କଟକ, ୨୪/୦୪: ସିସୋର୍ ଚିଟ୍ଫଣ୍ଡ୍ ଘଟଣାରେ ସିବିଆଇ ପକ୍ଷରୁ ରୁଜୁ ମାମଲାକୁ ରଦ୍ଦ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ । ଗୁରୁବାର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସିବିଆଇକୁ ଜବାବ ଦାଖଲ ଲାଗି ନୋଟିସ୍ କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ସିବିଆଇକୁ ନୋଟିସ୍ କରି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୨୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ସିସୋର୍ ଚିଟ୍ଫଣ୍ଡ ଘଟଣାରେ ପ୍ରଭାତ ବିଶ୍ୱାଳଙ୍କ ସମ୍ପୃକ୍ତିକୁ ନେଇ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସିବିଆଇ ଶ୍ରୀ ବିଶ୍ୱାଳଙ୍କୁ ଗିରଫ ମଧ୍ୟ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ବିଶ୍ୱାଳ ଏସ୍ବିବିରେ ଦୀର୍ଘ ଦିନ ଚିକିତ୍ସିତ ହେବା ସହ ପରେ ଜାମିନ୍ରେ ମୁକୁଳିଥିଲେ । ଏହି ଘଟଣାରେ ସିବିଆଇ ମାମଲା ରଦ୍ଦ ପାଇଁ ଶ୍ରୀ ବିଶ୍ୱାଳ ଦୁଇ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଚାର୍ଜଫ୍ରେମ୍ ହେବାର ବର୍ଷକ ଭିତରେ ନିମ୍ନ ଅଦାଲତରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିବାବେଳେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ବିଶେଷ ଆଗେଇ ପାରିନାହିଁ । ଫଳରେ ସିବିଆଇ ପକ୍ଷରୁ ରୁଜୁ ମାମଲାକୁ ରଦ୍ଦ ପାଇଁ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ଏହି ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ମୁଣ୍ଡ ମାମଲା ପରିଚାଳନା କରୁଛନ୍ତି ।