ରୋମ୍ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ନବୀନ, ବ୍ରିଟେନ୍ରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୦୬: ବ୍ରିଟେନ୍ରେ ତିଆରି ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ସେଠାକାର ପ୍ରବାସୀ ଓଡ଼ିଆମାନେ ଆଗକୁ ଆସିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି । ତେବେ ମନ୍ଦିର ନିର୍ମାଣ ପାଇଁ ଯାହା ବି ସହାୟତା ଦରକାର ତାହା ଯୋଗାଇବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ରୋମ୍ରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି ।
ରୋମା ହାସଲର୍ ପଞ୍ଚତାରକା ହୋଟେଲରେ ୟୁରୋପର ୧୨ଟି ଦେଶର ପ୍ରାୟ ୫୦ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବ୍ରିଟେନ୍ର ପ୍ରବାସୀ ଓଡ଼ିଆଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ପ୍ରସଙ୍ଗ ଉଠିଥିଲା । ତେବେ ପ୍ରସ୍ତାବିତ ମନ୍ଦିର ନିର୍ମାଣ ପାଇଁ ସରକାର ଅକୁଣ୍ଠ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଏହି ସାକ୍ଷାତ ସମୟରେ ପ୍ରବାସୀ ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ମାଇଲଖୁଣ୍ଟ ଛିଡା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଭାବନା ଯୋଗୁ ରାଜ୍ୟର ଏଭଳି ବିକାଶ ହୋଇଛି ବୋଲି ପ୍ରବାସୀ ଓଡିଆମାନେ ମତ ଦେଇଥିଲେ ।
ଓଡ଼ିଶାକୁ ନେଇ ଏଭଳି ମନୋଭାବ ଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟରେ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଉଛି । ରାଜ୍ୟ ଏବେ ବିକାଶର ନୂଆ ଉଚ୍ଚତାକୁ ଛୁଇଁଲାଣି । ରାଜ୍ୟର ଏହି ବିକାଶର ଯାତ୍ରାରେ ସରକାରଙ୍କ ସହ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ଦେଇଥିଲେ ।
ପ୍ରବାସୀ ଓଡ଼ିଆଙ୍କ ସଫଳତା ଓ ଇର୍ଷଣୀୟ କ୍ୟାରିୟରକୁ ନେଇ ନବୀନ ଖୁସିପ୍ରକାଶ କରିଥିଲେ । ସେମାନଙ୍କ ଏଭଳି ସଫଳତା ପାଇଁ ଆମ ରାଜ୍ୟ ଗର୍ବିତ ବୋଲି ସେ କହିଥିଲେ । ଭବିଷ୍ୟତରେ ସେମାନେ ଆହୁରି ଅଧିକ ସଫଳ ହୁଅନ୍ତୁ ବୋଲି ଶୁଭେଚ୍ଛା ବି ଜଣାଇଥିଲେ । ଆଜି ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଙ୍କ ଭିତରେ ଅନେକ ପ୍ରଫେସନାଲ୍, ଉଦ୍ୟୋଗୀ, ଗବେଷକ ଓ ମିଶନାରୀ ଥିଲେ । ମେଡିସିନ୍, ଇଞ୍ଜିନିୟରିଂ, ଆଇଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ବିଜନେସ୍ ପ୍ରୋସେସ ଆଉଟସୋର୍ସିଂ ଭଳି ବିଭିନ୍ନ କ୍ଷେତ୍ରରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ ।
୫-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଓ ଆବାସିକ କମିଶନକ ରବିକାନ୍ତ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୫-ଟି ସଚିବ ପ୍ରବାସୀ ଓଡ଼ିଆଙ୍କ ସାମ୍ନାରେ ରାଜ୍ୟର ବିକାଶ ମଡେଲ ବଖାଣିଥିଲେ । ମୁଖ୍ୟମନ୍ତ୍ରୀ ରୋମ୍ରେ ଆୟୋଜିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସମ୍ବୋଧନ ରଖିବେ । ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା କିଭଳି ବଳକା ଖାଦ୍ୟ ଶସ୍ୟ ଉତ୍ପାଦନକାରୀ ରାଜ୍ୟ ହେଲା, ସେ କଥା ସାରା ବିଶ୍ୱକୁ ଜଣାଇବେ । ପ୍ରାକୃତିିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲକୁ ଉପସ୍ଥାପନ କରିବେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ୱାଲର୍ଡ ଫୁଡ ପ୍ରୋଗ୍ରାମ) କାଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍ ବେସଲି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।