ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ଓଡ଼ିଶାକୁ ଦିଅ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା

ଭୁବନେଶ୍ୱର,୧୮ ।୧(ବ୍ୟୁରୋ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦାବି ଦୋହରାଇଛନ୍ତି । ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ସାମଗ୍ରୀକ ବିକାଶ ସହ ଯୁବକମାନଙ୍କ ହାତକୁ କର୍ମସଂସ୍ଥାନ ପାଇଁ ଦୀର୍ଘବର୍ଷର ଏ ପୁରୁଣା ଦାବିକୁ ତୁରନ୍ତ ପୂରଣ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ନବୀନ ଦାବି କରିଛନ୍ତି ।
ନବୀନ ଚିଠିରେ ଦର୍ଶାଇଛନ୍ତି, ନିକଟରେ ସାମୁଦ୍ରିକ ଝଡ଼ ତିତଲିରେ ରାଜ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଏହା ପ୍ରଭାବରେ ବହୁ ସଂଖ୍ୟାରେ ରାସ୍ତାଘାଟ ଧ୍ୱସ୍ତବିଧ୍ୱସ୍ତ ହେବା ସହ ଭିତ୍ତିଭୂମି ନଷ୍ଟ ହୋଇଥିଲା । ହଜାର ହଜାର ହେକ୍ଟର ଜମିର ଫସଲ ମଧ୍ୟ ନଷ୍ଟ ହୋଇଥିଲା । ରାଜ୍ୟ ସରକାର ତୁରନ୍ତ ରିଲିଫ ଯୋଗାଣ ସହ ଭିତ୍ତିଭୂମି ସଜାଡ଼ିବାକୁ ସବୁପ୍ରକାର ପଦକ୍ଷେପ ନେଇଥିଲେ । କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ବିଜୁଳି ସେବା, ବିଶୁଦ୍ଧ ପାନୀୟ ଜଳ ସହ ରାସ୍ତାଘାଟ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କୁ ବହୁ ପାଣ୍ଠି ଖର୍ଚ୍ଚ କରିବାକୁ ପଡ଼ୁଛି ।
ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଅଧିକାଂଶ ସମୟରେ ଏଭଳି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଆସୁଛି । ୧୯୦୦ ମସିହାରୁ ୨୦୧୮ ମଧ୍ୟରେ ରାଜ୍ୟ ସବୁବେଳେ ବନ୍ୟା, ବାତ୍ୟା, ସାମୁଦ୍ରିକ ଝଡ଼, ମରୁଡ଼ି ଆଦି ଦୁର୍ବିପାକର ସମ୍ମୁଖୀନ ହେଉଛି । ରାଜ୍ୟର ୮୦ ପ୍ରତିଶତ ଭୌଗୋଳିକ ଅଞ୍ଚଳ ଏବଂ ୯୦ ପ୍ରତିଶତ ଲୋକ କୌଣସି ନା କୌଣସି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ବନ୍ୟା ଓ ବାତ୍ୟା ହେଉଛି ଓଡ଼ିଶାର ଚିର ସହଚର । ଦେଶର ପୂର୍ବ ଉପକୂଳରେ ଥିବାରୁ ଓଡ଼ିଶା ୩୫ ପ୍ରତିଶତ ବାତ୍ୟା ଓ ମହାବାତ୍ୟାର ସମ୍ମୁଖୀନ ହୋଇ କ୍ଷତି ସହୁଛି । ରାଜ୍ୟରେ ମରୁଡ଼ି ମଧ୍ୟ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଉଛି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କାହିଁକି ରାଜ୍ୟର ହକ୍, ତା’ର ଯୁକ୍ତି ଦର୍ଶାଇ ନବୀନ ଚିଠିରେ ଲେଖିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଆରଏଫ୍) ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଆରଏଫ୍)କୁ ଅର୍ଥ ବରାଦ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶରେ ହେଉଛି । ମାତ୍ର ବିପର୍ଯ୍ୟୟରେ ଯେତିକି ପରିମାଣର କ୍ଷତି ହେଉଛି ତାକୁ ପୁନରୁଦ୍ଧାର କରିବା ସହ ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ କାର୍ଯ୍ୟକ୍ରମ ଚଳାଇ ରଖିବା କଷ୍ଟକର ହେଉଛି । ମାତ୍ର ରାଜ୍ୟ ସରକାର ସୀମିତ ସମ୍ବଳରେ ଏହା କରିବାକୁ ବାଧ୍ୟ ହେଉଛନ୍ତି ।
