ନୂଆଦିଲ୍ଲୀ,୧୯/୧୧:ଅଧିକାଂଶ ସମୟରେ ଦେଶର ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କିନ୍ନରମାନଙ୍କୁ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଥାଏ । ତେବେ ତେଲଙ୍ଗାନାର ହାଇଦ୍ରାବାଦରେ ଆଗକୁ ସେମାନଙ୍କୁ କାମ ଦେବା ଲାଗି ବ୍ୟବସ୍ଥା କରାଯାଉଛି । ରାଜ୍ୟ ସରକାର ସେଠାରେ କିନ୍ନରଙ୍କୁ ଟ୍ରାଫିକ୍ ଭଲ୍ୟୁଣ୍ଟର ଭାବେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି । ସେଥିଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।
କିନ୍ନରମାନଙ୍କୁ ଏକ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ସହିତ କିଛି ଟଙ୍କା ମଧ୍ୟ ଦରମା ଆକାରରେ ମିଳିବ । ସେମାନଙ୍କର ଭୂମିକା ଗୃହରକ୍ଷୀ ଭଳି ହେବ । ସହରର ବ୍ୟସ୍ତବହୁଳ ସ୍ଥାନଗୁଡିକରେ ଏହି ଟ୍ରାଫିକ୍ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯିବ । ସେମାନେ ଟ୍ରାଫିକ ପୁଲିସଙ୍କୁ ସହାୟତା କରିବା ସହିତ ଜନତାଙ୍କୁ ଟ୍ରାଫିକ୍ ନିୟମ ମାନିବା ଲାଗି ସଚେତନ କରିବେ । ଏହାଦ୍ୱାରା କିନ୍ନରମାନେ ରୋଜଗାର ପାଇବା ସହିତ ସାମାଜିକ କଲ୍ୟାଣ ବି ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ।