ନୂଆଦିଲ୍ଲୀ,୦୨/୧୨; କର୍ଣ୍ଣାଟକର ଶାସକ କଂଗ୍ରେସ ଦଳ ଭିତରେ କ୍ଷମତା ସଂଘର୍ଷ ଶେଷ ହୋଇଥିବା ପରି ମନେ ହେଉଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଓଟରା ଭିତରେ ବ୍ରେକ୍‌ଫାଷ୍ଟ ରାଜନୀତିର ଏଣ୍ଚ୍ରୀ ହୋଇଛି । ଦଳ ଭିତରେ ମତଭେଦ ସମାଧାନ ପାଇଁ ସକାଳ ଜଳଖିଆ ତରିକା ଆପଣାଇଛନ୍ତି ସିଏମ୍ ଏବଂ ଉପମୁଖ୍ୟମନ୍ତ୍ରୀ । ଜଣେ ଜଣଙ୍କ ନିମନ୍ତ୍ରଣ ରଖି ବ୍ରେକ୍‌ଫାଷ୍ଟ କରିଛନ୍ତି । ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଗତ ସପ୍ତାହରେ ଆଭ୍ୟନ୍ତରୀଣ ବିବାଦ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ତାଙ୍କ ଘରକୁ ବ୍ରେକ୍‌ଫାଷ୍ଟରେ ଡାକିଥିଲେ । ଏହା ପରେ ଦାବି କରିଥିଲେ ଯେ, ସେମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ । ଏବେ ବ୍ରେକ୍‌ଫାଷ୍ଟ ପଲିଟିକ୍ସ ଅଂଶ ଭାବରେ ଶିବକୁମାରଙ୍କ ଘରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସକାଳ ଜଳଖିଆ କରିଛନ୍ତି ।

କର୍ଣ୍ଣାଟକର ଜଳଖିଆ କୂଟନୀତି ଉପରେ ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି, "ଏହା ଭଲ କଥା ଯେ ଆମର ନେତାମାନେ ପୁଣି ଥରେ ଜଳଖିଆ ପାଇଁ ଏକାଠି ହୋଇଛନ୍ତି । ଗତ ମାସ ମଧ୍ୟରେ ଘଟିଥିବା ଘଟଣା ପାଇଁ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ । ହାଇକମାଣ୍ଡଙ୍କ ପରାମର୍ଶ ଅନୁଯାୟୀ, ସେମାନେ ଦ୍ୱିତୀୟ ଥର ପାଇଁ ବୈଠକ କରୁଛନ୍ତି । ସମସ୍ତ ସମସ୍ୟାର ସମାଧାନ ହୋଇଛି । ଏହା କେବଳ ଏକ ପାରସ୍ପରିକ ଆଲୋଚନା, ଆଉ କିଛି ନୁହେଁ । ସିଦ୍ଧରମୈୟା ଶିବକୁମାରଙ୍କୁ ଫୋନ୍ କରିଥିଲେ, ଏବଂ ଏବେ ଶିବକୁମାର ସିଦ୍ଧରମୈୟାଙ୍କୁ ଫୋନ୍ କରିଛନ୍ତି । ଏହା ଏକ ଭଲ କଥା । ସାଧାରଣତଃ, ଆମେ କଂଗ୍ରେସ ବିଧାୟକ ଦଳ ବୈଠକ କରୁ, ତା'ପରେ ଏକାଠି ରାତ୍ରୀଭୋଜନ କରୁ । ସବୁକିଛି ଠିକ୍ ଚାଲିଛି । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଆକାଂକ୍ଷା ଥାଏ । ମୁଁ ଭାବୁନାହିଁ ଯେ ଏହା ଭୁଲ। "

ମିଶି ଗଲା କି ସିଦ୍ଧରମୈୟା-ଶିବକୁମାରଙ୍କ ମନ ? କର୍ଣ୍ଣାଟକରେ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଛି । ସିଦ୍ଧରମୈୟା ଦାବି କରିଆସୁଛନ୍ତି ଯେ, ତାଙ୍କୁ ପୂର୍ଣ୍ଣ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବା ପାଇଁ ଜନାଦେଶ ମିଳିଛି, ଯେତେବେଳେ ଶିବକୁମାର କହୁଛନ୍ତି ଯେ, ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାଙ୍କୁ ଅଢ଼େଇ ବର୍ଷ ପରେ କ୍ଷମତା ହସ୍ତାନ୍ତର କରାଯିବ । ତଥାପି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ସିଦ୍ଧରମୈୟା ଏବଂ ଡିକେଙ୍କ ମଧ୍ୟରେ ଏକ ସହମତି ହୋଇଥିବା ପରି ମନେ ହେଉଛି । ଏହା ବିଶ୍ୱାସ କରାଯାଉଛି ଯେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଖୁବ୍ ଶୀଘ୍ର ଡିକେଙ୍କୁ ହସ୍ତାନ୍ତର କରାଯିବ ।