙ୍ଗୁ ମଶା ସଂଖ୍ୟା ବଢ଼ିବାରେ ଲାଗିଛି । ସେହିପରି ୨୦୨୩ରେ ସରକାରଗୁଡ଼ିକ ମୋଟ ୯୫୬ ଅରବ ଡଲାର ଜୀବାଶ୍ମ ଇନ୍ଧନ ଉପରେ ଖର୍ଚ୍ଚ କରିଛନ୍ତି, ଯାହା କି ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ କମ୍ କରିବା ଲାଗି ସମ୍ବେଦନଶୀଳ ଦେଶଗୁଡ଼ିକୁ ଦିଆଯିବାକୁ ଥିବା ଅର୍ଥ ତୁଳନାରେ ୩ ଗୁଣ ଅଧିକ । ୧୫ ଦେଶ ନିଜ ପୂରା ସ୍ୱାସ୍ଥ୍ୟ ବଜେଟରୁ ଅଧିକ ଖର୍ଚ୍ଚ ଜୀବାଶ୍ମ ଇନ୍ଧନ ଉପରେ କରିଛନ୍ତି ଯାହା କି ଚିନ୍ତାଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।