ଭୁବନେଶ୍ୱର,୧୬/୦୬: ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ଦିଅଯିବ । ସର୍ବାଧିକ ୯୦୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତ କରାଯିବ ।
ସେଥି ମଧ୍ୟରୁ ପୂର୍ତ୍ତ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗରେ ୬୨ କନିଷ୍ଠ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩ କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ । ଏହା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯ ଜଣ କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦ ଟ୍ରେସର୍ ନିଯୁକ୍ତି ପାଇବେ । ୧୭ ଜଣ ବୈଧ ମାପ ବିଜ୍ଞାନ ଓ ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ୍ ନିଯୁକ୍ତି ପାଇବେ ।
ରାଜ୍ୟ ସରକାର ୫ବର୍ଷରେ ଦେଢ଼ ଲକ୍ଷ ଯୁବକ, ଯୁବତୀଙ୍କ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ୯ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା । ୫ବର୍ଷର ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଦ୍ୱିତୀୟ ବର୍ଷ ଆରମ୍ଭରୁ ପୁଣି ପ୍ରଥମ ନିଯୁକ୍ତି ମେଳାରେ ହିଁ ୯୬୪ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ସ୍ଥିର କରିଛନ୍ତି ।