ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ନେତ୍ରୀ ଆତିଶୀ ସୋମବାର ନିଜର ନାମାଙ୍କନ ଦାଖଲ କରିପାରି ନାହାନ୍ତି । କାଲକାଜୀ ଆସନରୁ ପ୍ରାର୍ଥୀ ହୋଇଥିବା ଆତିଶୀ ଆଜି ନାମାଙ୍କନ ଦାଖଲ କରିବାରେ ବିଫଳ ହୋଇଛନ୍ତି । ଆଜି ତାଙ୍କ ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ମଧ୍ୟ ସାମିଲ ଥିଲେ । ନାମାଙ୍କନ ଦାଖଲ ନକରି ଆତିଶୀ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଛନ୍ତି । ବିଶେଷ କରି ପାଟପରଗଞ୍ଜରୁ ଆପ୍‌ ପ୍ରାର୍ଥୀ ଅଓ୍ବଧ ଓଝାଙ୍କ ଭୋଟ୍‌ ଟ୍ରାନ୍ସଫରକୁ ନେଇ ଆପ୍‌ରେ ଚିନ୍ତା ବୃଦ୍ଧି ପାଇଛି । 

ଏହାକୁ ନେଇ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଓ୍ବଧ ଓଝାଙ୍କ ଭୋଟ୍‌ ଗ୍ରେଟର ନୋଏଡାରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଇବାର ଅଛି । ଏନେଇ ଜାନୁଆରୀ ୭ରେ ଫର୍ମ-୮ ପୂରଣ କରି ନିର୍ବାଚନ ଆୟୋଗଙ୍କୁ ଦେଇଥିଲେ ଆପ୍‌ ପ୍ରାର୍ଥୀ ଅଓ୍ବଧ ଓଝା । କିନ୍ତୁ ଏହି ଫର୍ମ ପୂରଣ କରିବାର ଶେଷ ତାରିଖକୁ ନିର୍ବାଚନ ଆୟୋଗ କମାଇ ଜାନୁଆରୀ ୬ କରିଦେଇଥିବା ନେଇ ଆପ୍‌ ଅଭିଯୋଗ କରିଛି । ତେବେ ଦିଲ୍ଲୀ ନିର୍ବାଚନ ଆୟୋଗ ଏଭଳି କରି ଓଝାଙ୍କୁ ନିର୍ବାଚନ ମୈଦାନରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଦାବି କରିଛି ଆପ୍‌ । 

ଯଦିଓ ନିର୍ବାଚନ ଆୟୋଗଙ୍କ ପାଖରୁ ଡାକରା ମିଳିନାହିଁ ତଥାପି ଦଳୀୟ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବାକୁ ସେଠାରେ ଡେରା ପକାଇବ ବୋଲି କେଜ୍ରିଓ୍ବାଲ କହିଛନ୍ତି । ତେବେ ଏହି ପ୍ରତିନିଧିଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ଆପ୍‌ ସାଂସଦ ସଂଜୟ ସିଂ ଓ ରାଘବ ଚଢ଼ା ପ୍ରମୁଖ ସାମିଲ ରହିବେ ବୋଲି ଜଣାପଡ଼ିଛି ।