ଏହାଛଡ଼ା ରାଜ୍ୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବେଶ୍ ଆଗକୁ ଯାଇଛି ବୋଲି ଦର୍ଶାଇ ନବୀନ ଉଲ୍ଲେଖ କରିଛନ୍ତି, ରାଜ୍ୟର ମୋଟ ଘରୋଇ ଉôପାଦରେ ଗତ ୬ ବର୍ଷରେ ୫୦ଧ ଅଭିବୃଦ୍ଧି ହୋଇଛି । ରାଜ୍ୟର ଦାରିଦ୍ର୍ୟ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬୧ଧ ଖସିଛି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଡାକ୍ତରଖାନା ପ୍ରସବରେ ରାଜ୍ୟ ଉଲ୍ଳେଖନୀୟ ଅଗ୍ରଗତି ହାସଲ କରିଥିଲା ବେଳେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ବହୁ ପରିମାଣରେ ତଳକୁ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ, ଟିକାକରଣ, ସହ ଦମନ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ମମତା ଯୋଜନାରେ ୩୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ସହାୟତା ମିଳିଛି । ମହିଳା ସଶକ୍ତିକରଣରେ ରାଜ୍ୟ ଉଦାହରଣ ସୃଷ୍ଟି କରିଛି । ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସାମିଲ୍ ହୋଇଛନ୍ତି । ଦକ୍ଷତା ବିକାଶରେ ରାଜ୍ୟ କ୍ରମାଗତ ଦୁଇଥର ପୁରସ୍କୃତ ହୋଇଛି । ରାଜ୍ୟ ସଫଳତାର ଚିତ୍ର ରଖି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟରେ ଗୃହ ନିର୍ମାଣ ବେଶ୍ ଆଗେଇଛି । ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୨୦ ଲକ୍ଷ ଗୃହ ନିର୍ମାଣ ହୋଇପାରିଛି । ଏହା ସମଗ୍ର ଦେଶରେ ସର୍ବାଧିକ । ପ୍ରଧାନମନ୍ତ୍ରୀ ଆବସ ଯୋଜନା (ଗ୍ରାମୀଣ)ରେ ରାଜ୍ୟର ୬ ଜିଲ୍ଲା ପୁରସ୍କୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାଜ୍ୟ ୩ଟି ପୁରସ୍କାର ପାଇଥିଲା ବେଳେ ବିଜୁଳି ଗ୍ରାହକଙ୍କ ସଂଖ୍ୟା ୧୬ ଲକ୍ଷରୁ ୭୨ ଲକ୍ଷ ଛୁଇଁଛି । ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା ଗତ ୪ ବର୍ଷରେ ମିଳିଛି । ରାଜ୍ୟ ସରକାର ୫ ଥର କୃଷିକର୍ମଣ ପୁରସ୍କାର ମଧ୍ୟ ପାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଓଡ଼ିଶାର ବିକାଶ ବେଶ ଉଲ୍ଳେଖନୀୟ । ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ସମଗ୍ର ଦେଶ ବେଶ ଲାଭ ଉଠାଉଛି । ରାଷ୍ଟ୍ର ନିର୍ମାଣରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋଇଲା ଯୋଗାଇ ରାଜ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ କରୁଛି । ଏଥିରୁ ରେଳବାଇ ଅଧିକ ଲାଭ ଉଠାଉଛି । ସେ ଅଭିଯୋଗ କରିଛନ୍ତି, ଓଡ଼ିଶାକୁ କ୍ରମାଗତ ଭାବେ କେନ୍ଦ୍ର ଅବହେଳା କରିଚାଲିଛି । ଟେଲିଫୋନ ସାନ୍ଧ୍ରତା, ରେଳ ନେଟୱର୍କ, ବ୍ୟାଙ୍କି ନେଟୱାର୍କ, ଜାତୀୟ ରାଜପଥ ଓ ବିମାନ ସେବାରେ ଓଡ଼ିଶା ବହୁ ପଛରେ ଅଛି । ଏପରିକି ଏ ସେବାରେ ଓଡ଼ିଶାକୁ କେନ୍ଦ୍ର ସବୁଠୁ ତଳେ ରଖିଛି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ନଦେଇ କେନ୍ଦ୍ର ଐତିହାସିକ ଅବହେଳା କରିଛି । ଓଡ଼ିଶାର ବିକାଶ ହାର ଦେଶର ବିକାଶ ହାରଠାରୁ ଆଗରେ ଅଛି । ତେଣୁ ତୁରନ୍ତ ସାମଗ୍ରୀକ ବିକାଶ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡିଶା ଦୀର୍ଘବର୍ଷ ହେବ ଦାବି କରି ଆସୁଥିଲା ବେଳେ କେନ୍ଦ୍ର ଅଣଦେଖା କରିଆସୁଛି । ଏ ପ୍ରସଙ୍ଗରେ ଗତ କିଛି ମାସ ହେବ ନବୀନ କେନ୍ଦ୍ର ପ୍ରତି ବେଶ କଠୋର ଆଭିମୁଖ୍ୟ ପୋଷଣ କରୁଛନ୍ତି ।