ଭୁବନେଶ୍ୱର,୨୩/୧୧: ଶନିବାର ଅପରାହ୍ନରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଏହି ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ । ମନ୍ତ୍ରୀ  ପରିଷଦ ବୈଠକ ପରେ କ୍ୟାବିନେଟ୍‌ ବୈଠକ ହେବ । ଆସନ୍ତା ୨୬  ତାରିଖରୁ ବିଧାନସଭାର ଶୀତ ଅଧିବେଶନ ବସିବାକୁ ଯାଉଥିବା  ବେଳେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଣିବେ । ଏହି  କ୍ରମରେ ବିଭିନ୍ନ ବିଭାଗ ଅତିରିକ୍ତ ବଜେଟ ପାଇଁ ପ୍ରସ୍ତାବ ଦେଇଛନ୍ତି ।  କ୍ୟାବିନେଟ୍‌ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର।

ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଇତ୍ୟାଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି । ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍‌ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଯେତିକି ଆକ୍ରମଣ  ବିରୋଧୀ କରିଥିଲେ, ତା’ଠାରୁ ଢେର  ଅଧିକ ପାଲଟା ଆକ୍ରମଣ କରିଥିଲେ  ସରକାରୀ ଦଳ ।