ଭୁବନେଶ୍ୱର,୧୬/୦୬: ଆଜି ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଜ୍ୟ  ସରକାରଙ୍କ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ,  ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ  ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଖାଲି  ପଡ଼ିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ଦିଅଯିବ । ସର୍ବାଧିକ ୯୦୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତ  କରାଯିବ । 

ସେଥି ମଧ୍ୟରୁ ପୂର୍ତ୍ତ ବିଭାଗରେ ୫୬୩  କନିଷ୍ଠ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗରେ ୬୨ କନିଷ୍ଠ  ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩  କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ,  ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ  ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ । ଏହା  ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯  ଜଣ କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦  ଟ୍ରେସର୍‌ ନିଯୁକ୍ତି ପାଇବେ । ୧୭ ଜଣ ବୈଧ ମାପ  ବିଜ୍ଞାନ ଓ ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ  ଖାଉଟି କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ୍‌  ନିଯୁକ୍ତି ପାଇବେ । 

ରାଜ୍ୟ ସରକାର ୫ବର୍ଷରେ  ଦେଢ଼ ଲକ୍ଷ ଯୁବକ, ଯୁବତୀଙ୍କ ନିଯୁକ୍ତି ଦେବାକୁ  ଘୋଷଣା କରିଥିବା ବେଳେ ପ୍ରଥମ ବର୍ଷରେ ପ୍ରାୟ  ୨୮ହଜାର ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ୯ଟି  ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା । ୫ବର୍ଷର  ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଦ୍ୱିତୀୟ  ବର୍ଷ ଆରମ୍ଭରୁ ପୁଣି ପ୍ରଥମ ନିଯୁକ୍ତି ମେଳାରେ ହିଁ  ୯୬୪ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ସ୍ଥିର କରିଛନ୍ତି ।